ଦୁଷ୍କର୍ମକାରୀଙ୍କ ଜିଭକୁ କାମୁଡି ଛିଡାଇ ନିଜକୁ ରକ୍ଷା କଲେ ଯୁବତୀ
![](https://www.odishalink.com/wp-content/uploads/2019/07/rape-atempt-in-running-car-on-ashram.jpg)
ଜୟପୁର : ଯୁବତୀଙ୍କ ଉପଯୁକ୍ତ ବୁଦ୍ଧି ଓ ଶାହାସ ଯୋଗୁ ଦୁଷ୍କର୍ମକାରୀଙ୍କ କବଳରୁ ନିଜକୁ ରକ୍ଷା କରିବା ସହ ସେମାନଙ୍କୁ ପୋଲିସ ହାତରେ ଧରାଇଦେବା ଏବେ ରାଜସ୍ଥାନ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି। ଗିରଫ ଅଭିଯୁକ୍ତ ସଚ୍ଚିନ ଶର୍ମା ହୋଇଥିବା ବେଳେ ସେ ବ୍ରିଜବିହାରର ଏକ ପ୍ରପର୍ଟି ଏଜେଣ୍ଟ ବୋଲି ଜଣାପଡିଛି।
ଘଟଣାଟି ଗୁରୁବାର ବିଳମ୍ବିତ ରାତ୍ରିରେ ଘଟିଥିଲା। ରାଜସ୍ଥାନ ଚିତ୍ରକୁଟ ଅଞ୍ଚଳରେ ରହି ବିବିଏ ପଢୁଥିବା ଆଗ୍ରାର ଜନୈକ ଯୁବତୀ ଆଶ୍ରମ ମାର୍ଗ ଜି-କ୍ଲବକୁ ଏକ ଜନ୍ମଦିନ ଉତ୍ସବରେ ଯୋଗଦେବାକୁ ଯାଇଥିଲେ। କାର୍ଯ୍ୟକ୍ରମ ବିଳମ୍ବ ହେବା ଯୋଗୁ ସେ ଘରକୁ ଫେରିବା ଲାଗି ଓଲା କ୍ୟାବ୍ ଡକାଇବାରୁ ରାତି ପ୍ରାୟ ୧ଘଣ୍ଟା ୧୨ ମିନିଟ୍ ରେ କ୍ୟାବ୍ ତାଙ୍କ ନିକଟରେ ପହ଼ଞ୍ଚିଥିଲା। ତେବେ ଡ୍ରାଇଭର ସହ କାରରେ ଅନ୍ୟ ଜଣେ ଯୁବକ ବି ଥିଲେ। ଏଣୁ କ୍ୟାବ୍ ରେ ଯୁବକଙ୍କୁ ଦେଖି ଯୁବତୀ ଆପତ୍ତି କରିବାରୁ ଡ୍ରାଇଭର ତାଙ୍କୁ ନିଜର ବନ୍ଧୁ ବୋଲି ପରିଚୟ ଦେବା ସହ ସେ ମଧ୍ୟ ଚିତ୍ରକୁଟ ନିକଟରେ ଓହ୍ଲାଇଯିବେ ବୋଲି କହିଥିଲେ। ଡ୍ରାଇଭରଙ୍କ କଥାରେ ଭରସା କରି ଯୁବତୀ କାରରେ ବସିବା ପରେ ନକଲି ବନ୍ଧୁକ ଦେଖାଇ ଯୁବକ ତାଙ୍କ ପ୍ରତି ଦୁଷ୍କର୍ମ ଉଦ୍ୟମ କରିଥିଲା। ଡ୍ରାଇଭର ସହ ଆଗ ସିଟ୍ ରେ ବସିଥିବା ଯୁବକ ଚଳନ୍ତା କାରରେ ପଛ ସିଟ୍ କୁ ଉଠି ଆସି ବନ୍ଧୁକ ମୁନରେ ଯୁବତୀଙ୍କ ପ୍ରତି ଅସଦାଚରଣ କରିଥିଲା। ତେବେ ଯୁବତୀ ହଡବଡେଇଯିବା ବଦଳେ ଶାହସର ସହ ତାର ମୁକାବିଲା କରିଥିଲେ। ଚୁମ୍ବନ ଦେବା ବାହାନାରେ ଯୁବକର ଜିଭକୁ ନିଜ ଦାନ୍ତରେ କାମୁଡି ଛିଡାଇ ଦେଇଥିଲେ ଯୁବତୀ। ଫଳରେ ଯୁବକ ଯନ୍ତ୍ରଣାରେ ଚିତ୍କାର କରିବାରୁ ଡ୍ରାଇଭର ଗାଡି ବ୍ରେକ କରିଥିଲେ। ଗାଡି ଅଟକିବା ମାତ୍ରେ ଯୁବତୀ ଓହ୍ଲାଇ ନିକଟସ୍ଥ ପୋଲିସ ଷ୍ଟେସନକୁ ଦୌଡି ପଳାଇଥିଲେ।
ଘଟଣା ସମ୍ପର୍କରେ ଯୁବତୀ ପୋଲିସକୁ ସୂଚନା ଦେବା ସହ ଯୁବକ ନିଜର ଚିକିତ୍ସା କରାଇବା ନିମନ୍ତେ ଆଖପାଖର କୌଣସି ହସ୍ପିଟାଲକୁ ନିଶ୍ଚିତ ଯାଇଥିବ ବୋଲି କହିଥିଲେ। ସେହି ଅନୁସାରେ ଡିସିପି ରାହୁଲ ଜୈନ ସହରର ସମସ୍ତ ହସ୍ପିଟାଲ ଓ କ୍ଲିନିକକୁ ତୁରନ୍ତ ସୂଚନା ଦେଇଥିଲେ। ଫଳରେ ଅଭିଯୁକ୍ତ ଚିକିତ୍ସା ପାଇଁ ପହଞ୍ଚିଥିବା ହସ୍ପିଟାଲର ସୂଚନା ମିଳିଯାଇଥିଲା। ପୋଲିସ ପହଞ୍ଚି ଯୁବକକୁ ଗିରଫ କରିଥିଲା। ତେବେ ହସ୍ପିଟାଲରେ ପୋଲିସକୁ ଦେଖି କ୍ୟାବ୍ ସହ ଡ୍ରାଇଭର ଖସି ପଳାଇଥିଲା। ହେଲେ ଯୁବତୀ କାରରେ ଛାଡି ଆସିଥିବା ତାଙ୍କ ମୋବାଇଲ ଫୋନ ଯୋଗୁ ପୋଲିସ କ୍ୟାକୁ ଲୋକେଟ କରିବା ସହ ଡ୍ରାଇଭର ସୁରେଶକୁ ମଧ୍ୟ ଗିରଫ କରିଛି। ସୁରେଶ ବିଦ୍ୟାଧର ନଗର କଚ୍ଚି ବସ୍ତିର ବାସିନ୍ଦା ବୋଲି ପୋଲିସ କହିଛି।
Comments are closed.