କବିଟିଏ ମରିଗଲା ପରେ
ବେଶି କିଛି ହୁଏନାହିଁ।
ଆଗ ପରି ଝରୁଥାଏ ଆକାଶରୁ
ଲଘୁଚାପ ବର୍ଷା, ଆଗ ପରି ରାସ୍ତାଘାଟ,
ଘୋ-ଘା’ ବଜାରରେ,
ଆଲୁଅକୁ ମୁହଁ କରି ଠିଆ ହେଲେ
ଏବେ ବି କାଟେ ଆଖିକି,
ଆଗ ପରି ବେଳେବେଳେ ଭୁଲିଯାଏ ଜଣେ
ନିଜର ଠିକଣା, ଦ୍ବିତୀୟ ଗଳିରେ ନ ଯାଇ
ଚାଲିଯାଏ ତିନି ନମ୍ବରରେ।
ଆଗପରି ଚାଲିଥାଏ ଚେଷ୍ଟା ଯେତେ
ଜିଇଁବାର, ଆଗପରି ଆଇନା ଆଗରେ
ଠିଆହେଇ ଖୋଜିଚାଲେ ନିଜ ମୁହଁ ଜଣେ,
ବଢ଼ିଚାଲେ ପେଟ୍ରୋଲ ଦର ଆଗପରି,
ସରିଯାଏ ଖରାଛୁଟି,
ଶୁଖିଆସେ ମାଟି ତଳୁ ପାଣି…
କିଛି ବି ବଦଳେ ନାହିଁ
ଆମ ଏଇ ଦୁନିଆରେ
କବିଟିଏ ମରିଗଲା ପରେ।
“ଗୋଟେ ଅଧେ ଶୋକସଭା,
ଦି’ଚାରିଟା ଶ୍ରଦ୍ଧାଞ୍ଜଳି ପ୍ରାୟ ଲେଖା,
ଖୁବ୍ ବେଶି ହେଲେ ସେ କବିର
ଗୋଟେ ଦି’ଟା ପୁରୁଣା କବିତା,
ଏତିକି ଯଥେଷ୍ଟ ହୁଏ
କବିଟିକୁ ଭୁଲିଯିବା ପାଇଁ?”
ବେଶି କିଛି ହୁଏନାହିଁ ଆମ ଏଇ ଦୁନିଆରେ
କବିଟିଏ
ମରିଗଲା ପରେ…
ବୋଧହୁଏ ଦୁନିଆକୁ ଠିକ୍ ଜଣାଥାଏ
କବି କେବେ ମରେନାହିଁ,
ମରିପାରେ ନାହିଁ,
କବି ପୁଣି ଫେରି ଆସେ
ଠିକ୍ ଆଗ ପରି
ଆମ ସବୁ ରୁଟିନକୁ ଅସ୍ଵୀକାର କରି,
କବି ପୁଣି ଠିଆହେଇ ଦୁନିଆର
ଯେତେସବୁ ଆଲୁଅ ଆଗରେ
ଖୋଜେ ନିଜ ମୁହଁ,
କବି ଖାଲି ବାଟ ଭୁଲି ଚାଲିଯାଇଥାଏ
ଦ୍ଵିତୀୟ ବଦଳେ ତୃତୀୟ ଗଳିରେ,
କବି ଖାଲି ମିଶିଯାଇଥାଏ
ଆମ ସବୁ ପୂର୍ଣଚ୍ଛେଦ ପରେ ବି
ବଳିପଡୁଥିବା ଅସରନ୍ତି ନିରବତାରେ।
(କବି ଅଶୋକ ଚନ୍ଦ୍ର ମହାପାତ୍ରଙ୍କ ସ୍ମୃତିରେ)
Comments are closed.