କାରିଗର

ରତ୍ନମାଳା ସ୍ବାଇଁଙ୍କ କବିତା
କାରିଗର
ଏ କବିତାଟି ପେନ୍ ଇନ୍ ବୁକ୍ସ ପ୍ରକାଶନ ସଂସ୍ଥା ଦ୍ବାରା ପ୍ରକାଶିତ ରତ୍ନମାଳା ସ୍ବାଇଁଙ୍କ ସଂକଳନ ‘ଫଟୋଫ୍ରେମ’ରୁ ଅାସିଛି
ବହିଟି ଅାମାଜନରୁ ମଗାଇବା ପାଇଁ ଏଇଠି କ୍ଲିକ୍ କରନ୍ତୁ 〉
କେବଳ କାରିଗରଟିଏ ବୋଲି
ପରିଚୟ ପତ୍ର ଛାତିରେ ଝୁଲିଲା
ସାରା ସଂସାର ଗଢ଼ିଲି
ହେଲେ ନିଜକୁ କୋଉ ଗଢ଼ିହେଲା
ଗଢ଼ିବା ମୋର କାମ ହେ ସାଆନ୍ତେ!
ମୋତେ ମାଟି ଦିଅ ଗଢ଼ିବି
ଗୋବର ଦିଅ ଗଢ଼ିବି
ସୁନା ଦିଅ ଗଢ଼ିବି
ମୁଁ ତ ଗଢ଼ୁଛି ସାରା ପୃଥିବୀକୁ
ବାଲି ସିମେଣ୍ଟରେ
ଶବ୍ଦର ବୈଚିତ୍ର୍ୟକୁ ଦେଖ ହୋ!
କେତେବେଳେ ଇଟାବାଲିରେ
କବିତା ଗଢ଼ୁଛି ତ
କେତେବେଳେ ଶବ୍ଦରେ ଗଢ଼ୁଛି
କୋଡ଼ିଏ ମହଲା ଘର
ବନ୍ଧୁଏ କହନ୍ତି, ତମେ ଜଗତ ଗଢ଼ୁଛ
କିନ୍ତୁ ନିଜକୁ ଗଢ଼ିପାରୁନା
ହୁଏତ ଏମିତି ହୋଇଥାଇପାରେ
ମୁଁ ଯେମିତି ପୃଥିବୀ ଗଢ଼ୁଛି
ପୃଥିବୀ ବି ମୋତେ ସେମିତି
ଗଢ଼ୁଥାଇପାରେ ମୋ ଅଗୋଚରରେ।
Comments are closed.