‘ସୁପର ୩୦’ ପ୍ରଚାର ପାଇଁ ଭୁବନେଶ୍ବରରେ ଆନନ୍ଦ କୁମାର

ଭୁବନେଶ୍ବର: ବିହାରର ଚର୍ଚ୍ଚିତ ଗଣିତଜ୍ଞ ଓ ଶିକ୍ଷକ ଆନନ୍ଦ କୁମାର ଗତକାଲି ଭୁବନେଶ୍ବର ଆସିଥିଲେ। ନିଜର ସୁପର ୩୦ କାର୍ଯ୍ୟକ୍ରମ ମାଧ୍ୟମରେ ହଜାର ହଜାର ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ଜୀବନ ବଦଳେଇ ଦେଇଥିବା ଆନନ୍ଦ କୁମାର ‘ସୁପର ୩୦’ ସିନେମାର ପ୍ରଚାର ପାଇଁ ସାରା ଭାରତ ପରିକ୍ରମା କରୁଥିବା ବେଳେ କାଲି ଏଠାରେ ପହଞ୍ଚିଥିଲେ।
ଆନନ୍ଦଙ୍କ ଜୀବନ ସଂଘର୍ଷକୁ ନେଇ ନିର୍ମିତ ହ୍ରିତିକ୍ ରୋଶନଙ୍କ ଅଭିନୀତ ‘ସୁପର ୩୦’ ସିନେମା ପ୍ରମୋଶନ ପାଇଁ କାଲି ଅପରାହ୍ନ ୫ଟାରେ ସ୍ଥାନୀୟ କେଶରୀ ଟକିଜରେ ପହଞ୍ଚିଥିଲେ ଆନନ୍ଦ। ତାଙ୍କ ସହ ମିଶିବା ପାଇଁ ସିନେମା ହଲରେ ଦର୍ଶକମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ବିଶେଷ କରି ଯୁବ ପିଢ଼ି ତାଙ୍କୁ ପାଖରେ ପାଇ ବିହ୍ବଳ ହୋଇ ଯାଇଥିଲେ। ଆନନ୍ଦ କୁମାରଙ୍କ ସହ ଫଟୋ ଉଠାଇବା ପାଇଁ ଏକ ପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା କେଶରୀ ସିନେମା ହଲରେ। କିଏ ତାଙ୍କ ସହ ହାତ ମିଳାଉଥିଲେ ତ କିଏ ପାଦ ଛୁଇଁ ପ୍ରଣାମ କରୁଥିଲେ।
ଆନନ୍ଦଙ୍କ ସହ ତାଙ୍କ ସାନଭାଇ ପ୍ରଣବ କୁମାର, ଜିନ୍ଦଗୀ ଫାଉଣ୍ଡେସନ୍ ତଥା ଆଦ୍ୟାନ୍ତ ବିଜ୍ଞାନ ମହାବିଦ୍ୟାଳୟର ପ୍ରତିଷ୍ଠାତା ଅଜୟ ବାହାଦୂର ସିଂହ ମଧ୍ୟ କେଶରୀ ଟକିଜରେ ଉପସ୍ଥିତ ଥିଲେ। ଆଗାମୀ ଶିକ୍ଷା ବର୍ଷରୁ ଜିନ୍ଦଗୀ ଫାଉଣ୍ଡେସନ୍ ତଥା ନିଜର ବାଲ୍ୟବନ୍ଧୁ ଅଜୟ ବାହାଦୂରଙ୍କ ସହଯୋଗରେ ଆନନ୍ଦ କୁମାର ଓଡ଼ିଶାରେ ସୁପର ୩୦ ଭଳି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅର୍ଥାଭାବରୁ ଉଚ୍ଚଶିକ୍ଷାର ସୁଯୋଗ ନେଇ ପାରୁନଥିବା ଗରିବ ଓ ମେଧାବୀ ଓଡ଼ିଆ ଛାତ୍ରଛାତ୍ରୀ ଏ ଯୋଜନାର ଲାଭ ପାଇପାରିବେ ବୋଲି ଅଜୟ ବାହାଦୂର ସିଂହ କହିଛନ୍ତି। ଆନନ୍ଦଙ୍କ ଭଳି ସେ ମଧ୍ୟ ଆଦ୍ୟାନ୍ତ ମହାବିଦ୍ୟାଳୟ ଓ ଆକାଶ ଇନଷ୍ଟିଚ୍ୟୁଟରେ ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷାଦାନ କରି ଚର୍ଚ୍ଚାରେ ରହିଛନ୍ତି।
ପାଟନାର ଆନନ୍ଦ କୁମାରଙ୍କ ପିଲାଦିନ ଥିଲା ବେଶ୍ ଦୁଃଖଦାୟକ। ଅର୍ଥାଭାବ ଯୋଗୁ ସେ ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇଥିଲେ, କିନ୍ତୁ ମରିନଥିଲା ଶିଖିବାର ଓ ଶିଖାଇବାର ଝୁଙ୍କ୍। ତେଣୁ ଗରିବ ମେଧାବୀଙ୍କୁ ଆଇଆଇଟି ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ପଢ଼ିବାର ସୁଯୋଗ ଦେବା ପାଇଁ ସେ ଆରମ୍ଭ କରିଥିଲେ ଫ୍ରି କୋଚିଂ ସେଣ୍ଟର୍- ସୁପର ୩୦। ୨୦୦୮ରେ ସୁପର୍ ଥାର୍ଟି ପ୍ରୋଗ୍ରାମ୍ର ସମସ୍ତ ୩୦ ଜଣ ଛାତ୍ରଛାତ୍ରୀ ଆଇଆଇଟି-ଜେଇଇ କ୍ଲିୟର୍ କରିବା ପରେ ଏହା ଦେଶ ବିଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା।
ଆନନ୍ଦ କୁମାର ଏବେବି ଦେଶର କୋଣ ଅନୁକୋଣରୁ ପ୍ରତିବର୍ଷ ୩୦ ଜଣ ପିଲାଙ୍କୁ ବାଛି, ଘରେ ରଖି ପାଠ ପଢ଼ାଉଛନ୍ତି ଓ ସଫଳତାର ଶୀର୍ଷରେ ପହଞ୍ଚାଉଛନ୍ତି। ଯାହାଙ୍କ ତ୍ୟାଗ ଓ ସଂଘର୍ଷକୁ ଅତି ନିଖୁଣ ଭାବେ ପରଦାରେ ପ୍ରଦର୍ଶନ କରିଛନ୍ତି ହ୍ରିତିକ୍ ରୋଶନ୍। ବିକାଶ ବହଲ୍ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ହ୍ରିତିକ୍ ରୋଶନ୍ ଆନ୍ଦ କୁମାରଙ୍କ ଭୂମିକା ନିର୍ବାହ କରିଥିବା ବେଳେ ବୀରେନ୍ଦ୍ର ସାକ୍ସେନା, ପଙ୍କଜ ତ୍ରିପାଠୀ, ଆଦିତ୍ୟ ଶ୍ରୀବାସ୍ତବ, ମୃଣାଳ ଠାକୁର ପ୍ରମୁଖ ଅଭିନୟ କରିଛନ୍ତି। ଜୁଲାଇ ୧୨ରେ ରିଲିଜ୍ ହୋଇଥିବା ‘ସୁପର ୩୦’ ଇତି ମଧ୍ୟରେ ବେଶ୍ ଭଲ ବ୍ୟବସାୟ କରିଛି। ଭୁବନେଶ୍ବରରେ ମଧ୍ୟ ସିନେମାଟି ଯୁବପିଢ଼ିର ଦର୍ଶକଙ୍କ ମଧ୍ୟରେ ଚହଳ ସୃଷ୍ଟି କରିଛି।
Comments are closed.