ଛାଇ
ଜ୍ୟୋତ୍ସ୍ନା ମହାପାତ୍ରଙ୍କ କବିତା
ଛାଇ
ଚେଇଁ ଶୋଇବା ବେଳେ
ଛାଇ ସବୁ ଘୂରିବୁଲୁଥାନ୍ତି ମୋ ଚାରିପଟେ;
ମୋ ନାଁ ଧରି ଡାକନ୍ତି।
ଏ ସବୁ ନକଲି ନୁହେଁ ତ?
ମୁଁ ଏକ ଅଦ୍ଭୁତ ଉପସ୍ଥିତି ଅନୁଭବ କରେ
ଠିକ୍ ଯେମିତି ଭୂତଟେ ବୁଲୁଚି
ଶବାର ହେବାକୁ ଖୋଜୁଛି ଗୋଟେ ଦେହ।
ମୋତେ ପରିହାସ କରି ଚାଲି ଯାଉଥିବା
ଛାଇ ମାନଙ୍କ ମେଳରେ,
ଖୁବ୍ କଷ୍ଟ ହୁଏ
ଖାଲି ଘୃଣା ଆଉ ପ୍ରତାରଣାର
ନିଶ୍ବାସ ସେମାନଙ୍କର ମୋ ଦେହରେ ବାଜିଲେ।
ଅନ୍ଧାରକୁ ଆୟତ କରି ସେମାନେ
ମୋ ଉପରେ ଅତ୍ୟାଚାର କରିଚାଲନ୍ତି
ମାଡ଼ି ଆସନ୍ତି ଆଗକୁ ଆଗକୁ
ସମୟ ଦୌଡ଼ିଯାଏ ଖୁବ ପଛକୁ
ବେଗ କମିଯାଏ ସମୟର
ମୁଁ ଆଣ୍ଠୁ ଦୁଇଟିକୁ ହାତରେ ନେଇ ପଡ଼ିରହେ
ଗୋଟେ ଜୀବନକୁ ଜାବୁଡି ଧରି।
ଧୀରେ ଧୀରେ ଛାଇ ସବୁ
ଅକ୍ତିଆର କରିନିଅନ୍ତି ମୋ ପୂରା ଶରୀର
ଆଉ ପାଲଟିଯାନ୍ତି ଗୋଟେ ଗୋଟେ
ଭୟଙ୍କର ଦୁଃସ୍ବପ୍ନ।
ମୋତେ ଅପେକ୍ଷା କରିବାକୁ ପଡ଼େ
ନିଦର ବନ୍ଦୀ ଶାଳାରେ
ଆଗାମୀ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ।
Comments are closed.