ପିଏମ କିଷାନ୍ ଲିଷ୍ଟ ମାଗିଲା କେନ୍ଦ୍ର

ଭୁବନେଶ୍ବର : ଚାଷୀ ପ୍ରସଙ୍ଗରେ କେହି ବି ମୌକା ହାତଛଡା କରିବାକୁ ନାରାଜ୍ । ଏଥିପାଇଁ ରାଜ୍ୟକୁ ତାଗିଦ୍ କରିଛି କେନ୍ଦ୍ର । କାଳିଆ ଯୋଜନା ପ୍ରସଙ୍ଗରେ ରାଜ୍ୟ ସରକାର ଯେଭଳି ତତ୍ପରତା ଦେଖାଉଛନ୍ତି, କେନ୍ଦ୍ର ମଧ୍ୟ ସେହିଭଳି ତତ୍ପର ହୋଇଉଠିଛି । ଏପରିକି ହିତାଧିକାରୀ ତାଲିକା ଦେବାରେ ରାଜ୍ୟ ବିଳମ୍ବ କରୁଥିବାରୁ କଠୋର ଆଭିମୁଖ୍ୟ ଦେଖାଇଛନ୍ତି ମୋଦି ସରକାର ।
ସୂଚନା ଅନୁସାରେ, ଆଗାମୀ ୧୫ ତାରିଖ ସୁଦ୍ଧା ହିତାଧିକାରୀ ତାଲିକା ପିଏମ କିଷାନ ପୋର୍ଟାଲରେ ଅପଲୋଡ ନକଲେ ଟଙ୍କା ମିଳିବ ନାହିଁ ବୋଲି କହିଛନ୍ତି । ଏ ସଂକ୍ରାନ୍ତରେ ପିଏମ କିଷାନ ଯୋଜନାର ସିଇଓ ବିବେକ ଅଗ୍ରୱାଲ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିବା ଜଣାପଡିଛି । ଉପଯୁକ୍ତ ହିତାଧିକାରୀଙ୍କ ତାଲିକା ନଦେଲେ ପରବର୍ତ୍ତୀ କିସ୍ତି ଟଙ୍କା ମିଳିବ ନାହିଁ ବୋଲି ରୋକଠୋକ ଜଣାଇ ଦେଇଥିବା କୁହାଯାଉଛି । ଚାଷୀଙ୍କ ପାଇଁ ରାଜ୍ୟ ସରକାର ମେଗା ଯୋଜନା କାଳିଆ ଚଳାଇଥିବାବେଳେ, ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ମଧ୍ୟ ପିଏମ କିଷାନ ଯୋଜନା ଆରମ୍ଭ କରିଥିଲେ ।
ଏହି ଯୋଜନାରେ କେନ୍ଦ୍ର ୧୦୦ ପ୍ରତିଶତ ନିଜସ୍ୱ ଅର୍ଥରେ ଗରିବ ଚାଷୀଙ୍କୁ ୩ଟି କିସ୍ତିରେ ବାର୍ଷିକ ୬ ହଜାର ଟଙ୍କା ଯୋଗାଇ ଦେଉଛି । ୨ ହେକ୍ଟରରୁ କମ୍ ଚାଷଜମି ଥିବା ଚାଷୀ ଏହି ଟଙ୍କା ପାଇବାକୁ ଯୋଗ୍ୟ ହେଉଛନ୍ତି । ତେବେ ଏଥିପାଇଁ ରାଜ୍ୟ ସରକାର ହିତାଧିକାରୀଙ୍କ ତାଲିକା କେନ୍ଦ୍ର ସରକାରଙ୍କ ପିଏମ କିଷାନ ପୋର୍ଟାଲରେ ଅପଲୋଡ କରିବାକୁ ହେବ ।
Comments are closed.