Odisha Link
Bridging the Missing Links in Odisha

ଅଶିଦ୍ଧ ଶିକ୍ଷାନୁଷ୍ଠାନରୁ ପ୍ରମାଣପତ୍ର ବଳରେ ନିଯୁକ୍ତି, ସିବିଆଇରେ ମାମଲା

ଯାଜପୁର : ଯାଜପୁର ଜିଲ୍ଲା ଶିକ୍ଷା ବିଭାଗରେ ସମ୍ପ୍ରତି ନକଲି ପ୍ରମାଣପତ୍ରର ଯାଞ୍ଚ ପ୍ରକ୍ରିୟା ଚାଲିଥିବାବେଳେ ଜିଲ୍ଲାର ବିଭିନ୍ନ ଶିଲ୍ପାନୁଷ୍ଠାନରେ ନକଲି ପ୍ରମାଣପତ୍ର ବଳରେ ଅନେକେ ଚାକିରି କରୁଥିବା ସୂଚନା ମିଳିଛି। ପୂର୍ବରୁ କଳିଙ୍ଗନଗର ଟାଟା ଷ୍ଟିଲ ଓ ଜିନ୍ଦଲ ଷ୍ଟେନଲେସ ଷ୍ଟିଲରେ ନକଲି ପ୍ରମାଣ ପତ୍ର ବଳରେ ନିଯୁକ୍ତି ପାଇଥିବା ଏକାଧିକ ବ୍ୟକ୍ତି ଧରାପଡ଼ି ଚାକିରିରୁ ବହିଷ୍କୃତ ହୋଇଛନ୍ତି। ଏଭଳିସ୍ଥିତିରେ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେଶନ ମଧ୍ୟଭାରତ ଗ୍ବାଲିୟର ପ୍ରମାଣପତ୍ର ଉପରେ ମଧ୍ୟ ଯାଞ୍ଚ ହେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଦାବି ହେଉଛି।
ସିବିଆଇ ଆଣ୍ଟି କରପ୍ସନ ବ୍ରାଞ୍ଚ ଏହି ନକଲି ଶିକ୍ଷାନୁଷ୍ଠାନ ବୋର୍ଡ ଅଫ ସେକାଣ୍ଡାରୀ ଏଜୁକେସନ ମଧ୍ୟଭାରତ ଗ୍ବାଲିୟର ନାମରେ ଆରସି ୧୨୦୨୦୧୮ଏ ୦୦୦୬ ଏବଂ ଆରସି ୦୦୬୨୧୮ ଏ ୦୦୧୭ରେ ଦୁଇଟି ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଉତ୍ତରପ୍ରଦେଶର ଆଲ୍ଲାବାଦ ଉଚ୍ଚନ୍ୟାୟଳୟ ନିର୍ଦ୍ଦେଶକ୍ରମେ ଏହି ମାମଲା ପଞ୍ଜିକୃତ ହୋଇଛି। ଏହି ଶିକ୍ଷାନୁଷ୍ଠାନ ନାମରେ ଅଭିଯୋଗ ହୋଇଛି ଯେ, ବିନା ପରୀକ୍ଷାରେ ଉକ୍ତ ଶିକ୍ଷାନୁଷ୍ଠାନ ଟଙ୍କା ପାଇଁ ଲକ୍ଷାଧିକ ସଂଖ୍ୟାରେ ମିଥ୍ୟା ମାର୍କସିଟ୍‌ ଓ ପ୍ରମାଣ ପତ୍ର ଦେଇ ଆସିଛି। ଏହି ଶିକ୍ଷାନୁଷ୍ଠା ଉତ୍ତରପ୍ରଦେଶ ଇଣ୍ଟରମେଡିଏଟ୍‌ ଏଜୁକେଶନ ଆକ୍ଟ ୧୯୨୧ ରେ ପଞ୍ଜିକୃତ ହୋଇଛି। ତେବେ ୨୦୧୧ରେ ଏହି ଶିକ୍ଷାନୁଷ୍ଠାନର କଳାକାରନାମା ଲୋକ ଲୋଚନକୁ ଆସିଥିଲା। ଏହା ପରେ ମାଧ୍ୟମିକ ଶିକ୍ଷାପରିଷଦ, ଉତ୍ତରପ୍ରଦେଶ ଏହି ଶିକ୍ଷାନୁଷ୍ଠାନର ସ୍ବୀକୃତିକୁ ପ୍ରତ୍ୟାହାର କରିଥିଲା। ଏହା ବାଦ ଏହି ନକଲି ଶିକ୍ଷାନୁଷ୍ଠାନ ନାମରେ କୌଣସି ଅନୁମତି କିମ୍ବା ସ୍ବୀକୃତି ଦେବାକୁ ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ (ଏମଏଚଆରଡି) ର ଶିକ୍ଷା ବିକାଶ ପକ୍ଷରୁ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ପରେ ମଧ୍ୟ ଭାରତ ଗ୍ବାଲିୟର ଶିକ୍ଷାନୁଷ୍ଠାନକୁ ଶିକ୍ଷା ବିଭାଗ ପକ୍ଷରୁ ପ୍ରତ୍ୟାହାର କରାଯାଇଥିଲା। ତଥାପି ଏହି ନକଲି ଶିକ୍ଷାନୁଷ୍ଠାନ ସାରା ଭାରତ ବର୍ଷରେ ମାର୍କସିଟ୍‌ ଓ ପ୍ରମାଣ ପତ୍ର ପ୍ରଦାନ ଜାରି ରଖିଛି। ସିବିଆଇ ତଦନ୍ତରେ ଆହୁରି ଜଣା ପଡିଛି ଯେ ଦେଶର ଅନେକ ରାଜ୍ୟ ଏହି ନକଲି ଶିକ୍ଷାନୁଷ୍ଠନ ପ୍ରମାଣ ପତ୍ରକୁ ଉଚ୍ଚଶିକ୍ଷା ପାଇଁ ଆଡମିଶନ ଏବଂ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ନିଯୁକ୍ତି କ୍ଷେତ୍ରରେ ସମାନତା ପ୍ରଦାନ କରୁଛନ୍ତି। ତେଣୁ ସିବିଆଇ ପକ୍ଷରୁ କୁହାଯାଇଛି ଯେ, ବୋର୍ଡ ଅଫ ସେକାଣ୍ଡାରୀ ଏଜୁକେଶନ ମଧ୍ୟଭାରତ ଗ୍ବାଲିୟର କକ୍ଷରୁ ଜାରି ହୋଇଥିବା ପ୍ରମାଣପତ୍ର ବଳରେ ଯେଉଁମାନେ ଚାକିରି କରୁଛନ୍ତି। ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ। ଏଥିରୁ ସ୍ପଷ୍ଟ ଯେ, କଳିଙ୍ଗନଗରର ଶିଳ୍ପାଞ୍ଚଳ ତଥା ବିଭିନ୍‌ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡିରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ତଥା ଅନ୍ୟାନ୍ୟ ରାଜ୍ୟର ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କ ପ୍ରମାଣପତ୍ର ନକଲି ହୋଇପାରେ। ତେଣୁ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ସମସ୍ତ ପ୍ରମାଣପତ୍ର ଯାଞ୍ଚ କଲେ ବାସ୍ତବଚିତ୍ର ଲୋକଲୋଚନକୁ ଆସିପାରିବ ବୋଲି ଦାବି ହେଉଛି। ଏ ସଂକ୍ରାନ୍ତରେ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆନ୍ଧ୍ରପ୍ରଦେଶ, ଜମ୍ମୁ ଓ କାଶ୍ମୀର, ବୁନ୍ଦେଲଖଣ୍ଡ, ଛତିଶଗଡ଼, ବାଙ୍ଗାଲୋର, ଗୁଲବରଗାଁ ପ୍ରଭୃତି ବିଶ୍ବବିଦ୍ୟାଳୟର ପ୍ରମାଣପତ୍ର ଯାଞ୍ଚ ଚାଲିଛି। ଏଯାଏ ମଧ୍ୟଭାରତ ଗ୍ବାଲିୟର ଶିକ୍ଷାନୁଷ୍ଠାନର ପ୍ରମାଣପତ୍ର ମିଳିନାହିଁ।

Comments are closed.