କଟକ
ଦେବଦାସ ଛୋଟରାୟଙ୍କ କବିତା
ମୁଁ ଯେତେବେଳେ ଆଉ ଥରେ ଜନ୍ମ ହେବି କଟକରେ
ଧର ଆଉ ଶହେ ବର୍ଷ ପରେ
ଯେତେବେଳେ ମତେ ପୁଣି ଅଠର ବର୍ଷ ହେବ
ସେତେବେଳେ ପ୍ରେମ କି ପାନଦୋକାନ
ବୋଧହୁଏ ନ ଥିବ ଆଉ ଏ ପୃଥିବୀରେ
କଟକ ବି ନ ଥିବ ହୁଏତ
ଥିବ ଖାଲି ତିନିହଜ଼ାର ଖଣ୍ଡେ ଜାଇକା ବିବର
ତା’ ଭିତରେ ଥିବ ବିପଣି, ଗଣିକାଳୟ
ଭରଟୁଆଲ ପରିବା ଦୋକାନ
ସେଥିରୁ ହୋଭରକ୍ରାଫ୍ଟରେ ବାହାରି
ଲୋକ ଯାଉଥିବେ ଭୁବନେଶ୍ୱର
ପୁରୁଣା ରେଭେନ୍ସା ବି ଦିଶୁ ନ ଥିବ ଆଉ
ପରାଙ୍ଗଭୋଜି ଗଛମାନଙ୍କ ଭିତରେ
ପୋତି ହେଇ ଯାଇଥିବ ନାଲି କୋଠା
କୋଣାର୍କ ପରିକା
ଏପଟେ, ନୂଆ କ୍ୟାମ୍ପସର ଚାରିକଡେ
ତିଆରି ହୋଇଥିବ ପାଲିସ ପଥରର ଗଡ଼ଖାଇ
ସେଠି ପାଚିରୀ ନ ଥିବ, ବିଭାଜନ ନ ଥିବ
ହାତର ରେଖା ପରି ପାଣିର ରାସ୍ତା ଥିବ
ଚାରିଆଡ଼େ
ୟୁନିସେକ୍ସ ହଷ୍ଟେଲରୁ
ଏକାପରି ଦେଖା ଯାଉଥିବା ପୁଅ ଝିଅ
ସ୍ପିଡ଼ବୋଟରେ ବସି
ଆଳୁଅର ତୀର ପରି ଚାଲି ଯାଉଥିବେ
ଧବଳେଶ୍ବର
ମହାନଦୀରେ ଜଳବିହାର ପାଇଁ
କଥା ନ ଥାଇପାରେ
ସେମାନଙ୍କ ଭିତରେ
କିନ୍ତୁ ଛାତିର ମାଂସ ଭିତରେ
ପୋତା ହୋଇଥିବା କମ୍ପୁଟର ଚିପସରେ
ମାପି ହେଉଥିବ ପରସ୍ପର ପ୍ରତି ଲାଳସା
ବିନା ସ୍ପର୍ଶରେ
ମୁଁ ଜାତିସ୍ମର ନୁହେଁ
ତଥାପି ଅନେକ ରାତିରେ
ପୂର୍ବଜନ୍ମ ପରି ବୁଲିଗଲେ କଟକର
ନିଦ୍ରିତ ରାସ୍ତାରେ
କୁକୁର ନ ଥିବେ ଆଉ
ଶୁନ୍ୟଶୁନ୍ୟ ସବୁ ଗଳି, ନାଗାଲ୍ୟାଣ୍ଡ ପରିକା
ମତେ ଅସ୍ପଷ୍ଟ ଭାବେ ଶୁଭିବ
କାହାର ସ୍ୱପ୍ନ ଭିତରେ
କିଛି ନ ବହିପାରୁଥିବା ଲୁହର ବେହେଲାରେ
କିଏ ଯେମିତି ଏବେବି ବଜଉଛି
‘ଚକୋରୀ ଝରାନା ଲୁହ ଜୋଛନା ରାତେ’
ଶହେ ବର୍ଷ ପରେ
ସେତିକି ବେଳେ ଜାଇକାର ବିବର ଭିତରୁ
ନୂଆ ତିଆରି ହୋଇଥିବା ଶର୍ପିଳ ସିଡ଼ି ଚଢି
ରାସ୍ତା ଉପରକୁ
ବାହାରି ଆସିବ
ପଟା ପଟା କଳା ଦାଗ ଥିବା
ଏକ ହଳଦିଆ ମଖମଲି ବାଘ
ଅକ୍ଷୟ ମହାନ୍ତି
Comments are closed.