Odisha Link
Bridging the Missing Links in Odisha

ଆଇନ ଶୃଙ୍ଖଳାକୁ ନେଇ ବିଧାନସଭାରେ ହୁଲ୍‌ସ୍ତୁଲ୍‌

ଭୁବନେଶ୍ୱର: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ବିଧାନସଭା ହୁଲ୍‌ସ୍ତୁଲ୍‌। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିବୃତି ଦାବିରେ ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ଗୃହରେ ସରକାରଙ୍କୁ ଘେରିଛନ୍ତି।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କେନ୍ଦ୍ରାପଡ଼ା ଗୁଳିକାଣ୍ଡ, ସିମୁଳିଆରେ ପଦ୍ମଲୋଚନ ପଣ୍ଡାଙ୍କ ପୁଅକୁ ଗିରଫ ଘଟଣା ସହ ପୁରୀ ଓ ସୁନ୍ଦରଗଡ଼ ଆଦି ଘଟଣା କଥା ଉଠାଇଥିଲେ। ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିବା ଏବଂ ଆକ୍ରୋଶ ରଖି ସିମୁଳିଆରେ ବିଜେପି ନେତା ପଦ୍ମଲୋଚନ ପଣ୍ଡାଙ୍କ ପୁଅକୁ ଗିରଫ କରାଯାଇଥିବା ନେଇ ସେ ଅଭିଯୋଗ କରିଥିଲେ। ସେହିପରି ରାଜ୍ୟରେ ଜଙ୍ଗଲ ରାଜ୍ ଚାଲିଥିବା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବିରେ ଗୃହରେ କଂଗ୍ରେସ ସଭ୍ୟ ହୋହଲ୍ଲା କରିବା ସହ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ। ତେବେ ବାଚସ୍ପତି ଗୃହକୁ ଅପରାହ୍ଣ ୩ଟା ଯାଏ ମୁଲତବି ଘୋଷଣା କରିଛନ୍ତି।
ଛାତ୍ରୀ ନିବାସରେ ଅସଦାଚରଣ ପ୍ରସଙ୍ଗକୁ ନେଇ ବିଜେପି ଦେଇଥିବା ମୁଲତବି ନୋଟିସ୍‌କୁ ଆଲୋଚନା ପାଇଁ ବାଚସ୍ପତି ଗ୍ରହଣ କରିଛନ୍ତି। ଯାହାର ଶୀର୍ଷକ ରହିଛି ‘ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ରୀନିବାସରେ ଅବ୍ୟବସ୍ଥା ଓ ଅସଦାଚରଣ’।

Comments are closed.