Odisha Link
Bridging the Missing Links in Odisha

ଖଣ୍ଡପଡ଼ାରୁ ସ୍ବାଧୀନ ଲଢ଼ିବେ ଦୁଷ୍ମନ୍ତ, ମିଳିବ ବିଜେଡି ସମର୍ଥନ!

ନୟାଗଡ଼: ଖଣ୍ଡପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଟିକେଟକୁ ନେଇ ଏବେ ଅକଳରେ ପଡ଼ିଛି ବିଜୁ ଜନତା ଦଳ। କାହାକୁ ପ୍ରାର୍ଥୀ କରାଯିବ ସ୍ପଷ୍ଟ ହେଉନଥିବା ବେଳେ ବିଜେଡି କର୍ମୀଙ୍କ ସମର୍ଥନରେ ସ୍ବାଧୀନ ଭାବେ ଲଢ଼ିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଦୁଷ୍ମନ୍ତ କୁମାର ସ୍ବାଇଁ।

ଖଣ୍ଡପଡ଼ାରେ ବିଜେଡି ଏବେ ତିନି ଫାଳ। ଆମ ଓଡ଼ିଶା ପାର୍ଟିର କର୍ମୀମାନେ ସାଂସଦ ସୌମ୍ୟରଂଜନ ପଟ୍ଟନାୟକଙ୍କ ପାଖରେ ଥିବା ବେଳେ ଖଣ୍ଡପଡ଼ା ବ୍ଲକ ବିଜେଡି ବିଧାୟକ ଅନୁଭବ ପଟ୍ଟନାୟକଙ୍କୁ ସମର୍ଥନ କରୁଛି। ଅନ୍ୟପଟେ ଭାପୁରର ବିଜେଡି ସଂଗଠନକୁ ନିଜ କବ‌ଜାରେ ରଖିଛନ୍ତି ବ୍ଲକ ବିଜେଡି ସଭାପତି ଗୟାଧର ପରିଡ଼ା। ଏତଦ‌ ଭିନ୍ନ ବିପିନ ଷଡ଼ଙ୍ଗୀ, ଦୁଷ୍ମନ୍ତ ସ୍ବାଇଁ ପ୍ରମୁଖ କିଛି ନେତା ବିଜେଡିରୁ ଟିକେଟ ଆଶା କରୁଥିବା ବେଳେ ନିଜର ସମର୍ଥକ ଗୋଷ୍ଠୀ ତିଆରିରେ ବ୍ୟସ୍ତ ଅଛନ୍ତି।

ଟିକେଟ ବଣ୍ଟନରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଜିଲ୍ଲାର ପୁରୁଖା ନେତା ତଥା ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ କୌଣସି ବି କ୍ଷେତ୍ରରେ ସୌମ୍ୟରଂଜନ ଅଥବା ଅନୁଭବଙ୍କୁ ଟିକେଟ ମିଳୁ ବୋଲି ଚାହୁଁନାହାନ୍ତି। ଅନୁରୂପ ଭାବେ ଅନୁଭବ କିମ୍ବା ଗୟାଧରଙ୍କୁ ଟିକେଟ ଦେବା ସମର୍ଥନରେ ନାହାନ୍ତି ସୌମ୍ୟରଂଜନ। ସେହିପରି ଅନୁଭବ କିମ୍ବା ସୌମ୍ୟରଂଜନ କେହି ବି ଟିକେଟ ପାଆନ୍ତୁ ବୋଲି ଚାହୁଁନାହାନ୍ତି ଗୟାଧର। ଅନ୍ୟପଟେ ସାଧାରଣ ଭୋଟରଙ୍କ ପ୍ରବଳ ସମର୍ଥନ ପାଉଥିବା ଅନୁଭବ ନିଜେ ପୁଣି ଥରେ ଟିକେଟ ପାଇବା ଆଶାରେ ଅଛନ୍ତି।

ଏଭଳି ପରିସ୍ଥିତିରେ ଯଦି ଅରୁଣଙ୍କ ସୁପାରିଶରେ ଗୟାଧର ବିଜେଡି ଟିକେଟ ପାଆନ୍ତି, ତାଙ୍କୁ ଦଳୀୟ କର୍ମୀଙ୍କ ସମର୍ଥନ ତ ମିଳିଯିବ। କିନ୍ତୁ ତାଙ୍କର ଘୋର ବିରୋଧୀ ଆମ ଓଡ଼ିଶାର କର୍ମୀ ତଥା ସୌମ୍ୟରଂଜନଙ୍କ ଅନୁଗାମୀମାନେ କୌଣସି ପରିସ୍ଥିତିରେ ଗୟାଧରଙ୍କୁ ସମର୍ଥନ ଦେବେନାହିଁ। ଗୟାଧରଙ୍କର ନାନାଦି ଆପରାଧିକ ସଂପୃକ୍ତି ବାବଦରେ ନିର୍ବାଚନ ମଣ୍ଡଳୀ ସାରା ଲୋକେ ଜାଣିଥିବା ବେଳେ ତାଙ୍କ ପ୍ରାର୍ଥୀତ୍ବକୁ ଜନ ସମର୍ଥନ ମିଳିବା ମଧ୍ୟ କଷ୍ଟକର ହେବ।

ଯଦି ଅନୁଭବ ଟିକେଟ ପାଆନ୍ତି ତେବେ ସାଧାରଣ ଭୋଟରଙ୍କର ସ୍ବତଃ ସମର୍ଥନ ରହିବ। ଆମ ଓଡ଼ିଶାର କର୍ମୀମାନେ ମଧ୍ୟ ସମର୍ଥନ ଦେବେ। ଖଣ୍ଡପଡ଼ା ବ୍ଲକରେ ବିଜେଡି ନେତା ଓ କର୍ମୀଙ୍କର ପୂର୍ଣ୍ଣ ସମର୍ଥନ ମିଳିବ। ତେବେ ଭାପୁର ବ୍ଲକରେ ଗୟାଧର ତାଙ୍କର ପ୍ରାର୍ଥୀତ୍ବକୁ ବିରୋଧ କଲେ ହେଁ ଦଳୀୟ ଚାପରେ ନିରବ ରହିବାକୁ ବାଧ୍ୟ ହେବ।

ଅନ୍ୟ ପଟେ ଯଦି ଅନୁଭବ କିମ୍ବା ଗୟାଧରଙ୍କୁ ଛାଡ଼ି କେହି ତୃତୀୟ ପକ୍ଷ ଟିକେଟ ପାଆନ୍ତି ତେବେ ଖଣ୍ଡପଡ଼ା ବିଜେଡିରେ ଏକ ବଡ଼ ଧରଣର ବିଦ୍ରୋହ ହେବାର ଆଭାସ ମିଳୁଛି। ମିଳିଥିବା ସୂଚନା ଅନୁସାରେ ଏଭଳି ପରିସ୍ଥିତି ଉପୁଜିଲେ ଭାପୁର ବ୍ଲକ ବିଜେଡି ସଭାପତି ଗୟାଧର ପରିଡ଼ା ଓ ଖଣ୍ଡପଡ଼ା ବ୍ଲକ ବିଜେଡି ସଭାପତି ଚନ୍ଦ୍ରକାନ୍ତ ବଳିଆରସିଂହ ମିଳିତ ଭାବେ ସଂଗଠନକୁ ଜଣେ ଚତୁର୍ଥ ବା ସ୍ବାଧୀନ ପ୍ରାର୍ଥୀ ପାଇଁ ବ୍ୟବହାର କରିବେ। ଦଳୀୟ ଶୃଙ୍ଖଳା ନ ଭାଙ୍ଗିବା ପାଇଁ ସେମାନେ ବିଜେଡି କିମ୍ବା ଅନ୍ୟ କୌଣସି ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ ନଦେଇ ଜଣେ ସ୍ବାଧୀନ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନରେ ଜିତାଇବାକୁ ଅଣ୍ଟା ଭିଡ଼ୁଛନ୍ତି। ଟିକେଟ ନ ମିଳିଲେ ଅନୁଭବ କିମ୍ବା ଗୟାଧର ସ୍ବାଧୀନ ଭାବେ ଲଢ଼ିବେନାହିଁ ବୋଲି ସଙ୍ଗଠନକୁ ସ୍ପଷ୍ଟ କରିଥିବା ବେଳେ, ସ୍ଥାନୀୟ ବିଜେଡି ସଂଗଠନର ଏ ଗୋପନ ଏଜେଣ୍ଡାର ଫାଇଦା ନେବାକୁ ଅଣ୍ଟା ଭିଡ଼ିଛନ୍ତି ଦୁଷ୍ମନ୍ତ ସ୍ବାଇଁ। ବିଜେଡି କର୍ମୀଙ୍କ ସହଯୋଗରେ ନିର୍ବାଚନ ଜିତି ପରେ ବିଜେଡିରେ ଯୋଗଦେବାକୁ ମନସ୍ଥ କରିଛନ୍ତି ଦୁଷ୍ମନ୍ତ। ଏ ନେଇ ସେ ସ୍ଥାନୀୟ ବିଜେଡିର ଛାମୁଆ ନେତୃବୃନ୍ଦ ଓ କର୍ମୀଙ୍କ ସହ ସମ୍ପର୍କରେ ଥିବା ସୂଚନା ମିଳୁଛି।

Comments are closed.