ଇତିହାସ ରଚିବ ବାଣୀବିହାର: ପ୍ରଥମଥର ପିଏଚ୍ଡି ଛାତ୍ରଛାତ୍ରୀଙ୍କ ଲାଗି ହେବ ସ୍ବତନ୍ତ୍ର ପରୀକ୍ଷା

ଭୁବନେଶ୍ୱର: କିଛି ନା କିଛି ଘଟଣା ହେଉ ବା ଅଘଟଣକୁ ନେଇ ସଦାବେଳେ ଚର୍ଚ୍ଚାରେ ରହି ଆସୁଛି ଉତ୍କଳ ବିଶ୍ବବିଦ୍ୟାଳୟ। ଏଥର କିନ୍ତୁ ଇତିହାସ ରଚିବାକୁ ଯାଉଛି ଉତ୍କଳ ବିଶ୍ବବିଦ୍ୟାଳୟ(ବାଣୀବିହାର)। ଏନ୍ଓସି ଦେଇନପାରି ପରୀକ୍ଷାରୁ ବଞ୍ଚିତ ହୋଇଥିବା ପିଏଚ୍ଡି ଛାତ୍ରଛାତ୍ରୀଙ୍କ ପାଇଁ ଅସମୟରେ ସ୍ବତନ୍ତ୍ର ପରୀକ୍ଷା ଆୟୋଜନ ପାଇଁ ପରୀକ୍ଷା ନିୟନ୍ତ୍ରକଙ୍କ ଜରିଆରେ କୁଳପତିଙ୍କୁ ଅନୁରୋଧ କରାଯାଇଛି ବୋଲି ବିଶେଷ ସୂତ୍ରରୁ ପ୍ରକାଶ ପାଇଛି। କିଛି ଦିନ ତଳେ ମୂଳ ପରୀକ୍ଷା ସରି ଯାଇଛି କିନ୍ତୁ ଏହି ପରୀକ୍ଷାରେ ବହୁତ ଛାତ୍ରଛାତ୍ରୀ ପରୀକ୍ଷା ଦବାରୁ ବଞ୍ଚିତ ହୋଇଛନ୍ତି। ଏବେ ଏହି ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ଆଉ ଥରେ ପରୀକ୍ଷା ହେବା ପାଇଁ ଷଡ଼ଯନ୍ତ୍ର ହୋଇଛି। ଫାଇଲ୍ ମଧ୍ୟ କୁଳପତିଙ୍କ ପାଖରେ ପହଞ୍ଚିବା ସହ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କେବଳ ତାରିଖ ଘୋଷଣା ବାକି ରହିଛି। ଏଭଳି ସୁପାରିସକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ମାନିଛନ୍ତି। ପରୀକ୍ଷା ନିୟନ୍ତ୍ରକ ଶରତ କୁମାର ମାଝୀ କହିଛନ୍ତି ଯେ, ଏଭଳି ସୁପାରିସ ବିଭାଗୀୟ ମୁଖ୍ୟଙ୍କଠାରୁ ଆସିଛି। ବିଭିନ୍ନ କାରଣରୁ ମୂଳ ପରୀକ୍ଷାରୁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା କରିବାକୁ ଏକ ସ୍ବତନ୍ତ୍ର ତାରିଖ ଧାର୍ଯ୍ୟ କରିବାକୁ ଅନୁରୋଧ କରାଯାଇଛି। ତେବେ ପୂର୍ବରୁ ଏମିତି କେବେ ହୋଇ ନଥିବାରୁ ତାହା ଉପରେ ତର୍ଜମା କରାଯିବାର ଆବଶ୍ୟକତା ରହିଛି। ତେଣୁ ଏକ ସ୍ବତନ୍ତ୍ର ଟିମ୍ କରାଯାଇ ଏହା ଉପରେ ନିଷ୍ପତ୍ତି ନେବାକୁ କୁଳପତିଙ୍କୁ ଲିଖିତ ଭାବେ ଅବଗତ କରାଯାଇଛି ବୋଲି ସେ ସ୍ପଷ୍ଟ କରିଛନ୍ତି।
ସୂଚନା ମୁତାବକ, କେତେଜଣ ଛାତ୍ରଛାତ୍ରୀ ପିଏଚ୍ଡି କରିବା ସହ ବିଭିନ୍ନ ଅନୁଷ୍ଠାନରେ କାମ କରୁଛନ୍ତି। ସେଠାରୁ ପାରିଶ୍ରମିକ ବି ପାଉଥାନ୍ତି। ଏଣୁ ପରୀକ୍ଷା ଦେବାକୁ ହେଲେ ସେମାନଙ୍କୁ ଏନ୍ଓସି(ନୋ ଅବ୍ଜେକ୍ସନ ସାର୍ଟିଫିକେଟ୍) ଦାଖଲ କରିବାକୁ ପଡ଼େ। ଏହାକୁ ଦାଖଲ କରି ନ ପାରିଲେ ପରୀକ୍ଷା ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇ ନ ଥାନ୍ତି। ଗତ ପରୀକ୍ଷା ପୂର୍ବରୁ ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀ ଏଭଳି ଏନ୍ଓସି ଦାଖଲ କରିପାରିନଥିଲେ। ତେଣୁ ମୂଳ ପରୀକ୍ଷାରୁ ବଞ୍ଚିତ ହୋଇଥିଲେ। ଫଳରେ ସେମାନଙ୍କୁ ଆହୁରି ଗୋଟିଏ ବର୍ଷ ଅପେକ୍ଷା କରିବାକୁ ପଡ଼ିଥାନ୍ତା। ତେବେ ଇତିମଧ୍ୟରେ ଷଡ଼ଯନ୍ତ୍ର ଆରମ୍ଭ ହୋଇଛି। ଚଳିତବର୍ଷ ହିଁ ଉକ୍ତ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରିବା ପାଇଁ ଯୋଜନା ଚାଲିଛି। ବିଭାଗୀୟ ମୁଖ୍ୟ ଏନେଇ ପରୀକ୍ଷା ନିୟନ୍ତ୍ରକଙ୍କୁ ଚିଠି ଲେଖିଥିଲେ। ତେବେ ଏଠାରେ ପ୍ରଶ୍ନ ଉଠୁଛି କ’ଣ ଏମିତି ହେଲା ଯେ ବିଶ୍ବବିଦ୍ୟାଳୟ ଇତିହାସରେ ପ୍ରଥମ ଥର ପାଇଁ ଏଭଳି ପରୀକ୍ଷା କରିବାକୁ କର୍ତୃପକ୍ଷ ଯୋଜନା କରୁଛନ୍ତି। କାହା ସ୍ବାର୍ଥ ନା କାହା ଚାପରେ ପଡ଼ି ଅଧିକାରୀମାନେ ନିଷ୍ପତ୍ତି ବଦଳାଇବାକୁ ଯାଉଛନ୍ତି? ଏହା ପଛରେ ବଡ଼ଧରଣର ଟଙ୍କା କାରବାର ହୋଇ ନାହିଁତ। ଏମିତି ନାନା ପ୍ରକାର ପ୍ରଶ୍ନକୁ ନେଇ କ୍ୟାମ୍ପସରେ ଚର୍ଚ୍ଚା ଚାଲିଛି।
Comments are closed.