ସଡ଼କ ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ
ଉମରକୋଟ : ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା-ପାପଡ଼ାହାଣ୍ଡି ରାସ୍ତାରେ ଏକ କାର୍ ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାଁ ରୋହିତ ଅଗ୍ରୱାଲ। ତାଙ୍କ ଘର ଉମରକୋଟ ସହରର ବୋଲି ଜଣାପଡ଼ିଛି। ଗତକାଲି ସକାଳେ ରୋହିତ ତାଙ୍କ ବ୍ୟବସାୟ କାମରେ କୋଡ଼ିଙ୍ଗା ଯାଇଥିଲେ। କାମ ସାରି ଘରକୁ ଫେରୁଥିବା ସମୟରେ ତାଙ୍କ କାର୍ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପାପଡ଼ାହାଣ୍ଡି ପୁଲିସ୍ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି।
ସୂଚନା ଅନୁସାରେ, ଗତ କିଛିଦିନ ତଳେ ରୋହିତଙ୍କ ସାନ ଭାଇ ଉମରକୋଟ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ପୁଅର ଏଭଳି ଅକାଳ ବିୟୋଗରେ ଭାଙ୍ଗି ପଡ଼ି ବାପା ମଧ୍ୟ ପ୍ରାଣ ହରାଇଥିଲେ। ଆଉ ଗତକାଲି ବିଧବା ମାଆର ଶେଷ ଆଶ୍ରା ରୋହିତଙ୍କର ବି ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗତକାଲିର ଏ ଘଟଣା ପରେ ପୂରା ଉମରକୋଟରେ ଶୋକର ଛାୟା ଖେଳିଯାଇଛି।
Comments are closed.