ଭୁବନେଶ୍ବରରେ ହାଇଦ୍ରାବାଦ-ଗୌହାଟୀ ବିମାନର ଜରୁରୀ ଅବତରଣ
ଭୁବନେଶ୍ବର : ଜଣେ ଯାତ୍ରୀଙ୍କ ଉତ୍ପାତ ଯୋଗୁଁ ହାଇଦ୍ରାବାଦରୁ ଗୌହାଟି ଯାଉଥିବା ଇଣ୍ଡିଗୋ ବିମାନକୁ ଭୁବନେଶ୍ବରରେ ଜରୁରୀ ଅବତରଣ କରାଇବାକୁ ପଡ଼ିଛି। ସମ୍ପୃକ୍ତ ଯାତ୍ରୀଙ୍କୁ ବିମାନବନ୍ଦର ଥାନ ପୁଲିସ ଜିମା ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ, ଇର୍ସାଦ ଅଲ୍ଲୀ ନାମକ ଯୁବକ ଗୌହଟି ଯିବା ପାଇଁ ହାଇଦ୍ରାବାଦରୁ ଇଣ୍ଡିଗୋ ବିମାନରେ ଚଢ଼ିଥିଲେ। ଗତ ଶନିବାର ଦିନ ଗୌହାଟିରେ ଇର୍ସାଦଙ୍କ ମାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଇର୍ସାଦ ସେଠାକୁ ଯାଉଥିଲେ। ହାଇଦ୍ରାବାଦରେ ସେ ଆଇସକ୍ରିମ୍ ପାର୍ଲରରେ କାମ କରନ୍ତି। ତାଙ୍କ ସହ ଅବଦୁଲା କାରିମ ନାମକ ଜଣେ ସହଯାତ୍ରୀ ମଧ୍ୟ ବିମାନରେ ଥିଲେ। କିନ୍ତୁ ବିମାନ ଉଡାଣ ଆରମ୍ଭର କିଛି ସମୟ ପରେ ଇର୍ସାଦ ନିଜ ସଟରୁ ଉଠି ପାଟିତୁଣ୍ଡ କରିଥିଲେ। ବିମାନ ପରିଚାଳକୁ ତାଙ୍କୁ ବୁଝାଇ ଥିଲେ ସୁଦ୍ଧା ସେ ଶୁଣି ନ ଥିଲେ ବରଂ ସେ କର୍ମଚାରୀଙ୍କୁ ପ୍ରତିରୋଧ କରି ବିମାନର ଦ୍ବାର ଖୋଲିବାକୁ ଉଦ୍ୟମ କରିଥିଲେ। ବିମାନ କର୍ମଚାରୀ ତାଙ୍କୁ କାବୁ କରି ନେଇ ସଟରେ ବସାଇ ଥିଲେ। ଏହା ପରେ ବି ଇର୍ସାଦ ଶାନ୍ତ ନ ହେବାରୁ ତାଙ୍କୁ ବିମାନରୁ ଓହ୍ଲାଇବା ପାଇଁ ପାଇଲଟ୍ ନିଷ୍ପତ୍ତି ନେଇଥିଲେ। ପାଇଲଟ୍ ଭୁବନେଶ୍ବର ବିମାନବନ୍ଦର ଏଟିସିକୁ ଯୋଗାଯୋଗ କରି ଘଟଣା ଜଣାଇବା ସହ ଜରୁରୀ ଅବତାରଣ ପାଇଁ ଅନୁମତି ଚାହିଁଥିଲେ। ସକାଳ ୬.୧୦ରେ ବିମାନ ଏଠାରେ ଅବତରଣ କରିଥିଲା।
ଇର୍ସାଦଙ୍କୁ ବିମାନରୁ ଓହ୍ଲାଇ ସିଆଇଏସଏଫ୍ ଜିମା ଦିଆଯିବା ପରେ ଅନ୍ୟ ଯାତ୍ରୀଙ୍କୁ ନେଇ ୭.୧୩ରେ ବିମାନ ଗୌହାଟି ଯାତ୍ର କରିଥିଲା। ଇର୍ସାଦଙ୍କୁ ବିମାନରୁ ଓହ୍ଲାଇ ଯିଆଯିବା ପରେ ଅବଦୁଲ ମଧ୍ୟ ଓହ୍ଲାଇ ଯାଇଥିଲା। ବିମାନବନ୍ଦର ଥାନ ଅଧିକାରୀଙ୍କ ଅନୁସାରେ ଇର୍ସାଦ ବିମାନ ଭିତରେ ସୁରକ୍ଷା ନିୟମ ଉଲ୍ଲଘଂନ କରିଥିବାରୁ ତାଙ୍କୁ ଓହ୍ଲାଇ ଦିଆଯାଇଥିଲା। ତାଙ୍କ ବିରୋଧରେ ଏଫଆଇଆର ଦାଏର କରାଯାଇ ନଥିଲା। ଥାନାକୁ ଥାନାକୁ ଆଣିବା ପରେ ତାଙ୍କ କାର୍ଯ୍ୟକଳାପରୁ ମସ୍ତିଷ୍କ ବିକୃତି ଥିବା ଜଣାପଡିବାରୁ କ୍ୟାପିଟାଲ ହସପିଟାଲ ନିଆଯାଇ ଥିଲା। ଡାକ୍ତରଙ୍କ ଅନୁମତି ପରେ ସେ ଡାକ୍ତରଖାନାରୁ ଛାଡ ପାଇବେ। ତେବେ ଏଠାରୁ ଗୌହାଟି ଯିବା ପାଇଁ କର୍ତ୍ତୃପକ୍ଷ ବ୍ୟବସ୍ଥା କରିବେ ନାହିଁ। ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି, ବିମାନର ଜରୁରୀ ଅବତରଣ ସମୟରେ କୌଣସି ସମସ୍ୟା ହୋଇନଥିଲା।
Comments are closed.