Odisha Link
Bridging the Missing Links in Odisha

କାମ ଦେଉନି ପୁଲିସ ବ୍ୟବସ୍ଥାରେ ସଂସ୍କାର କାର୍ଯ୍ୟକ୍ରମ

ଭୁବନେଶ୍ବର : ଅପରାଧ ନିୟନ୍ତ୍ରଣ ପାଇଁ ସରକାର ଯେତେ ପଦକ୍ଷେପ ନେଉଛନ୍ତି ବୋଲି ଦୃଢୋକ୍ତି ପ୍ରକାଶ କରୁଛନ୍ତି,ତାର ସାମାନ୍ୟତମ ପ୍ରଭାବ ପଡୁନାହିଁ । ପ୍ରତିବର୍ଷ ଗୃହ ବିଭାଗ ପାଇଁ ବଜେଟ ଅର୍ଥ ବୃଦ୍ଧି, ପୁଲିସ ଆଧୁନିକୀକରଣ, ଜନସଚେତନତା ପାଇଁ ବିଭିନ୍ନ ସ୍ଲୋଗାନ୍ କିଛି ବି କାମ ଦେଉନି । ଅପରାଧ ସଂଖ୍ୟା କମିବା ପରିବର୍ତ୍ତେ ଉଦ୍‌ବେଗଜନକ ଭାବେ ବଢ଼ୁଛି । ବିଧାନସଭାରେ ଉପସ୍ଥାପିତ ହୋଇଥିବା ଗୃହ ବିଭାଗ ସ୍ଥାୟୀ କମିଟି ରିପୋର୍ଟ କହୁଛି, ୨୦୧୮ ମସିହାରେ ରାଜ୍ୟରେ ୧ ଲକ୍ଷ ୭ ହଜାର ୪୦୮ଟି ଧର୍ତ୍ତବ୍ୟ ଅପରାଧ ଘଟିଛି । ଯେଉଁଥିରେ ୧୩୭୮ଟି ହତ୍ୟା, ୨୧୨୦ଟି ଦଙ୍ଗା ଓ ୨୫୦୨ଟି ଦୁଷ୍କର୍ମ ମାମଲା ସାମିଲ ଅଛି । ସବୁଠାରୁ ବଡ଼ କଥା ହେଉଛି, ହତ୍ୟା, ଡକାୟତି, ଦୁଷ୍କର୍ମ ମାମଲା ଯଥେଷ୍ଟ ବୃଦ୍ଧି ପାଇଛି । ପୁଲିସ ତଦନ୍ତ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ରାଜ୍ୟରେ ଦଣ୍ଡ ବିଧାନ ହାର ମଧ୍ୟ କମ୍‌ ହେଉଛି ବୋଲି ଦର୍ଶାଇଛି ଗୃହ ବିଭାଗ ସ୍ଥାୟୀ କମିଟି ।
ବିଧାନସଭାରେ ଉପସ୍ଥାପିତ ହୋଇଥିବା ଗୃହ ବିଭାଗ ସ୍ଥାୟୀ କମିଟି ରିପୋର୍ଟ ଦର୍ଶାଇଛି, ୨୦୧୭ରେ ମୋଟ ୧ ଲକ୍ଷ ୩ ହଜାର ୮୬୬ଟି ଧର୍ତ୍ତବ୍ୟ ଅପରାଧ ମାମଲା ଦାୟର ହୋଇଥିଲା । ସେବର୍ଷ ୧୨୬୭ଟି ହତ୍ୟାକାଣ୍ଡ ଘଟିଥିବାବେଳେ ୨୦୧୮ରେ ଏହି ସଂଖ୍ୟା ବଢ଼ି ୧୩୭୮ ହୋଇଛି । ସେହିପରି ୨୦୧୭ରେ ୫୩୪ଟି ଡକାୟତି ହୋଇଥିବାବେଳେ ୨୦୧୮ରେ ଏହା ବଢ଼ି ୫୫୮ରେ ପହଞ୍ଚିଛି ।

Comments are closed.