ଆଜି ବାହୁଡ଼ା ଯାତ୍ରା: ରତ୍ନବେଦୀକୁ ଯାତ୍ରା କରିବେ ଚତୁର୍ଦ୍ଧା ମୂର୍ତ୍ତି

ପୁରୀ: ଆଜି ବାହୁଡ଼ା ଯାତ୍ରା। ଜନ୍ମବେଦୀରୁ ରତ୍ନବେଦୀକୁ ଆଜି ଯାତ୍ରା କରିବେ ମହାପ୍ରଭୁ ଜଗା, ବଳିଆ ଓ ଭଉଣୀ ସୁଭଦ୍ରା। ଦୀର୍ଘ ୯ଦିନର ଯାତ୍ରାର ଅନ୍ତ ଘଟିବ ଆାଜି। ଚତୁର୍ଦ୍ଧା ମୂର୍ତ୍ତି ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ଅଭିମୁଖେ ବାହାରିବେ। ଏଥିପାଇଁ ଭୋର ୪ଟାରୁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ଆଜି ଭୋର ୪ଟାରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କ ବାହୁଡ଼ା ଯାତ୍ରା ନୀତି ଆରମ୍ଭ ହୋଇଛି।
ନୀତି ନିର୍ଘଣ୍ଟ:
ନୀତି ନିର୍ଘଣ୍ଟ ଅନୁଯାୟୀ, ସକାଳ ୭ଟାରୁ ୧୧ଟା ଭିତରେ ସେନାପଟା ଲାଗି ସରିବା ପରେ ୧୧ଟା ୪୫ ସୁଦ୍ଧା ମଙ୍ଗଳାର୍ପଣ ହେବ। ଏହାପରେ ଦିନ ୧୨ଟାରୁ ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇ ସାଢ଼େ ୨ଟା ମଧ୍ୟରେ ସରିବ। ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା ସୁଦ୍ଧା ଛେରାପହଁରା ପରେ ୪ଟାରୁ ଆରମ୍ଭ ହେବ ରଥଟଣା। ତେବେ ରଥଯାତ୍ରା ଭଳି ବାହୁଡ଼ାରେ ମଧ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ନୀତିକାନ୍ତି ସରିବ ବୋଲି କୁହାଯାଉଛି। ନିର୍ଦ୍ଧାରିତ ସମୟରେ ମହାପ୍ରଭୁଙ୍କ ରଥ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବ।
ଯାନବାହାନ ପାର୍କିଂ ବ୍ୟବସ୍ଥା:
ରଥ ଯାତ୍ରା ପରି ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପୁରୀରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ସମୁଦ୍ର ବେଳାଭୂମିଠୁ ନେଇ ବଡ଼ଦାଣ୍ଡ, ଶ୍ରୀମନ୍ଦିର ଆଖପାଖ ଅଞ୍ଚଳ, ସହରର ସବୁ ଗଳିକନ୍ଦିରେ ଛାଇ ଯାଇଛନ୍ତି ଓଡ଼ିଶା ପୁଲିସ୍ ସହ କେନ୍ଦ୍ରୀୟ ଫୋର୍ସ। ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୁରୀ ପୁଲିସ୍ ପକ୍ଷରୁ ଜାରି କରାଯାଇଛି ଆନିମେଟେଡ୍ ରୁଟ୍ ଚାର୍ଟ।ଭୁବନେଶ୍ୱରରୁ ଆସୁଥିବା ଚାରିଚକିଆ ଗାଡ଼ି ଉତ୍ତରା, ମାଳତୀପାଟପୁର ଦେଇ ତାଳବଣିଆ, ଭୁଦାନ ଛକ, ଇନଡୋର ଷ୍ଟାଡିୟମ୍ କିମ୍ବା ଆଇଟିଆଇ ପାର୍କିଂ ସ୍ଥଳରେ ରହିବେ। ସେମାନେ ବାଲିଘାଟ ଓ ବୀର ହରେକୃଷ୍ଣପୁର ଦେଇ ଫେରିବେ।ଭୁବନେଶ୍ୱରରୁ ବାଇକ୍ରେ ଆସୁଥିବା ଲୋକେ ଉତ୍ତରା, ମାଳତୀପାଟପୁର ପରେ ବାଟଗାଁ, ମଙ୍ଗଳାଘାଟ ଦେଇ ଓଲ୍ଡ ଜେଲ ଏରିଆ, ଜଗନ୍ନାଥବଲ୍ଲଭ କିମ୍ବା ମଶାଣି ଚଣ୍ଡି ଛକ ପାର୍କିଂ ସ୍ଥଳରେ ରହିବେ। ଆଉ ଜଟିଆବାବାଜୀ ଛକ ଓ ଅଠରନଳା ରୁଟ୍ ମାଳତୀପାଟପୁର ଦେଇ ସେମାନେ ଫେରିବେ।
ଅପରପକ୍ଷରେ ବ୍ରହ୍ମଗିରି ପଟୁ ଆସୁଥିବା ଚାରିଚକିଆ ଯାନ ମଙ୍ଗଳାଘାଟ ନିକଟରେ ପାର୍କିଂ କରିବେ। କୋଣାର୍କରୁ ଆସୁଥିବା ଗାଡ଼ି ତାଳବଣିଆରେ ପାର୍କିଂ କରିବେ। ବସ୍ ଓ ଟ୍ରେନ୍ରେ ଆସୁଥିବା ଯାତ୍ରୀମାନେ ମାଳତିପାଟପୁର ଓ ତାଳବଣିଆକୁ ଆସିବେ। ଏଠାରୁ ଯାତ୍ରୀଙ୍କୁ ବଡ଼ଦାଣ୍ଡ ପର୍ୟ୍ୟନ୍ତ ନେବା ଆଣିବା କରିବା ପାଇଁ ମୋଟ ୬୦ଟି ବସ୍ର ବ୍ୟବସ୍ଥା କରାଯାଇଛି।
Comments are closed.