ଗାଁକୁ ବି ସହର ଭଳି ସୁବିଧା ଯୋଗାଇ ଦବା ଦରକାର : ସୌମ୍ୟରଂଜନ
ଭୁବନେଶ୍ବର : ଆଲୁଅ,ପାଣି ଓ ପବନର ଜାତି ନାହିଁ। କିନ୍ତୁ ଏବେ ଜାତିଭେଦ ଆରମ୍ଭ ହୋଇଗଲାଣି । କେଉଠିଁ ଲୋକେ ତିନି ଫେଜ ଲାଇନ ପାଇଛନ୍ତି, ଏସି କମ୍ପ୍ୟୁଟର ଚାଲିଛି। ଆଉ କେଉଁଠାରେ ୧୨୦ ପାଓ୍ବାର ବଲବ, ୬୦ ପାଓ୍ବାର ଭଳି ଜଳୁଛି। ବାବୁଙ୍କ ଘରେ କୁକୁର ଗାଧେଇବା ପାଇଁ ପାଇପରେ କାହିଁକି କେତେ ପାଣି ସରୁଛି। ଆଉ କେଉଁଠି ଲୋକଙ୍କ ପାନୀୟ ଜଳ ସମସ୍ୟା ଉତ୍କଟ, ଚାଷ ଜମିକୁ ପାଣି ଯାଉନାହିଁ। ସେହିପରି ପବନ ମାନେ ପରିବେଶକୁ ମଧ୍ୟ ଧୀରେ ଧୀରେ ସଙ୍କୁଚିତ କରିଦିଆଗଲାଣି। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏଭଳି ସର୍ମସ୍ପର୍ଶୀ ବକ୍ତବ୍ୟ ରଖିବା ସହିତ କହିଥିଲେ, ରାଜ୍ୟ ସରକାର ସ୍ମାର୍ଟ ସିଟିର ବିକାଶ କରନ୍ତୁ। କିନ୍ତୁ ଓଡିଶାରେ ପ୍ରତି ଗାଁକୁ ମଧ୍ୟ ସ୍ମାର୍ଟ କରାଯିବାର ସମୟ ଆସିଯାଇଛି। ଯେତେବେଳେ ଆଲୁଅ, ପାଣି, ପବନ ବା ପରିବେଶ କ୍ଷେତ୍ରରେ ଭେଦଭାବ ରହିବ ନାହିଁ, ନ୍ୟାୟୋଚିତ ଭାବେ ସମସ୍ତଙ୍କୁ ଏହା ମିଳିବ, ସେତେବେଳେ ସମ ବିକାଶ ଘଟିଲା ବୋଲି କୁହାଯିବ। ଯେବେ ଗାଁକୁ ସହର ସହ ତୁଳନା କରାଯାଇପାରିବ, ସେବେ ଲୋକେ ଆଉ ସହରାଭିମୁଖୀ ହେବା ନାହିଁ।
ଦୀର୍ଘ ୪୦ ମିନିଟରେ ବକ୍ତବ୍ୟ ରଖି ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ ଯେ ରାଜ୍ୟରେ ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବତି କରିବା ଲାଗି ମୁଖ୍ୟମନ୍ତ୍ରୀ ଟମ୍ ଓ୍ବାର୍କ, ଟ୍ରାନ୍ସପରେନ୍ସିଂ, ଟେକ୍ନୋଲୋଜି, ଟ୍ରାନ୍ସଫର୍ମେସନ୍ କଥା କହି ସେଥିରେ ଆଉ ଗୋଟିଏ ଟି ଆର୍ଥତ୍ ଟାଇମ୍ ଟାଇମ୍ କୁ ଯୋଡିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ୫ଟି କୁ ଅଧିକ ଲୋକାଭିମୁଖୀ କରିବା ପାଇଁ ସେ ଏହାର ଓଡିଆ ରୂପାନ୍ତରିତ କରିଛନ୍ତି। ଏହାର ବାଖ୍ୟା କରି ସହଯୋଗ (ଟିମ୍ ଓ୍ବର୍କ), ସ୍ବଚ୍ଛତା (ଟ୍ରନ୍ସପରେନ୍ସିଂ), ଶିଳ୍ପ ବିଦ୍ୟା (ଟେକ୍ନୋଲୋଜି), ସଂସ୍କାର (ଟ୍ରାନ୍ସଫର୍ମେସନ) ଓ ସମୟ (ଟାଇମ) ଉପରେ ଗୁରୁତ୍ବ ଦେବାକୁ ଏବେଠାରୁ ସେ ଲାଗିପଡିବେ। ଏହି ୫ ସ ଫର୍ମୁଲାକୁ ସମସ୍ତ ବିକାଶ କ୍ଷେତ୍ରରେ ଆପଣାଇବା ପାଇଁ ସେ ଆହ୍ବାନ ଦେଇଥିଲେ।
ଜଣେ ରାଜନୀତି ବିଜ୍ଞାନୀ ଛାତ୍ର ଓ ଅଧ୍ୟାପକ ଭାବେ ଯାହା ଏକାଦା ସେ ପିଲାମାନଙ୍କୁ ପଢ଼ାଇଥିଲେ, ସେହି ଛାତ୍ରମାନେ ବର୍ତ୍ତମାନର ସ୍ଥିତି ଦେଖିଲେ, ସମ୍ବବତଃ ଏକଥା ପଚାରି ପାରନ୍ତି ଯେ ବହିରେ ଲେଖାଯାଇଥିବା ଓ ସେ ପଢ଼ାଇଥିବା ପାଠ ଭୁଲ। ଏଭଳି ଏକ ଅବେଗ ଭରା ବାକ୍ୟରୁ ବକ୍ତବ୍ୟ ଆରମ୍ଭ କରି ଶ୍ରୀ ପଟ୍ଟନାୟକ ବିରୋଧୀ ଦଳକୁ ତେରଚ୍ଛା ବାଣ ମାରିଥିଲେ। କହିଥିଲେ, ବିରୋଧୀ ଦଳ ନେତାଙ୍କ ନାମ ଘୋଷଣା ଓ ରାଜ୍ୟସଭା ସଦସ୍ୟଙ୍କୁ କେନ୍ଦ୍ର କରି ଗତ ଦୁଇ ଦିନ ଧରି ବିରୋଧୀ ଦଳ ଗୃହରେ ଯେଉଁ ଭୂମିକା ନିର୍ବାହ କରୁଛନ୍ତି, ତାହା ନ କରିଥିଲେ ଚଳିଥାନ୍ତା। ଗଣତନ୍ତ୍ରରେ ବିଧାୟକମାନଙ୍କ ଭୂମିକା ହେଉଛି ସେମାନେ ପ୍ରତିନିଧିତ୍ବ କରୁଥିବା ଲୋକମାନଙ୍କ କଥାକୁ ସରକାରଙ୍କ ନିକଟରେ ପହଞ୍ଚାଇ ତଦନୁଯାୟୀ ଆଇନ କରିବା ଓ ସରାକାରଙ୍କ ବିକାଶ କାର୍ଯ୍ୟକ୍ରମର ସର୍ବାଧିକ ଲାଭ ଯେଭଳି ଲୋକେ ପାଇବେ ତାହାକୁ ନିଶ୍ଚିତ କରିବା। ଦୁଇ ନିର୍ବାଚନ ଅବଧି ମଧ୍ୟରେ ଗଣତନ୍ତ୍ରକୁ ଚଳ ଚଞ୍ଚଳ କରି ରଖିବା ପାଇଁ ବିଧାନସଭା ଗୁରୁତ୍ବପୂର୍ଣ୍ଣ। ରାଜ୍ୟପାଳଙ୍କ ଭାଷଣକୁ ଅଧିକ ତର୍ଜମା କରି ବିକାଶର ରାସ୍ତା କାଢ଼ିବା ପାଇଁ ଏହି ଧନ୍ୟବାଦ ଆଲୋଚନା ଏକ ବାହାନା ମାତ୍ର। ବିଜେପି ହେଉ କଂଗ୍ରେସ ଅଥବା ବିଜେଡି କିଏ ବିକାଶ ଚାହୁଁନି? ସମସ୍ତେ ବିକାଶ କଥା କହୁଛନ୍ତି। ତେବେ ବିକାଶ ହୋଇପାରୁନାହିଁ ବୋଲି ଅଭିଯୋଗ କହିଁକି? ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଥିଲେ। ସେ ଆହୁରି କହିଥିଲେ, ଆମକୁ ନିଷ୍ପତ୍ତି କରିବାକୁ ହେବ, ବିରୋଧ କରିବା ପାଇଁ ବିରୋଧ କରିବା ନା ପ୍ରସଙ୍ଗ ସହିତ ଯିବା। ଏ କ୍ଷେତ୍ରରେ ଲକ୍ଷ୍ୟ ନର୍ଦ୍ଦିଷ୍ଟ କରିବାକୁ ହେବ। ନବୀନ ପଟ୍ଟନାୟକଙ୍କର ଈର୍ଷଣୀୟ ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ଶ୍ରୀ ପଟ୍ଟନାୟକ ତାଙ୍କ ପାଠପଢ଼ା ସମୟର ମଧୁବାବୁଙ୍କୁ କଥା ସ୍ମରଣ କରିଥିଲେ। କହିଥିଲେ, ଗୋଟିଏ ସମୟରେ ମଧୁବାବୁଙ୍କୁ ଅର୍ଧ ଶତାବ୍ଦୀର ଇତିହାସ ବୋଲି କୁହାଯାଉଥିଲା। ଏବେ ନବୀନ ପଟ୍ଟନାୟକଙ୍କ ସରକାରକୁ ୨୦୨୪ ବେଳକୁ ୨୫ ବର୍ଷ ଛୁଇଁବ। ଏହି ୨୫ ବର୍ଷର କାଳଖଣ୍ଡ କିଛି କମ୍ ସମୟ ନୁହେଁ। ଏହାକୁ ପରବର୍ତ୍ତି ପିଢ଼ୀ ନିଶ୍ଚିତ ଭାବେ ତର୍ଜମା କରିବେ। ନବୀନ ବାବୁ ନିଜେ ତାଙ୍କ ସଫଳତାର ରସହ୍ୟ ଖୋଲାଖୋଲି କହିଛନ୍ତି। ଚନ୍ତା ଓ ଚେତନା ଭିତରେ ଯଦି ସାଧାରଣ ଲୋକ ରହିବ, ତେବେ ନିଶ୍ଚେ ସଫଳତା ମିଳିବ। ସେଥିପାଇଁ ନୀବନ ବାବୁଙ୍କ ଯୋଜନା ସବୁବେଳେ ସାଧାରଣ ଲୋକଙ୍କ କଥା କହିଥାଏ।
ଶ୍ରୀ ପଟ୍ଟନାୟକ କହିଥିଲେ, ରାଜ୍ୟ ସରାକର ସମନ୍ନିତ ବିକାଶ କଥା କହିଛନ୍ତି ଏବଂ ମା ପେଟର ଥିବା ଛୁଆ ଠାରୁ ଆରମ୍ଭ କରି ହରିଶ୍ଚନ୍ଦ୍ର ଯୋଜନା ପର୍ଯ୍ୟନ୍ତ ସବୁ ବର୍ଗର ଉନ୍ନତି ପାଇଁ କାର୍ଯ୍ୟକ୍ରମ କରିଛନ୍ତି। ନିର୍ବାଚନ ପୂର୍ବରୁ ମଧ୍ୟ କ୍ଷୁଡ଼ାମୁକ୍ତ ସଂକ୍ରାନ୍ତ ଯୋଜନା ହେଉ କି କାଳିଆ ଭଳି କୃଷକ କଲ୍ୟାଣକାରୀ କାର୍ଯ୍ୟକ୍ରମକୁ ଭୋଟ କାଙ୍ଗାଳ ନେତାମାନେ କେତେ କଣ କହି ସମାଲୋଚନା କରିଥିଲେ। ହେଲେ ନିର୍ବାଚନ ପରେ ଏସବୁ କାର୍ଯ୍ୟକ୍ରମ ଓ ଯୋଜନାକୁ ବଳବତ୍ତର ରଖି ନବୀନ ଗରିବ ଓ କୃଷକଙ୍କ ପାଇଁ ତାଙ୍କ ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି। ଗୋଟିଏ ସମୟ ଥିଲା, ଯେତେବେଳେ କି ରାଜ୍ୟ ବାହାରେ ଓଡିଶାର ପରିଚୟ ଥିଲା ଦାରିଦ୍ର୍ୟ ଓ ଶିଶୁବିକ୍ର। ଏବେ କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଥମ ବିକାଶ ପର୍ବ ସରିଛି। ଆଉ ତାର ଉପଲବ୍ଧି ହେଲା, ରାଜ୍ୟରୁ ଅନାହାର ବିଲୋପ ଘଟିଛି। ଅନାହାରରେ କେହି ମୃତ୍ୟୁବରଣ କରୁଛି ବୋଲି କହିପାରିବେ ନାହିଁ। ଅବଶ୍ୟ ଯେତେବେଳେ କୌଣସି କାରଣରୁ ଜଣେ ଗରିବ ପ୍ରାଣ ହରାଉଛି,ସେତେବେଳେ ବିରୋଧୀ ଦଳ ତାକୁ ଅନାହାର ମୃତ୍ୟୁ ବୋଲି ଦାବି କାରୁଛି। ଦଣ୍ଡ ଉଭୟ ପ୍ରଶାସନ ମୃତ୍ୟୁର କାରଣ ବ୍ୟକ୍ତିଗତ ବୋଲି କହି ଏଡାଇ ଯାଉଛି। ଗୋଟିଏ ଗରିବ ଲୋକର ମୃତ୍ୟୁକୁ ନେଇ ଏଭଳି ରାଜନୀତି ଆଦୌ ଶୋଭନୀୟ ନୁହେଁ। ଏବେ ଏଭଳି ଅଭିଯୋଗ ଯଦି ଆସୁଛି, ରାଜ୍ୟ ସରକାର ସ୍ଥାନୀୟ ବିଧାୟକ ଓ ପ୍ରତିପକ୍ଷ ଦଳର ନେତାଙ୍କୁ ନେଇ ଏକ ସ୍ବରନ୍ତ୍ର ଅନୁସନ୍ଧାନ କମିଟି ଗଠନ କରନ୍ତୁ। ସେମାନେ ଏହାର ତଦନ୍ତ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ଟଙ୍କିକିଆ ଚାଉଳରେ ଭାତ ରନ୍ଧା ହୋଇଗଲେ, ବିକାଶ ହୋଇଗଲା। ଏକଥା କ୍ଷମତାସୀନ ଦଳ ପାଇଁ ଶୋଭନୀୟ ନୁହେଁ ବୋଲି ମତ ରଖି ଶ୍ରୀ ପଟ୍ଟନାୟକ କହିଥିଲେ,ଖାସ୍ ଏଇଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯାତ୍ରର ଦ୍ବିଦୀୟ ପର୍ବର ଆରମ୍ଭ ସଶକ୍ତ ସ୍ବାସ୍ଥ୍ୟ ସେବା, ଉତ୍ତମ ଶିକ୍ଷା ବ୍ୟବସ୍ଥା, ମହିଳାଙ୍କ ବିକାଶ, ସମାଜିକ ନିରାପତ୍ତା, ବେକାରୀ ଦୂରୀକରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି।
ସରକାର କୃଷିକୁ ପ୍ରଧାନ୍ୟ ଦେଇଛନ୍ତି। ସ୍ବତନ୍ତ୍ର କୃଷି ବଜେଟ୍ କରୁଛନ୍ତି। ଚାଷୀକୁ ପାଣି ଦରକାର, ବିହନ ମିଳିବା ଦରକାର। ପ୍ରଶାସନିକସ୍ତରରେ ଅବହେଳା କରଣରୁ ଏହି ଲକ୍ଷ ବିଚ୍ୟୁତ ହେବ ଉଚିତ ନୁହେଁ। ଖଣିଜ ସଂପଦ ଲୁଟେରାଙ୍କୁ ଦଣ୍ଡ ଦେବା ପାଇଁ ଆହୁରି କିଛି ଦଣ୍ଡ ବିଧାନ ଆବଶ୍ୟକ କଡୁଛି, ତେବେ ତାହା କୋର୍ଟକୁ ଛାଡି ଦିଆଯାଉ। ସେହି ଆଲୋଚନା ପାଇଁ ଆଉ ଗୃହରେ ସମୟ ନଷ୍ଟ ନ କରାନଯାଉ। ୨୦୨୦ରେ କେନ୍ଦ୍ର ସରକାର ଯେଉଁ ଆଇନ ଆଣୁଛନ୍ତି, ତାହା ଆହୁରି ବଳିଷ୍ଠ ଓ ସଶକ୍ତ ହେବା ଦରକାର ଏବଂ ଏଥିରେ କଠୋର ଦଣ୍ଡବିଧାନ ବ୍ୟବସ୍ଥା ରହୁ, ଏଥିପ୍ରତି ବରଂ ଉଦ୍ୟମ ହେବା ଦରକାର। ହେଲେ ଖଣି ପଟ୍ଟାଦାରିଙ୍କ ଠାରୁ ଯେତିକି ବି ଜରିମାନା ଆଦାୟ ହେଉଛି, ତାହା ଖଣି ଅଞ୍ଚଳର ବିକାଶରେ ଲାଗୁ ବୋଲି ସେ ସରକାରଙ୍କୁ ନିବେଦନ କରିଥିଲେ।ଏହି ଅବସରରେ ରାଜ୍ୟରେ ୫ଟି ମହାନଗରୀକୁ ସ୍ମାର୍ଟସିଟି ରୂପେ ବିକଶିତ କରିବାକୁ ଉଦ୍ୟମ କରାଯିବା ସଂର୍ପକରେ ବକ୍ତବ୍ୟ ରଖି ଶ୍ରୀ ପଟ୍ଟନାୟକ କହିଥିଲେ, ରାଜଧାନୀ ଭୁବନେଶ୍ବର ଭଳି ଅନ୍ୟ ସରରରେ ମଧ୍ୟ ସ୍ମାର୍ଟ ସିଟିର ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ ହେଲେ ଭଲ। କିନ୍ତୁ କେବଳ ସହରରେ ନୁହେଁ, ଗ୍ରାମଞ୍ଚଳର ମଧ୍ୟ ବିକାଶ ଆବଶ୍ୟକ। ମୂଳ ଗ୍ରାମାଞ୍ଚଳବାସୀ ଥରେ ସହରକୁ ଆସିଲେ ଆଉ ଗାଁକୁ ଫେରିବାକୁ ମନ କରୁନାହାନ୍ତି। ଗାଁ ମୁରବୀ ଶୂନ୍ୟ ହୋଇଯାଉଛି। ଥରେ ଗ୍ରାମାଞ୍ଚଳରେ ସମସ୍ତ ମୌଳିକ ସୁବିଧା ସୁଯୋଗ ଉପଲବ୍ଧ ହେଲେ ଆଉ କେହି ଗାଁକୁ ଛାଡି ସହରକୁ ଯିବାକୁ ଚାହିଁବେ ନାହିଁ ବୋଲି ସେ କହିଥିଲେ।
Comments are closed.