ଆଫଗାନିସ୍ତାନର ଯୁବ ଖେଳାଳି ଇକ୍ରାମ୍ ଭାଙ୍ଗିଲେ ସଚିନଙ୍କ ରେକର୍ଡ଼

ହେଡିଙ୍ଗଲେ: କ୍ରିକେଟ ମହାକୁମ୍ଭର ୪୨ ତମ ମ୍ୟାଚରେ ଆଫଗାନିସ୍ତାନର ଯୁବ ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ୍ ଇକ୍ରାମ୍ ଅଲୀ ଖିଲ ଏକ ନୂଆ କୀର୍ତ୍ତିମାନ ନିଜ ନାମରେ କରିଛନ୍ତି। ଗୁରୁବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚରେ ୧୮ ବର୍ଷୀୟ ଇକ୍ରାମ୍ ୯୨ ବଲରେ ୮୬ ରନର ଇନିଂସ୍ ଖେଳିଥିଲେ। ଏଥିସହିତ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ୨୭ ବର୍ଷ ତଳର ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇଛନ୍ତି। ସଚିନ ୧୯୯୨ ବିଶ୍ୱକପରେ ମାତ୍ର ୧୮ ବର୍ଷ ବୟସରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ୮୪ ରନ୍ କରିଥିଲେ।
ତେବେ ସବୁଠାରୁ କମ୍ ବୟସରେ ବିଶ୍ୱକପରେ ସର୍ବାଧିକ ରନର ରେକର୍ଡ ଏବେ ଇକ୍ରାମଙ୍କ ନାମରେ ହୋଇଛି। ଏ ନେଇ ଇକ୍ରାମ୍ କହିଛନ୍ତି, ସଚିନଙ୍କ ଭଳି ମହାନ୍ ବ୍ୟାଟ୍ସମ୍ୟାନଙ୍କ ରେକର୍ଡ ଭାଙ୍ଗିଥିବାରୁ ମୁଁ ନିଜକୁ ଗର୍ବିତ ମନେ କରୁଛି। ଏହା ମୋତେ ବହୁତ ଖୁସି ଦେଇଛି। ତେବେ ଇକ୍ରାମଙ୍କ ରୋଲ୍ ମଡେଲ୍ ହେଉଛନ୍ତି ଶ୍ରୀଲଙ୍କାର କୁମାର ସାଙ୍ଗାକାରା। ଇକ୍ରାମଙ୍କ ମତରେ, ମୁଁ ଯେବେବି ବ୍ୟାଟିଂ କରେ, ମୋ ମନରେ ସାଙ୍ଗାକାରା ଥାନ୍ତି। ଷ୍ଟ୍ରାଇକ୍ ରୋଟେଟ୍ କରିବା ଏବଂ ଆବଶ୍ୟକ ମୁତାବକ ବାଉଣ୍ଡ୍ରୀ ମାରିବା ଦକ୍ଷତା ସାଙ୍ଗାକାରାଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ କରିଛି ବୋଲି ଇକ୍ରାମ୍ କହିଛନ୍ତି। ଇକ୍ରାମଙ୍କ ଲଢ଼ୁଆ ବ୍ୟାଟିଂ ସତ୍ତେ୍ୱ ଆଫଗାନିସ୍ତାନ ୨୩ ରନରେ ୱେଷ୍ଟଇଣ୍ଡିଜ୍ ନିକଟରୁ ପରାସ୍ତ ହୋଇଥିଲା।