ଶୋଇଛି ଶିକ୍ଷାବିଭାଗ: ୨୧୯ କଲେଜରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର!

ଭୁବନେଶ୍ବର: ରାଜ୍ୟର ୨୧୯ ଡିଗ୍ରୀ ଓ ପ୍ରଫେସନାଲ ମହାବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ପୂର୍ବରୁ ଯୁଗ୍ମ ନିରୀକ୍ଷଣ (joint inspection) କରାଇ ନାମଲେଖା ପାଇଁ ଅନୁମୋଦନ ଦିଆଯିବା କଥା। ୨୦୧୮ ନଭେମ୍ବର ମାସ ଠାରୁ ଏହି ସବୁ ମହାବିଦ୍ୟାଳୟ ଶିକ୍ଷା ବିଭାଗର ନିରୀକ୍ଷଣ (inspection) ଅପେକ୍ଷାରେ ଥିବା ବେଳେ ବିଭାଗୀୟ ଅବହେଳା ଯୋଗୁଁ ପ୍ରାୟ ୨୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏବେ ନାମଲେଖାରୁ ବଞ୍ଚିତ ହୋଇଛନ୍ତି।
ରାଜ୍ୟରେ ନାମଲେଖା ଋତୁ ଆରମ୍ଭ ହୋଇ ଯାଇଥିବା ବେଳେ ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସିଟ୍ ବୃଦ୍ଧି, ନୂଆ ମହାବିଦ୍ୟାଳୟ ପ୍ରତିଷ୍ଠା ଓ ନାମଲେଖା ଅନୁମତି ପ୍ରଦାନ ପାଇଁ ୨୧୯ଟି ମହାବିଦ୍ୟାଳୟ ଶିକ୍ଷାବିଭାଗ ପାଖରେ ୨୦୧୮ ନଭେମ୍ବର ୩୦ ପୂର୍ବରୁ ଆବେଦନ କରିଥିଲେ। ଏଥିରେ ୭୦ଟି ନୂଆ ଡିଗ୍ରୀ ମହାବିଦ୍ୟାଳୟ ଖୋଲିବା ପାଇଁ ଆବେଦନ ହୋଇଥିବା ବେଳେ ୫୩ଟି ଡିଗ୍ରୀ ମହାବିଦ୍ୟାଳୟରେ ସିଟ୍ ବୃଦ୍ଧି ପାଇଁ ଆବେଦନ କରାଯାଇଥିଲା। ସେହିପରି ୫୩ଟି ପ୍ରଫେସନାଲ କଲେଜ (ନୂଆ ମହାବିଦ୍ୟାଳୟ ଖୋଲିବା ଓ ସିଟ୍ ବୃଦ୍ଧି କରିବା) ପାଇଁ ମଧ୍ୟ ଆବେଦନ ହୋଇଥିଲା। ଅନୁରୂପ ଭାବେ ୪୩ଟି ମହାବିଦ୍ୟାଳୟରେ ବିଭିନ୍ନ କାରଣରୁ ନାମଲେଖା ବନ୍ଦ ପାଇଁ ଶିକ୍ଷାବିଭାଗ ନିଷ୍ପତ୍ତି ନେଇଥିବା ବେଳେ ବିଭାଗୀୟ ନିରୀକ୍ଷଣ ମାଧ୍ୟମରେ ସେମାନେ ଅନୁମତି ପାଇବାକୁ ଅପେକ୍ଷା କରି ବସିଛନ୍ତି।
୨୯ ଏପ୍ରିଲ ୨୦୧୯ରେ ଓଡ଼ିଶା ଶିକ୍ଷା ବିଭାଗ ସଚିବ ତଥା ଆୟୁକ୍ତ ଚିଠି ନମ୍ବର ୯୩୯୩ ମାଧ୍ୟମରେ ସମସ୍ତ ବିଶ୍ବବିଦ୍ୟାଳୟକୁ ଏକ ପତ୍ର ଲେଖିଥିଲେ। ଏଥିରେ ଜଣାଇ ଦିଆଗଲା ଯେ ଆବେଦନ କରିଥିବା ମହାବିଦ୍ୟାଳୟଗୁଡ଼ିକରେ (ଯେଉଁଠି ୩୦ ଏପ୍ରିଲ ୨୦୧୯ ସୁଦ୍ଧା ବିଭାଗୀୟ ନିରୀକ୍ଷଣ ହୋଇନାହିଁ) ୧ ମେ ୨୦୧୯ ଠାରୁ ଯୁଗ୍ମ ନିରୀକ୍ଷଣ କରାଯିବ। ଯୁଗ୍ମ ନିରୀକ୍ଷଣରେ ଉଚ୍ଚଶିକ୍ଷା ବିଭାଗର ନିରୀକ୍ଷଣ ଅଧିକାରୀ ଓ ସଂପୃକ୍ତ ବିଶ୍ବବିଦ୍ୟାଳୟର ପ୍ରତିନିଧି ରହିବେ। ଏହାର ଦେଢ଼ମାସ ପରେ ୧୨ ଜୁନ ୨୦୧୯ରେ ଶିକ୍ଷା ବିଭାଗର ଉଚ୍ଚ କ୍ଷମତା କମିଟି (HPC) ବସିଲା। ମାତ୍ର ଧୁଆମୂଳା-ଅଧୁଆମୂଳା ସମାନ ହେବା ପରି ସଚିବ ନିଜ ପୂର୍ବ ଚିଠିକୁ ଅମାନ୍ୟ କରି ସମସ୍ତ ମହାବିଦ୍ୟାଳୟରେ ଯୁଗ୍ମ ନିରୀକ୍ଷଣ ହେବ ବୋଲି HPCରେ ନିର୍ଦ୍ଦେଶ ଦେଲେ।
ଏହା ଭିତରେ ଆଉ ଏକ ମାସରୁ ଅଧିକ ସମୟ ବିତି ଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷହେଲାଣି। କିନ୍ତୁ ଏଯାବତ୍ ଶିକ୍ଷା ବିଭାଗ ଯୁଗ୍ମ ନିରୀକ୍ଷଣ କରୁନାହାନ୍ତି କିମ୍ବା ପୂର୍ବରୁ ବିଭାଗୀୟ ନିରୀକ୍ଷଣ ଶେଷ ହୋଇଥିବା ମହାବିଦ୍ୟାଳୟଗୁଡ଼ିକୁ ଅନୁମତି ଦେଉନାହାନ୍ତି। ଫଳରେ ନଭେମ୍ବର ୨୦୧୮ରୁ କାର୍ଯ୍ୟାଳୟ ଖୋଲି, କର୍ମଚାରୀ ନିଯୁକ୍ତି ଦେଇ ସରକାରଙ୍କ ଅନୁମତିକୁ ଅପେକ୍ଷା କରିଥିବା ୭୦ଟି ଡିଗ୍ରୀ ମହାବିଦ୍ୟାଳୟ ଓ ୫୩ଟି ପ୍ରଫେସନାଲ କଲେଜକୁ ନିରାଶ ହେବାକୁ ପଡ଼ିଛି। ଅନୁରୂପ ଭାବେ ସିଟ୍ ବୃଦ୍ଧି ଆଶାରେ ଛାତ୍ରଛାତ୍ରୀଙ୍କୁ ଅପେକ୍ଷା କରାଇଥିବା ୩୫ଟି ମହାବିଦ୍ୟାଳୟ ମଧ୍ୟ ନିରାଶ ହୋଇଛନ୍ତି। ସବୁଠାରୁ ପରିତାପର ବିଷୟ ପୂର୍ବରୁ ଅନୁମତି ପାଇଥିବା ଓ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଚାଲୁ ରଖିଥିବା ୪୩ଟି ମହାବିଦ୍ୟାଳୟ ମଧ୍ୟ ଅନୁମତି ନବୀକରଣ ପାଇନଥିବାରୁ ଚଳିତ ନାମଲେଖା ଋତୁରେ ନୂଆ ଛାତ୍ରଛାତ୍ରୀ ଗ୍ରହଣ କରିପାରୁନାହାନ୍ତି।
ଏହି ୨୧୯ ମହାବିଦ୍ୟାଳୟରୁ ଅଧିକାଂଶ ଗ୍ରାମାଞ୍ଚଳ ଓ ଜିଲ୍ଲା ସଦର ମହକୁମା ଆଦିରେ ରହଛି। ସହର ଆସି ବଡ଼ ବଡ଼ କଲେଜରେ ନାମଲେଖାଇବାକୁ ଅସମର୍ଥ ଶିକ୍ଷାନବିଶମାନଙ୍କ ପାଇଁ ଏହିସବୁ ମହାବିଦ୍ୟାଳୟ ହିଁ ଏକମାତ୍ର ଭରସା। ଏକ ଆକଳନ ଅନୁସାରେ ଶିକ୍ଷାବିଭାଗର ଏ ଖାମଖିଆଲ ନୀତି ଯୋଗୁଁ ପ୍ରାୟ ୨୦ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ନାମଲେଖାଇବା ଏବେ ଅନିଶ୍ଚିତତା ଘେରରେ।
ତେବେ ଶିକ୍ଷାବିଭାଗର ଭରସାଯୋଗ୍ୟ ସୂତ୍ରରୁ ଆମେ ଜାଣିବାକୁ ପାଇଲୁ ଯେ ଯୁଗ୍ମ ନିରୀକ୍ଷଣ ପାଇଁ ୨୦୧୮ରୁ ନିଷ୍ପତ୍ତି ହେଲାଣି। ବିଶ୍ବବିଦ୍ୟାଳୟରୁ କେଉଁ ପ୍ରତିନିଧି ଏଥିରେ ନିରୀକ୍ଷକ ରହିବେ ବୋଲି କୁଳପତିମାନଙ୍କୁ ଚିଠି କରାଯାଇଥିଲା। କୁଳପତିଙ୍କ ପକ୍ଷରୁ କୌଣସି ଉତ୍ତର ନ ମିଳିବାରୁ ଚଳିତ ବର୍ଷ ଫେବ୍ରୁଆରୀ ଓ ମେ ମାସରେ ଦୁଇଥର ରିମାଇଣ୍ଡର ପଠାଯାଇଛି। ଯୁଗ୍ମ ନିରୀକ୍ଷଣ ସମ୍ଭବ ହୋଇପାରୁ ନ ଥିବାରୁ ବିଭାଗୀୟ କର୍ତୃପକ୍ଷ ବିଭାଗୀୟ ନିରୀକ୍ଷଣ ମାଧ୍ୟମରେ ଅନୁମତି ଦେବାକୁ ନିଷ୍ପତ୍ତି ନେଇଥିଲା। ବହୁ ମହାବିଦ୍ୟାଳୟ ପାଇଁ ବିଭାଗୀୟ ନିରୀକ୍ଷଣ ବି ଶେଷ ହୋଇଥିଲା। ତେବେ ଜୁନ ମାସରେ ହୋଇଥିବା HPCରେ ହଠାତ ନିଷ୍ପତ୍ତି ବଦଳିଗଲା। ବିନା ଯୁଗ୍ମ ନିରୀକ୍ଷଣରେ କୌଣସି ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ସଚିବ ରୋକଠୋକ ଜଣାଇଦେଲେ।
ଚଳିତ ଜୁଲାଇ ୧୨ ତାରିଖରେ କେବଳ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ଯୁଗ୍ମ ନିରୀକ୍ଷଣ ପାଇଁ ନୋମିନିଙ୍କ ନାମ ଆସିଥିବା ବେଳେ ଏଯାଏଁ ଅନ୍ୟ ବିଶ୍ବବିଦ୍ୟାଳୟରୁ କୌଣସି ଉତ୍ତର ମିଳିପାରିନାହିଁ। ଏବେ ଶିକ୍ଷାବିଭାଗ ଓ ବିଶ୍ବବିଦ୍ୟାଳୟ ମଧ୍ୟରେ ତାଳମେଳ ଅଭାବରୁ ୨୧୯ ମହାବିଦ୍ୟାଳୟରେ ପ୍ରାୟ ୨୦ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କାନ୍ତାରକୁ ଚାଲିଯାଇଛି।
Comments are closed.