ପଦ୍ମଶ୍ରୀ ପ୍ରକାଶ ରାଓଙ୍କୁ ମାଗଣା ଚିକିତ୍ସା ସୁବିଧା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଚିକିତ୍ସା ବ୍ୟବସ୍ଥାର ତଦାରଖ ପାଇଁ କଟକ ଜିଲ୍ଲାପାଳଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।ପ୍ରକାଶଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।ଏବେ ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ସ୍ୱାସ୍ଥାବସ୍ଥା ସ୍ଥିର ରହିଛି। କଟକ ବଡ଼ ମେଡିକାଲ ଭେଷଜ ବିଭାଗର ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି।
ଗତକାଲି ଅନୁଗୁଳକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିବା ବେଳେ ହଠାତ୍ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କଟକ ବଡ଼ ମେଡିକାଲର ଜରୁରୀକାଳୀନ ଓ୍ୱାର୍ଡରେ ଚିକିତ୍ସା କରାଯାଇଥିଲା। ବର୍ତ୍ତମାନ ଭେଷଜ ବିଭାଗର ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି।
ପ୍ରକାଶ ରାଓଙ୍କର କଟକ ବକ୍ସି ବଜାରରେ ଏକ ଚା’ ଦୋକାନ ରହିଛି। ସେଥିରୁ ଉପାର୍ଜିତ ଧନରେ ସେ ବସ୍ତି ପିଲାଙ୍କ ପାଠପଢ଼ାରେ ଖର୍ଚ୍ଚ କରନ୍ତି। ସେଥିପାଇଁ ସେ ଏକ ସ୍କୁଲ ମଧ୍ୟ ପ୍ରତିଷ୍ଠା କରିଛନ୍ତି। ଏହାଛଡ଼ା ଶ୍ରୀ ରାଓ ବଡ଼ ମେଡିକାଲ୍ରେ ରୋଗୀଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି। ତେବେ ‘ମନକି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଡି. ପ୍ରକାଶ ରାଓଙ୍କ ଭୁୟସୀ ପ୍ରଶଂସା କରିବା ପରେ ସେ ଲୋକଲୋଚନକୁ ଆସିଥିଲେ।ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ।
Comments are closed.