୨୦୨୦ରୁ ୱିଣ୍ଡୋ ୭ର ଜୀବନକାଳ ଶେଷ

ଭୁବନେଶ୍ବର: ଆପଣ ଅଫିସ୍ କିମ୍ବା ଘରେ କମ୍ପ୍ୟୁଟର ବ୍ୟବହାର କରୁଛନ୍ତି କି। ଯଦି ଆପଣଙ୍କ କମ୍ପ୍ୟୁଟରରେ ୱିଣ୍ଡୋ ୭ ଅପରେଟିଂ ସିଷ୍ଟମ୍ ଅଛି ତାହାଲେ ତୁରନ୍ତ ବଦଳାନ୍ତୁ। କାହିଁକିନା ୨୦୨୦ ମସିହାରେ କମ୍ପ୍ୟୁଟର ମାର୍କେଟରେ ଦେଖିବାକୁ ମିଳିବ ନାହିଁ ୱିଣ୍ଡୋ ୭ ଅପରେଟିଂ ସିଷ୍ଟମ। ଆସନ୍ତା ବର୍ଷ ଜାନୁଆରୀ ମାସ ୧୪ରୁ ୱିଣ୍ଡୋ ୭ ଅପରେଟିଂ ସିଷ୍ଟମର ଅପ୍ଡେଟ୍କୁ ମାଇକ୍ରୋସଫ୍ଟ ସମ୍ପୂର୍ଣ୍ଣ ବନ୍ଦ କରିଦେବ ବେଲାି ସୂଚନା ମିଳିଛି। ନିରାପତ୍ତା ଦୃଷ୍ଟିରୁ ଏହି ସବୁ ପିସିକୁ ବଦଳାଇ ୱିଣ୍ଡୋ ୧୦ ଅପରେଟିଂ ସିଷ୍ଟମ ଥିବା ପିସି ବ୍ୟବହାର କରିବାକୁ ପଡ଼ିବ। ଏନେଇ ମାଇକ୍ରୋସଫ୍ଟ ପକ୍ଷରୁ କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥାଗୁଡ଼ିକୁ (ଏସ୍ଏମ୍ଇ) ସଚେତନ କରାଯାଇଛି। ପୁରୁଣା ପିସିକୁ ବଦଳାଇ ନୂଆ ପିସି ବ୍ୟବହାର କରିବାକୁ କଂପାନି ତରଫରୁ କଂପାନିଗୁଡ଼ିକୁ କୁହାଯାଉଛି।
ମାଇକ୍ରୋସଫ୍ଟ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ, ପୁରୁଣା ପିସି ବ୍ୟବହାର ଦ୍ବାରା ରକ୍ଷଣାବେକ୍ଷଣ, ମରାମତି ଓ ଅନ୍ୟାନ୍ୟ ବିଷୟ ଦୃଷ୍ଟିରୁ ପିସି ପିଛା ୯୩,୫୦୦ ଟଙ୍କାର ଆର୍ଥିକ ବୋଝ ମୁଣ୍ଡାଇବାକୁ ପଡ଼ିଥାଏ। ଗୋଟିଏ ପିସି ଭଲ ଭାବେ ସାଢ଼େ ଚାରି ବର୍ଷ ପର୍ଯ୍ୟନ୍ତ ଚାଲିଥାଏ। ଏହା ପରେ ତାହାକୁ ବଦଳାଇ ଦେବା ଉଚିତ। ପୁରୁଣା ପିସିକୁ ଚଲାଇବା ଦିଗରେ ଯେତିକି ଖର୍ଚ ହେଉଛି, ସେହି ଟଙ୍କାରେ ତିନି ତିନିଟି ନୂଆ ପିସି କିଣିହେବ ବୋଲି ମାଇକ୍ରୋସଫ୍ଟର କଣ୍ଟ୍ରି ଜେନେରାଲ୍ ମ୍ୟାନେଜର (କଞ୍ଜ୍ୟୁମର ଆଣ୍ଡ୍ ଡିଭାଇସ୍) ପ୍ରିୟଦର୍ଶୀ ମହାପାତ୍ର କହିଛନ୍ତି। ସେ କହିଲେ, ଓଡ଼ିଶାରେ ୧୯ ଲକ୍ଷ ଏସ୍ଏମ୍ଇ ରହିଛି। ଏଠାରେ ମଧ୍ୟ ଅନେକ ସଂସ୍ଥା ପୁରୁଣା ପିସି ବ୍ୟବହାର କରୁଛନ୍ତି। ଆମେ ସେମାନଙ୍କୁ ସଚେତନ କରିବାକୁ ଚାହୁଁଛୁ। ପୁରୁଣାକୁ ବଦଳାଇ ନୂଆ ପିସି ଲଗାଇବା ପାଇଁ ଆମେ ସେମାନଙ୍କୁ କହୁଛୁ। ସେମାନେ ଯେଭଳି ସୁବିଧାରେ ନୂଆ ପିସି କିଣିପାରିବେ ସେଥିପାଇଁ ଆମେ କେତେ ପ୍ରକାର ସହାୟତା ମଧ୍ୟ ପ୍ରଦାନ କରୁଛୁ। ବାଏବ୍ୟାକ୍ ସୁବିଧା ମଧ୍ୟ ଯୋଗାଇ ଦେବା ଉପରେ ବିଚାର କରୁଛୁ ବୋଲି ସେ କହିଛନ୍ତି। ମାଇକ୍ରୋସଫ୍ଟ ପକ୍ଷରୁ ୨୧ଟି ସହରର ୬୦୦୦ରୁ ଅଧିକ ଏସ୍ଏମ୍ଇକୁ ନେଇ ଏହି ସର୍ଭେ କରାଯାଇଥିଲା। ଏଥିରେ ଭାଗ ନେଇଥିବା ୬୬% ସଂସ୍ଥା କହିଛନ୍ତି ଯେ ନୂଆ ପିସି ନେବା ପରେ ସେମାନଙ୍କ ଦକ୍ଷତାରେ ବୃଦ୍ଧି ହୋଇଛି। ୬୩% ଏସ୍ଏମ୍ଇ କହିଛନ୍ତି ଯେ ଡାଟା ଅଧିକ ସୁରକ୍ଷିତ ଥିବା ମନେ ହେଉଛି। ୫୮% କହିଛନ୍ତି ନୂଆ ପିସି ନେବା ପରେ ସେମାନଙ୍କ ରକ୍ଷଣାବେକ୍ଷଣ ଖର୍ଚ କମ୍ ହୋଇଛି। ୪୧% ସଂସ୍ଥା କହିଥିଲେ ଯେ, ନୂଆ ପିସି ନେବା ପରେ ସେମାନଙ୍କ କର୍ମଚାରୀଙ୍କ ଉତ୍ପାଦକତା ବଢ଼ିଛି।
Comments are closed.