ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ବର : ଜାତୀୟ ରାଜପଥର ଟୋଲ୍ ଫି ପ୍ଲାଜାର ସବୁ ଲେନ୍ ଫାସ୍ଟ୍ୟାଗ୍ ଲେନ୍ରେ ପରିଣତ ହେବ । ଆସନ୍ତା ଡିସେମ୍ବର ପହିଲାରୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଜାତୀୟ ରାଜପଥ ଶୁଳ୍କ ନିୟମ, ୨୦୦୮ଅନୁଯାୟୀ ଟୋଲ୍ ପ୍ଲାଜାରେ ଥିବା ଫାସଟ୍ୟାଗ୍ ଲେନ୍ ଗୁଡ଼ିକରେ କେବଳ ଫାସଟ୍ୟାଗ୍ ଲାଗିଥିବା ଗାଡ଼ିଗୁଡ଼ିକ ଯା’ଆସ କରିଥାନ୍ତି ।
ଫାସଟ୍ୟାଗ୍ ଲାଗି ନଥିବା ଗାଡ଼ି ଗୁଡ଼ିକ ଯଦି ଏହି ଲେନ୍ରେ ଦେଇ ଯା’ଆସ କରନ୍ତି ତା’ହେଲେ ସେମାନଙ୍କଠାରୁ ଦୁଇଗୁଣ ଶୁଳ୍କ ଆଦାୟର ବ୍ୟବସ୍ଥା ନିୟମରେ ରହିଛି । ଜାତୀୟ ରାଜପଥର ପ୍ରତ୍ୟେକ ଟୋଲ୍ ପ୍ଲାଜାରେ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ମନ୍ତ୍ରାଳୟ ଏନ୍ଏଚ୍ଏଆଇକୁ ନିର୍ଦ୍ଦେଶ ଦେଇଛି । ତେବେ ଗୋଟିଏ ଲେନ୍କୁ ହାଇବ୍ରିଡ୍ ଲେନ୍ ଭାବେ ରଖାଯିବ ଯେଉଁଠି ଉଭୟ ଫାସଟ୍ୟାଗ୍ ଲାଗିଥିବା ଏବଂ ଲାଗି ନଥିବା ଗାଡ଼ି ଯାଆସ କରିବ । କିନ୍ତୁ ସେହି ଲେନ୍କୁ ଏକ ନିଦ୍ଦିଷ୍ଟ ସମୟସୀମା ମଧ୍ୟରେ ଫାସଟ୍ୟାଗ୍ ଲେନ୍ରେ ପରିଣତ କରାଯିବ ବୋଲି ମନ୍ତ୍ରାଳୟ ପକ୍ଷରୁ ଏନଏଚଏଆଇକୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନା ଅନୁସାରେ, ଫାସଟ୍ୟାଗ୍ ଗୁଡ଼ିକର ଗାଡ଼ିର ୱିଣ୍ଡସ୍କ୍ରିନରେ ଲାଗିଥାଏ । ଏଗୁଡ଼ିକ ରେଡିଓ ଫ୍ରିକ୍ବେନ୍ସି ଆଇଡେଣ୍ଟିଫିକେସନ ପ୍ରଯୁକ୍ତିରେ ନିର୍ମାଣ ହୋଇଛି । ଯେଉଁ ଗାଡ଼ିରେ ଫାସଟ୍ୟାଗ୍ ଲାଗିଥାଏ, ସେଗୁଡ଼ିକୁ ଟୋଲ ପ୍ଲାଜାରେ ଶୁଳ୍କ ଦେବା ପାଇଁ ଅଟକିବାକୁ ପଡ଼ି ନଥାଏ । ଡିଜିଟାଲ ମାଧ୍ୟମରେ ସେମାନେ ଶୁଳ୍କ ପ୍ରଦାନ କରିଥାନ୍ତି । ଫାସଟ୍ୟାଗ୍ ଗାଡ଼ି ଟୋଲ ଦେଇ ଯାତାୟାତ କରିବା ସମୟରେ ମାଲିକଙ୍କ ପ୍ରିପେଡ୍ କିମ୍ବା ସଞ୍ଚୟ ଆକାଉଣ୍ଟରୁ ଶୁଳ୍କ ଆପେ ପୈଠ ହୋଇଯାଇଥାଏ । କିନ୍ତୁ ଏବେ ଦେଖାଯାଉଛି ଫାସଟ୍ୟାଗ୍ ଲାଗି ନଥିବା ଗାଡ଼ିଗୁଡ଼ିକ ମଧ୍ୟ ଫାସଟ୍ୟାଗ ଲେନ୍ରେ ଯାଉଛନ୍ତି ।
ସେମାନେ ନଗଦ ଅର୍ଥରେ ଶୁଳ୍କ ପ୍ରଦାନ ଲାଗି କାଉଣ୍ଟରରେ ଅଧିକ ସମୟ ଠିଆ ହେଉଛନ୍ତି । ଏଥିଯୋଗୁ ଫାସଟ୍ୟାଗ୍ ଲେନ୍ରେ ବି ଗାଡ଼ି ଭିଡ଼ ହେଉଛି । ଫଳରେ ଫାସଟ୍ୟାଗ୍ ଲଗାଇବାର ମୌଳିକ ଉଦ୍ଦେଶ୍ୟ ସାଧିତ ହୋଇପାରୁନାହିଁ । ଡିଜିଟାଲ ଉପାୟରେ ଶୁଳ୍କ ପ୍ରଦାନ ଯେଉଁ ମାତ୍ରାରେ ବୃଦ୍ଧି ପାଇବା କଥା ତାହା ବି ହୋଇପାରୁନାହିଁ । ଏହାକୁ ଦୃଷ୍ଟିରେ ରଖି ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଏନଏଚଏଆଇକୁ ଉପରୋକ୍ତ ନିର୍ଦ୍ଦେଶ ଦେଇଛି । ଉକ୍ତ ନିଷ୍ପତ୍ତିକୁ ଉତ୍ତମଭାବେ କାର୍ଯ୍ୟକାରୀ କରିବା ପାଇଁ ଦେଶରେ ପର୍ଯ୍ୟାପ୍ତ ସଂଖ୍ୟାରେ ଫାସଟ୍ୟାଗର ଉପଲବ୍ଧତାକୁ ନିଶ୍ଚିତ କରିବା ନିମନ୍ତେ ମଧ୍ୟ ମନ୍ତ୍ରଣାଳୟ କହିଛି ।
Comments are closed.