ସିଏ ପିନ୍ଧିଲେ, ଆମେ ଟେକିଲେ
ଆମେ ଓଡ଼ିଆ ବୋଲି ଗର୍ଭକରୁ!
ହଁ ଆପଣ ଠିକ୍ ପଢିଛନ୍ତି, ଆମେ ଓଡ଼ିଆ ବୋଲି ଗର୍ବ ନୁହେଁ ପ୍ରକୃତରେ ଗର୍ଭକରୁ। ଆପଣମାନେ ଆଜିକାଲି ସ୍କୁଲ୍ କଲେଜରେ ଝିଅମାନେ ଗର୍ଭବତୀ ହେବାର ଖବର ତ ପାଉଥିବେ! ତେବେ ଏ କଥା ସମସ୍ତେ ଜାଣିନଥିବେ କି ଗର୍ଭପାତରେ ମଧ୍ୟ ଆମେ ଆଗୁଆ। ଗର୍ଭରେ ମୁହଁ ପୂରାଇ ଝିଅଙ୍କୁ ଖୋଜି ମାରିବାରେ ବହୁ ଓଡ଼ିଆଙ୍କର ନିପୁଣତା ଅଛି।
ଆମ ଠାକୁର ଗର୍ଭଗୃହରେ ରହି ଆମକୁ ଦର୍ଶନ ଦିଅନ୍ତି। ଆମ ମାତୃଭୂମିର ଗର୍ଭକୁ ଖୋଳି ଆମେ ଭଲ ଲାଭ କମାଇଛୁ। ଖାସ୍ ସେଥିପାଇଁ ଆମର ମୁହଁରେ ଗୋଟେ କଥା ଗର୍ଭରେ ଆଉ ଗୋଟେ କଥା। ସେମିତି କିଛି ଦୃଶ୍ୟର ଚୋପାଛଡ଼ା ଆଲୋଚନା କରିବା ଏ ରଚନାଟିର ଉଦ୍ଦେଶ୍ୟ।
କେନ୍ଦ୍ରମନ୍ତ୍ରୀ ମହୋଦୟା ସମଲପୁରୀ ଶାଢ଼ୀ ପିନ୍ଧି ସଂସଦକୁ ଆସିଲେ ବୋଲି ଆମେ ଗର୍ଭରେ ଉଛୁଳି ପଡିଲୁ। ସତେ ଯେମିତି ସିଏ ଏହାକୁ ପିନ୍ଧି ଆମ ଓଡ଼ିଶାକୁ ଉପରକୁ ଟେକିଦେଲେ! ତେଣୁ ଆମେ ତାଙ୍କୁ କଇଁଆ କେନାରେ ଟେକିଲେ। ତା ହେଲେ ଆମ ନେତାମାନେ ତ ବହୁ ସମୟରେ ସଂସଦକୁ ଅଣଓଡ଼ିଆ ପୋଷାକ ପିନ୍ଧି ଯାଆନ୍ତି, ସେତେବେଳେ ଆମେ କାହାକୁ ଟେକୁ? କାହା ସଂସ୍କୃତିର ପ୍ରଚାର ପ୍ରସାର କରୁ?
ଏହା କ’ଣ ଆମ ଓଡିଆଙ୍କର ଜାତୀୟ ବସ୍ତ୍ର? ଏହାକୁ କଣ ଆମେ ବହୁଳ ଭାବରେ ପରିଧାନ କରୁ? ବିଶେଷ କରି ଏହି ପାଟଜାତୀୟ ବୁଣା ଶାଢ଼ୀର ଦାମ୍ ଏପରି ଯେ ଗୋଟିଏ ଗର୍ଭବତୀକୁ ପୋଷକଯୁକ୍ତ ଖାଦ୍ୟପାଇଁ ଦିଆଯାଉଥିବା ସର୍ବମୋଟ ଆର୍ଥିକ ସାହାଯ୍ୟକୁ ଖର୍ଚକଲେ ମନଲାଖି ଶାଢ଼ୀଟିଏ ମିଳିବା କଷ୍ଟ।
ଯେଉଁଠି ଲକ୍ଷାଧିକ ଲୋକ ଗର୍ଭ ପୂର୍ଣ୍ଣ କରିବା ପାଇଁ ଶସ୍ତା ଚାଉଳ, ଆହାର ଉପରେ ନିର୍ଭର କରନ୍ତି, ମାସିକ ତିନିଶହ ପାଂଚଶହ ଟଙ୍କାର ଭତ୍ତାରେ ଜୀବନ କାଟନ୍ତି, ସେଠାରେ ମନ୍ତ୍ରୀ ମହୋଦୟାଙ୍କ ଶାଢ଼ୀ ପିନ୍ଧାରେ କିଛି ଗର୍ବ କରିବାର ଅଛି କି?
ଏ ତୈଳମର୍ଦ୍ଦନ ଏବର ନୁହେଁ। ପୂର୍ବରୁ ମଧ୍ୟ ସେବର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଥରେ କାଳେ ଆମ ହାତବୁଣା ଶାଢ଼ୀ ପିନ୍ଧିଥିଲେ ବୋଲି ଆମେ ଆଜି ମଧ୍ୟ ମନେ ପକେଇ କୁତୁକୁତୁ ହେଉ।
ଶାହାରୁଖ ଖାନ୍ ଥରେ ଖୋର୍ଧା ଚେକ୍ ଗାମୁଛାରେ ତିଆରି ସାର୍ଟ୍ ପିନ୍ଧିଲେ ଆମେ ଆନନ୍ଦରେ ଗଦଗଦ।
ଯଦି ଓଡ଼ିଆ ଖାନା ଖାଇ କିଏ ସୋସିଆଲ ମିଡିଆରେ ପୋଷ୍ଟ୍ କଲା ତେବେ ଆମେ ଗର୍ଭିତ ହେଉ କି ଯାହା ହେଉ ଆଜ୍ଞା ଦୟାକରି ଆମ ଖାଦ୍ୟ ଖାଇଛନ୍ତି!
ଓଡ଼ିଆ କେହି ବିଦେଶୀ ମଦ୍ୟପାନର ଚିତ୍ରକୁ ପୋଷ୍ଟ୍ କଲେ ଏବେ ମଧ୍ୟ ଅନେକ ଗର୍ଭବତୀ ପରି ନକାରାତ୍ମକ ମନ୍ତବ୍ୟ ବାନ୍ତି ଓତ୍କାର କରନ୍ତି। କିନ୍ତୁ ଆମ ଦେଶୀମଦ ହାଣ୍ଡିଆ, ସଲପ କି ଚାଉଳି ପିଉଥିବାର ଚିତ୍ର ଯଦି କୋଉ ଅଣ ଓଡିଆ ପୋଷ୍ଟ୍ କରନ୍ତେ ତେବେ ବୋଧେ ଆମେ ଗର୍ଭରେ ଫାଟି ପଡ଼ନ୍ତେ!!
କିଶୋରୀମାନେ ସ୍ବଳ୍ପ ବିଶ୍ବାସରେ ଗର୍ଭବତୀ ହୋଇଯିବା ପରି ଆମେ ଓଡିଆମାନେ ଅଳ୍ପରେ ସନ୍ତୁଷ୍ଟି ହାସଲ କରି ଗର୍ଭିତ ହେଉଛେ କାହିଁକି??
Comments are closed.