ମୌସୁମୀ ଖେଳୁଛି ଲୁଚକାଳି : ବର୍ଷାକୁ ଚାହିଁ ଚାହିଁ ଚାଷୀ କୂଳ ହତାଶ
ବଲାଙ୍ଗୀର : ମୌସୁମୀ ଆସିଲା ପୁଣି କୁଆଡେ ଉଭେଇ ଗଲା । ବର୍ଷାକୁ ଚାହିଁ ଚାହିଁ ଚାଷୀ କୂଳ ହତାଶ । ବଲାଙ୍ଗୀରରେ ଧାନବିଲରେ ମାଟି ଫାଟି ଆଁ କଲାଣି । ଚଳିତ ବର୍ଷ ପୁଣି ମରୁଡ଼ି ହେବ ବୋଲି ଆଶଙ୍କା କଲେଣି ଚାଷୀ । ସେପଟେ ଜିଲ୍ଲା କୃଷି ଅଧିକାରୀ କହିଛନ୍ତି ଆଗାମୀ ୧୫ ଦିନ ମଧ୍ୟରେ ବର୍ଷା ହେଲେ ଚାଷ କାମ ଠିକ୍ ଭାବରେ ହୋଇପାରିବ ।
ମୌସୁମୀ ଆସିଲା, ଗାଏବ ହୋଇଗଲା । ଶୁଖିଲା ପଡ଼ିଛି ଜମି । ପୁଣି କୋଉଠି ହଳ ଲଙ୍ଗଳ ଧରି କ୍ଷେତରେ କାମ କରିବା ସହ ବର୍ଷାକୁ ଚାହିଁଛି ଚାଷୀ । ବଲାଙ୍ଗିରରେ ବିଭିନ୍ନ ସ୍ଥାନରେ ଧାନ ବୁଣା କାମ ଶେଷ । ହେଲେ ବର୍ଷାକୁ ଚାହିଁ ଚାହିଁ ଚାଷ କାମ ଆଗେଇପାରୁନି । ମୌସୁମୀ ଆସିବା ପରେ ଚାଷୀ ମୁହଁରେ ହସ ଫୁଟିଥିଲା । ଲଘୁଚାପ ପ୍ରଭାବରେ ଭଲ ବର୍ଷିଥିଲା । ହେଲେ ତା ପରେ ବର୍ଷାର ଦେଖାନାହିଁ । ଆଷାଢ଼ ତ ଶୁଖିଲା ଶୁଖିଲା ଗଲା । ଶ୍ରାବଣରେ ବି ସମାନ ଅବସ୍ଥା ।
ବଲାଙ୍ଗୀର ଜିଲ୍ଲା ବିଶେଷ ଭାବରେ ଚାଷ ଉପରେ ନିର୍ଭରଶୀଳ । ଚଳିତ ବର୍ଷ ଆବଶ୍ୟକତା ଠାରୁ ୩୧ ପ୍ରତିଶତ କମ୍ ବର୍ଷା ହୋଇଥିବା ରିପୋର୍ଟ ଦେଇଛି କୃଷି ବିଭାଗ । ଜୁନ୍ ମାସରେ ସର୍ବମୋଟ୍ ୨୦୩ ମିମି ବର୍ଷା ହେବାକୁ ଥିବା ବେଳେ ମାତ୍ର ୧୨୩ ମିମି ବର୍ଷା ହୋଇଛି । ସେହି ପରି ଜୁଲାଇ ମାସରେ ୩୬୩ ମିମି ବର୍ଷା ହେବାକୁ ଥିବା ବେଳେ ମାତ୍ର ୧୩୬ ମିମି ବର୍ଷା ଆକଳନ କରିଛି କୃଷି ବିଭାଗ । ବର୍ତ୍ତମାନ ଯେତିକି ପରିମାଣ ର ଚାଷ କାମ ଆଗେଇବା କଥା ତାହା ହୋଇନାହିଁ । ମୌସୁମୀ ଆସିବା ପରେ ଯେତକ ବର୍ଷା ହୋଇଥିଲା ପାଖା ପାଖି ୮୦ ହଜାର ହେକ୍ଟର ଜମିରେ ଧାନ ବୁଣା ସରିଥିବା କହିଛନ୍ତି କୃଷି ଅଧିକାରୀ। ଗତ ବର୍ଷ ମରୁଡି ମାଡରେ ଚାଷୀର ମେରୁଦଣ୍ଡ ଭାଙ୍ଗିଯାଇଥିଲା । ଏବର୍ଷ ଭଲ ବର୍ଷା ହୋଇଥିଲେ ଅଣ୍ଟା ସଳଖି ଛିଡା ହୋଇଥାଆନ୍ତା । ହେଲେ କୋପ କଲେ ଦେବତା ।
Comments are closed.