ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା
ଭୁବନେଶ୍ୱର : ଉତ୍ତର ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଲଘୁଚାପର ସିଧାସଳଖ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବାକୁ ଯାଉଛି । ଧୀରେ ଧୀରେ ଏହା ଅବପାତର ରୂପନେଇ ପଶ୍ଚିମ ଦିଗ ଆଡ଼କୁ ଗତି କରିବ। ସେହିପରି ବାୟୁମଣ୍ଡଳର ଉପରି ଭାଗରେ ମଧ୍ୟ ଏକ ମନ୍ସୁନ୍ ଟ୍ରାପ ଲାଇନ୍ ସକ୍ରିୟ ରହିଛି। ଏହା ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ତେବେ ଆଜିଠାରୁ ବର୍ଷାର ପରିମାଣ ବଢ଼ିବ। ଆସନ୍ତାକାଲିଠୁ ୨ ତାରିଖ ପର୍ଯ୍ୟନ୍ତ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଓଡ଼ିଶା ସହ ଛତିଶଗଡ଼ରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଲାଗି ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି।
ପରିସ୍ଥିତିର ମୁକାବିଲା ଲାଗି ପଦକ୍ଷେପ ନେବାକୁ ଉଭୟ ରାଜ୍ୟ ସରକାରଙ୍କୁ କୁହାଯାଇଛି। ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଓଡ଼ିଶାରେ ବନ୍ୟା ଆଶଙ୍କା ମଧ୍ୟ ରହିଛି। ସୋନପୁର, ବୌଦ୍ଧ ଓ ଅନୁଗୋଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।
Comments are closed.