କୁରୁ ପାଣ୍ଡବଙ୍କର ଝିମାଣି ଖେଳ
ସାରଳା ଦାସ
ବଦନ୍ତି ଅଗସ୍ତି ଶୁଣ ବଇବସୁତ ମନୁ
ଅନେକ ଉଚ୍ଛବ ଯେ ହୋଇଲା ହସ୍ତିନା ଭୁବନୁ । ୧
ଭୀଷ୍ମଙ୍କର ଆଗ୍ୟାଂ, ଶୟେ ଅଷ୍ଟ ଉତ୍ତର କୁମାରେ
ମହା ପ୍ରିୟ ଭାବରେ ଆଖଡାରେ କଉତୁକ କରେ । ୨
ବଳରାମଙ୍କର ତହୁଂ ସେ ଗଦାବିଦ୍ୟା ପାଇ
କାହାକଇଂ ଗଣନା ନ କରନ୍ତି ଦ୍ରିଯୋଧନ ଶତେ ଭାଇ । ୩
ଆଖଡ଼ାୟେ ପଶି ଗଦାଯୁଦ୍ଧ କରନ୍ତି ନିତି
ଭୀମସେନ ଧୁଶାସନର ଯେ ହୋଇଲା ଅତ୍ୟନ୍ତ ଅପ୍ରୀତି । ୪
କର୍ଣ୍ଣ ଅର୍ଜୁନର ଯେ ଉପୁଜିଲା ଅଭାବ
ଯୁଝେଷ୍ଠିଙ୍କି ଦ୍ରିଯୋଧନ ନ କରଇ ପ୍ରିୟଭାବ । ୫
ଗଜ ଅଶ୍ୱ ଚଢ଼ିଣ ଯେ ହିଙ୍ଗିଡି ଖେଳନ୍ତି
ପଶା ଆଖଡ଼ା ଯେ ନ୍ୟାୟବଳ ଖେଳୁଥାନ୍ତି । ୬
ପୟାନ୍ତି ପାଦ ଗରୁ ଧାଉଡି ନିମିତ୍ୟେ
ନାନା କଉତୁକେ ଖେଳନ୍ତି ପୁତ୍ରମାନେ ସମସ୍ତେ । ୭
ଇନ୍ଦ୍ର ପ୍ରଶସ୍ତ ଆଖଡ଼ାୟେ କଉତୁକ ସଂକୁଡ଼େ
କୁତୂହୋଳେ ଭିଆଇଲେ ଝିମାଣି ନାମ ଖେଡ଼େ । ୮
ଦ୍ରିଯୋଧନ ଯୁଝେଷ୍ଠି ଯେ ହୋଇଲେ ମୂଳଗଣ୍ଡି
ଭୀମ ଧୁଶାସନ ହୋଇଲେ ତଳଗଣ୍ଡି । ୯
କର୍ଣ୍ଣ ଅର୍ଜୁନ ଗଲେ ଯେ ଗଣ୍ଡି ଭାଗେ
ଦ୍ରିଯୋଧନ କର୍ଣ୍ଣ, ଅର୍ଜୁନ ଯୁଝେଷ୍ଠିଙ୍କ ଭାଗେ । ୧୦
ଧୁଶାସନ କର୍ଣ୍ଣ ହୋଇଲେ ଦ୍ରିଯୋଧନର ଲାଗେ । ୧୧
ଶଲ୍ୟ ସହଦେବ ଦୁହେଂ ଗଣ୍ଡି ଯେ ହୋଇଲେ
ଯୁଝେଷ୍ଠିଙ୍କି ସହଦେବ ଦ୍ରିଯୋଧନକୁ ଶଲ୍ୟେ । ୧୨
ନକୁଳ ଅଶସ୍ତମା ଗଣ୍ଡି ଗଲେ ଅନୁକ୍ରମେ
ଯୁଝେଷ୍ଠି ଭାଗେ ନକୁଳ ଦ୍ରିଯୋଧନ ଅଶସ୍ତମେ । ୧୩
ୟେସନେକ ଗଣ୍ଡି ଭିଆନ୍ତି ସମକଚ୍ଛେ
ଧୁଶାସନ ବୋଇଲା ଭୀମ ତୁମ୍ଭେ ପୀଢ ହୋଇଲ ପ୍ରତକ୍ଷେ । ୧୪
ଭୀମସେନ ହସିଲା ଧୁଶାସନର ବଚନେ
ତୁମ୍ଭନ୍ତ ଥାଡେ ହୋଅ ଶତେ ଭାଇମାନେ । ୧୫
ଆମ୍ଭଙ୍କୁ ତୁମ୍ଭେ ହୋ ନ ଦିଅ ୟେକା ଜଣେ । ୧୬
ଶଲ୍ୟ କୃପ ଅଶସ୍ତମା କର୍ଣ୍ଣ ଯେ ସହିତେ
କଚ୍ଛକେ ହୋଅ ତୁମ୍ଭେ ପଞ୍ଚ ଉତ୍ତର ଶତେ । ୧୭
ଆମ୍ଭେ ପାଞ୍ଚ ଭାଇ ହୋଇଲୁ ୟେକ କତି
ଖେଡ଼ର ଚରିତ୍ର ଜାଣିମା ନା କେ ହାରଇ ଜିଣଇ ଯୁଗତି । ୧୮
ଭୀମସେନ ବଚନେ ଦ୍ରିଯୋଧନ କଲା ସନମତ
ପଛିମ ଭାଗେ ରହିଲେ ପାଞ୍ଚ ଉତ୍ତର ଶତେ ଭ୍ରାଥ । ୧୯
ପୂର୍ବ ଭାଗେ ହୋଇଲେ ଯୁଝେଷ୍ଠି ପାଞ୍ଚ ଭାଇ
ମଧ୍ୟେରେ ବେନି ଖମ୍ୱ ପୋତିଲେ ଗାର ଦେଇ । ୨୦
Cଶାନ୍ୟେ ଯୁଝେଷ୍ଠି ପଶ୍ଚିମେ ଦ୍ରିଯୋଧନ ଭାଗ ଆଡ଼େ
ବଢିଲା ଉଚ୍ଚ ବାଚ ଝିମାଣି ରସ ଖେଡେ । ୨୧
ପ୍ରଥମେ ଗୋଡାଇଲା କୁମାର ଧୁଶାସନ
ପଳାବନ୍ତି ଯୁଝେଷ୍ଠି ପବନହୁଂ ବେଗେଣ । ୨୨
ବନଚର ଦେଖି ଯେହ୍ନେ ଖେଦଇ ହରିଣୀ
ନିଶ୍ୱାସ ଧରି ଖେଦଇ ଧୁଶାସନ ବୀରମଣି । ୨୩
ରେରେ କାର କରି ଧାଇଂଲା ବେଗେଣ କ୍ଷେପି
ଚିରାୟେ ମାରିଣ ମାଇଲା ଯୁଝେଷ୍ଠିଙ୍କି । ୨୪
ଅସାଷ୍ଟମେ ପଡିଲେ ଯୁଝେଷ୍ଠି ଧୁଶାସନର ଚାପୋଡ ଘାତେ
ନାସିକା ବେନି ପୁଡାରୁ ବହଇ ଶ୍ରୋଣିତେ । ୨୫
ମାରିଣ ଧୁଶାସନ ବାହୁଡ଼ଇ ଲେଉଟି
ଆରେ ଆରେ ବୋଲି ଭୀମସେନ ଧାମଇଂ ପାଲଟି । ୨୬
ମଧ୍ୟ ଦାଣ୍ଡରେମ ମାଇଲା ଧୁଶାସନକୁ
ୟେକା ପ୍ରହାରକେ ଭାଞ୍ଜିଲା ତାହାର ବୁକୁ । ୨୭
ଦ୍ରିଯୋଧନ ପଳାବଇ ଗୋଡାୟେ ମାରୁତି
ୟେକା ଚାପୋଡାକେ ପଡିଲା କୁରୁପତି । ୨୮
ଦୁର୍ଜୟ ଦୁର୍ବାଳ ଦୁରାଷ୍ଟର ମେଳେ
ପୟରକେ ବୀର ମାଇଲା କରସ୍ଥଳେ । ୨୯
ଶତେ ଭାଇଙ୍କି ମାଇଲା ଶତେ ଯେ ଭେଡ଼ାୟେ
କର୍ଣ୍ଣ ହିଂ ପଡିଲା ଭୀମ ହାଦେ ଘାୟେ । ୩୦
ଶତେ ପହଣ୍ଡେ ମାଇଲା ଶତେ ଭ୍ରାଥଙ୍କୁ
ଗାତ୍ର ପ୍ରହାରେ ଭାଞ୍ଜିଲା ସମସ୍ତହିଂ ବୁକୁ । ୩୧
ଅଶସ୍ତମାକୁ କ୍ଷେପି ମାଇଲା ବକ୍ଷସ୍ଥଳେ
ମୂର୍ଚ୍ଛାଗତେ ପଡିଲେ କୁରୁ ଯେ କୁମରେ । ୩୨
ଶଲ୍ୟେ ପଳାବନ୍ତି ବାହୁଟିଆ ଜୀବ ଜାଣି
ନିଶ୍ୱାସ ଟେକି କଟାଳ କଲା ଭୀମ ଆଣି । ୩୩
ଚିରାୟେ ମାରିଣ ହାବୋଡାଇଲା ଶଲ୍ୟଙ୍କୁ
ଗାଢ ପ୍ରହାରେ ଶଲ୍ୟେ ପଡିଲେ ମାଡି ବୁକୁ । ୩୪
ବାମ ପାଦ ପଡିଲା ପିଠିର ମଧ୍ୟ ଖଣ୍ଡେ
ଡାହାଣ ଚରଣ ପଡିଲା ଶଲ୍ୟଙ୍କର ମୁଣ୍ଡେ । ୩୫
ମୁଣ୍ଡ ଫାଟିଣ ଯେ ବହିଲା ଗହନ ଶ୍ରୋଣି
ବାହୁଡଇ ବ୍ରିକୋଦର ବିକ୍ରମ ସିଂହ ଠାଣି । ୩୬
ସବୁ କୁରୁ ବୀରେ ପଡିଲେ ଅସାଷ୍ଟମ ହୋଇ
ଶଲ୍ୟ କର୍ଣ୍ଣ ଅଶସ୍ତମା କାହାରି ଚେତନା ଯେ ନାହିଂ । ୩୭
ବଦୟନ୍ତି ମହାମୁନି ବ୍ରହ୍ମବେତ୍ତା ଅଗସ୍ତି
ଆଦି ହୁଂ ୟେହିଠାରୁ କୁରୁ ପାଣ୍ଡବଙ୍କର ଉପୁଜିଲା ଅପ୍ରୀତି । ୩୮
ଧୃତରାଷ୍ଟଙ୍କର ଅଗ୍ରତେ କହିଲେ ସଞ୍ଜୟେ
ଖେଡର ବିନୋଦେ ପଡିଲେ ଅସାଷ୍ଟମେ ତୋହୋର ପୋୟେ । ୩୯
ୟେକାୟେ ଭୀମସେନ ମାଇଲା ସବୁଙ୍କୁ ହିଂ ଖେଡେ
ଝିମାଣି ଭିଆଇଲେ ୟେକା କୁତୂହୋଳେ ପୀଢେ । ୪୦
ଭୀଷ୍ମେ ସଞ୍ଜୟେ ପ୍ରବେଶ ହୋଇଲେ ଯାଇ
ପୁଅନ୍ତ ଆଣିଲେ ଚେତନା କରାଇ । ୪୧
ଧୃତରାଷ୍ଟ୍ର ସୁମରଇ ରେବତୀ ପ୍ରାଣବନ୍ଧୁ
ଜୟୁ ତୁ କାମପାଳ ଅଭୟ ବର ଇନ୍ଦୁ । ୪୨
ଶୁଦ୍ଧ ସଷ୍ଟିକ ପ୍ରାୟେ ଯାହାର ଶରୀର ବିରାଜି
ଅଣାକାର ପୁରୁଷ ତୁ ଅଜପା ଲୟେ ଭଜି । ୪୩
ଅଦୃଷ୍ଟି ମହେଶ୍ୱର ଧବଳ ବର୍ଣ୍ଣ ଚିହ୍ନ
ଅବୟ ଅବ୍ୟକ୍ତ ଯାର ବଚନ ଅପୂର୍ଣ୍ଣ । ୪୪
ୟେକ ଆସନେ ଯାହାର କୋଟିୟେ କଳ୍ପ ବହି
ମଉଳି ଆଭରଣ ସ୍ୱାମୀ ମହା ଦର୍ପ ଅହି । ୪୫
ଅଚେବନ ପୁରୁଷ ପାଇଲୁ ଯୋଗ ଚିନ୍ତା
ନାଶକର ଦର୍ପ ତୁହି ସେ ଭାଞ୍ଜନ୍ତା । ୪୬
ଅସମ୍ଭବ ପୁରୁଷ ତୁ ଗତି ମୁକତି ଦିଅନ୍ତା
କାଳାନ୍ତକ ପୁରୁଷ ଯୋଗେଣ ଯୋଗ ଚିନ୍ତା । ୪୭
ଶ୍ୱେତ ଶଙ୍ଖ ପଣ୍ଡୁର ଲୋହିତ ପୀତ ବାସଇ
କୁଙ୍କୁମ ନୀଳ କଳେବର ଶିରରେ ସପତ ଫଣୀ ବସଇ । ୪୮
ଯୋଗ ଭୋଗ ସୋଗ ଯାହାର ଅଭୟେ
ପବନ ଉଜାଇଲୁ ନାଥ ତୁ ଅଜପା ୟୋଗ ଲୟେ । ୪୯
ନିଶ୍ଚଳ ଆସନ ସ୍ୱାମୀ ଯାହାର ଭୁବନ ସଉନିଧି
ସର୍ବ ସୋଦର ବନ୍ଧୁ ଦ୍ରଶନେ କାର୍ଯ୍ୟ ସିଦ୍ଧି । ୫୦
ପ୍ରସନ୍ନେ ପ୍ରାପତ ହୋଅଇ ବଇକୁଣ୍ଠ ଭୁବନ
ଜଗ ବନ୍ଦନ ସ୍ୱାମୀ ସୁଢଳ ନୟନ । ୫୧
ମହା ଯୋଗ ଲୟେ ଦେବ ଉତ୍ତରାଙ୍କୁର ତୀର୍ଥେ
ଝରଇ ସୁଧାରସ ଦେବ ସନ୍ତାପ କରନ୍ତେ । ୫୨
ଶ୍ରୀଭୁଜେ ଶୋଭାବନ ଯାହାର ସମର୍ଥେକ ସଉନନ୍ଦ
ଦ୍ରଶନେ ଦହନ ସ୍ୱାମୀ ହୋଇ ସର୍ବ ବନ୍ଧ । ୫୩
ଅମ୍ୱା କଦମ୍ୱା ପ୍ରଳମ୍ୱା ଅସୁର ଧଂସି
ରେବତୀ ରମଣ ନାଥ ଅଭୟ ଯୋଗ ଅଭ୍ୟାସି । ୫୪
ସୁରସିଦ୍ଧ ମୁନି ଯାହାର ଚରଣ ବନ୍ଦେ
ଅଭୟ ବର ଦେଉ ନାଥ ପରମ ସାନନ୍ଦେ । ୫୫
କାଳାନଳ ବଞ୍ଚାଇଲୁ ଅନାଦି ପରମ ଯୋଗୀ
କଳିକାଳ ଦର୍ପ ଧଂସି ଇଛା କଲୁ ଭୋଗୀ । ୫୬
ଶତେ ବେଳ ବିନୟ ମୁଂ କାମପାଳ ଚରଣେ
ଭଗତି ମୁକତି ନାଥ ଇଚ୍ଛା କଲି ଦେବ ମୁଂ ତୋହୋର ଶରଣେ । ୫୭
ରେବତୀ ରମଣ ସ୍ୱାମୀ ହଳାୟୁଧ ପାଣି
ଅନନ୍ତ କୋଟି ବ୍ରହ୍ମାଣ୍ଡ ନାଥ ତୁହି ସେ ଶିରୋମଣି । ୫୮
ଅନୀତି ସଂସାରେ ନାଥ ଲୋଭ ମୋହ କ୍ରୋଧ ହିଂସା
ୟେଥୁଂ ତରିବାକୁ ମୁହିଂ ବଢାଇଲି ମନୀଷା । ୫୯
କେଶୀ ବିଦାରଣ ନାଥ ଚରଣେ ନମାମି
ୟେ ଭବ ସାଗରୁ ଉଦ୍ଧର ଦେବ ସ୍ୱାମୀ । ୬୦
ଶ୍ରୀ ନୀଳାମ୍ୱର ନାଥଙ୍କୁ ଶତ ସହସ୍ର ଦଣ୍ଡବତ ପାଦ ତଳେ
ଶୂଦ୍ରମୁନି ସାରୋଳ ଦାସ ମାଗଇ ସର୍ବ କାଳେ । ୬୧
Comments are closed.