ଭୁବନେଶ୍ୱର ଆସିଲେ ପାଟଣାଗଡ଼ ବିଧାୟକ, ଆଜି ଜାମିନ୍ ଆବେଦନର ଶୁଣାଣି

ଭୁବନେଶ୍ବର: ଜେଇଙ୍କୁ ଉଠ୍ବସ୍ କରିବା ଘଟଣାରେ ଗିରଫ ହୋଇଥିବା ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଜାମିନ ଆବେଦନର ଶୁଣାଣି ଆଜି ହେବ। ଭୁବନେଶ୍ୱର ଆଡିସନାଲ୍ ଡିଷ୍ଟ୍ରିକ୍ଟ ଆଣ୍ଡ୍ ସେସନ୍ସ କୋର୍ଟରେ ଏହି ଶୁଣାଣି ହେବ ବୋଲି ସୂଚନା ରହିଛି। ଏଥିପାଇଁ ଗତକାଲି ରାତିରେ ପାଟଣାଗଡ଼ ଡାକ୍ତରଖାନାରୁ ବିଧାୟକଙ୍କୁ ଡିସ୍ଚାର୍ଜ କରାଯାଇ ପାଟଣାଗଡ଼ ଜେଲ୍କୁ ନିଆଯାଇଥିଲା। ଏହାପରେ ବିଳମ୍ବିତ ରାତିରେ କଡ଼ା ସରୁକ୍ଷା ମଧ୍ୟରେ ତାଙ୍କୁ ଭୁବନେଶ୍ୱର ଅଣାଯାଇଛି। ସୂଚନାଥାଉକି, ଶୁଣାଣି ବେଳେ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବର, ତାଙ୍କ ପତ୍ନୀ ତଥା ଅଭିଯୋଗକାରିଣୀ ପ୍ରବୀଣା ରାଜହଂସ, ପାଟଣାଗଡ଼ ଏସ୍ଡିପିଓ ଓ ପାଟଣାଗଡ଼ ଏଡିଜି କୋର୍ଟର ସରକାରୀ ଓକିଲ ଉପସ୍ଥିତ ରହିବେ।
ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଳକ ଗମ୍ଭାରୀ ଗାଁର ଏକ ନିମ୍ନମାନର ରାସ୍ତାକାମକୁ ନେଇ ବିଧାୟକ ସରୋଜ ମେହେର ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ସର୍ବ ସମ୍ମୁଖରେ କାନ ଧରି ଉଠବସ୍ କରାଇଥିଲେ। ଏ ନେଇ ଯନ୍ତ୍ରୀଙ୍କ ପତ୍ନୀ ପାଟଣାଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ମାମଲାରେ ଗତ ୨୪ ତାରିଖରେ ପୁଲିସ୍ ବିଧାୟକଙ୍କୁ ଗିରଫ କରିଥିଲା। ସୂଚନାଯୋଗ୍ୟ, ରାଜ୍ୟର ସମସ୍ତ ବିଧାୟକ ଓ ସାଂସଦଙ୍କ ବିରୋଧରେ ଥିବା ମାମଲାର ଶୁଣାଣି ପାଇଁ ଭୁବନେଶ୍ୱରରେ ସ୍ପେଶାଲ ଜଜ୍ ନିଯୁକ୍ତ କରାଯାଇଥିବାରୁ ସରୋଜ ମେହେରଙ୍କ ଜାମିନ ଆବେଦନର ଶୁଣାଣି ମଧ୍ୟ ଭୁବନେଶ୍ୱର କୋର୍ଟରେ ହେବ।
Comments are closed.