ମନେ ପଡ଼ନ୍ତି ସ୍ୱପ୍ନର ସୌଦାଗର, ଏବେବି ଝୁରୁଛି ଭାରତ
![](https://www.odishalink.com/wp-content/uploads/2019/07/apj-kalam.png)
ନୂଆଦିଲ୍ଳୀ: ଆଜି ହେଉଛି ‘ମିଶାଇଲ୍ ମ୍ୟାନ୍’ ତଥା ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ୪ର୍ଥ ଶ୍ରାଦ୍ଧ ବାର୍ଷିକ। ଆଜକୁ ଠିକ୍ ୪ବର୍ଷ ତଳେ ଅର୍ଥାତ୍ ୨୦୧୫ ମସିହା ଜୁଲାଇ ୨୭ ତାରିଖରେ ମିଶାଇଲ ମ୍ୟାନ୍ ମୃତ୍ୟୁବରଣ କରିଥିଲେ। ଏକ ସଭାରେ ଭାଷଣ ଦେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଭାଷଣ ଦେବା ସମୟରେ ଦୁନିଆରୁ ବିଦାୟ ନେଇଥିବା ଡକ୍ଟର ଏପିଜେ ଅବଦୁଲ କାଲାମଙ୍କ ବିଷୟରେ ଜାଣନ୍ତୁ କିଛି କଥା।
ମନେପଡ଼େ ଅବଦୁଲ କଲାମଙ୍କ କିଛି କଥା:
ଅବଦୁଲ କଲାମ ସିନା ପରଲୋକ ପ୍ରାପ୍ତି ହେଲେ କିନ୍ତୁ ଛାଡ଼ି ଯାଇଥିବା କିଛି କଥା ଏବେବି ଅମର ହୋଇ ରହିଛି। ଆସନ୍ତୁ ଜାଣିବା
- ‘ସ୍ୱପ୍ନ ତାହା ନୁହେଁ, ଯାହା ଶୋଇବା ସମୟରେ ଆସେ। ସ୍ୱପ୍ନ ତାହା, ଯାହା ଆମକୁ ଶୋଇବାକୁ ଦିଏନାହିଁ।’
- ‘ଆମ ସମସ୍ତଙ୍କ ପାଖରେ ସମାନ ପ୍ରତିଭା ନ ଥାଏ, ହେଲେ ନିଜ ପ୍ରତିଭାର ବିକାଶ ପାଇଁ ସମସ୍ତଙ୍କ ପାଖରେ ସମାନ ସୁଯୋଗ ରହିଥାଏ।’
- ‘ସଫଳତାର କାହାଣୀ ପଢ଼ ନାହିଁ, ଏଥିରୁ ଆପଣଙ୍କୁ କେବଳ ଏକ ବାର୍ତ୍ତା ମିଳିବ। ବିଫଳତାର କାହାଣୀ ପଢ଼, ଏହା ଆପଣଙ୍କୁ ସଫଳତାର ରାସ୍ତା ଦେଖାଇବ।’
ଏହିପରି ଭବ୍ୟ ବିଚାର ରଖୁଥିବା ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏ.ପି.ଜେ. ଅବଦୁଲ କଲାମ୍ ଇତିହାସରେ ନିଜର ଏକ ଅଲିଭା ଛାପ ଛାଡି ଯାଇଛନ୍ତି।
ମିଶାଇଲ ମ୍ୟାନ୍ ନାଁରେ ପ୍ରସିଦ୍ଧ ଡା. କଲାମ୍। ତାଙ୍କୁ ପିପୁଲ୍ସ ପ୍ରେସିଡେଣ୍ଟ୍ ମଧ୍ୟ କୁହାଯାଏ। ସେ କହୁଥିଲେ, ‘ଅପେକ୍ଷା କରୁଥିବା ବ୍ୟକ୍ତିଙ୍କୁ କେବଳ ତାହା ମିଳିଥାଏ, ଯାହା ଚେଷ୍ଟା କରିଥିବା ବ୍ୟକ୍ତି ଛାଡି ଯାଇଥାଏ’। ଏପରି ପ୍ରେରଣାଦାୟୀ କଥା ସେ ପିଲାମାନଙ୍କୁ କହୁଥିଲେ। ନିଜ ମୃତ୍ୟୁର କିଛି ମୁହୂର୍ତ୍ତ ପୂର୍ବରୁ ମଧ୍ୟ ସେ ଶିଲଂର ଆଇ.ଆଇ.ଏମ୍। ଛାତ୍ରଙ୍କୁ ସମ୍ବୋଧନ କରିବାକୁ ପହଞ୍ଚିଥିଲେ। ତାଙ୍କ ଡାଏରୀରେ ସବୁ ଦିନର କାର୍ଯ୍ୟକ୍ରମ ଲେଖା ହୋଇଥାଏ। ଏପରିକି ୬ ମାସ ପରେ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ମଧ୍ୟ ସେ ଆରମ୍ଭ କରି ଦେଇଥାନ୍ତି କାମ।
ଜୀବନ ଯାତ୍ରା:
୧୯୩୧ ମସିହା ଅକ୍ଟୋବର ୧୫ ତାରିଖରେ ତାମିଲନାଡୁର ରାମେଶ୍ୱରମଠାରେ ଧନୁଷକୋଡି ନାମକ ଗାଁର ଏକ ମଧ୍ୟବିତ୍ତ ମୁସଲମାନ ପରିବାରରେ ତାଙ୍କର ଜନ୍ମ ହୋଇଥିଲା। ନିଜର ବୁଦ୍ଧି ଓ କଠିନ ପରିଶ୍ରମ ବଳରେ ସେ ବିଜ୍ଞାନ ଶିକ୍ଷାରେ ପ୍ରସିଦ୍ଧି ହାସଲ କରିଥିଲେ ଏବଂ ଭାରତର ରାଷ୍ଟ୍ରପତି ପଦରେ ଅଧିଷ୍ଠିତ ହୋଇପାରିଥିଲେ। କେବଳ ଏତିକି ନୁହେଁ, ସେ ପ୍ରମାଣ କରିଦେଇଥିଲେ ଯେ, ଯଦି କୌଣସି ଲକ୍ଷ୍ୟକୁ ପାଇବା ପାଇଁ ମଣିଷ ଦୃଢ଼ ସଂକଳ୍ପ ନେଇଥାଏ, ତେବେ ତାହା ପାଇବା କିଛି ଅସମ୍ଭବ ନୁହେଁ। ୧୯୬୩ ମସିହାରେ ସେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ (ISRO)ରେ ଜଡ଼ିତ ହୋଇ ଭାରତକୁ ଶକ୍ତଶାଳୀ ରାଷ୍ଟ୍ର ବନାଇବାରେ ଯୋଗଦାନ ଦେଇଥିଲେ ଏବଂ ସାଟେଲାଇଟ୍ ଲଞ୍ଚ ଭେହିକିଲ୍ (SLV) ପ୍ରୋଜେକ୍ଟରେ ମଧ୍ୟ ସାମିଲ ହୋଇଥିଲେ।
ଏହାପରେ ୧୯୮୨ରେ ପ୍ରତିରକ୍ଷା ଗବେଷଣା ବିକାଶ ସଂସ୍ଥା ବା ଡିଆରଡିଓ (DRDO)ରେ ତାଙ୍କ ନେତୃତ୍ୱରେ ଭାରତ ନାଗ, ପୃଥିବୀ, ଆକାଶ, ତ୍ରିଶୂଳ ଏବଂ ଅଗ୍ନି ଭଳି କ୍ଷେପଣାସ୍ତ୍ରର ବିକାଶ କରିଥିଲା। ଏ ଦିଗରେ ଦକ୍ଷତାର ସହ କାମ କରିବା ପରେ ସାରା ଦେଶରେ ସେ ମିଶାଇଲ୍ ମ୍ୟାନ ଭାବେ ପରିଚିତି ହାସଲ କରିଥିଲେ। ୧୯୭୭ ମସିହାରେ ତାଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନରେ ଭୁଷିତ କରାଯାଇଥିଲା। ଏହାପରେ ୨୦୦୨ ମସିହାରେ ଦେଶର ପ୍ରଥମ ନାଗରିକ ପଦ ଲାଭ କରିଥିଲେ। ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ସେ ଭାରତର ରାଷ୍ଟ୍ରପତି ଥିଲେ। ସେ ୱିଙ୍ଗସ୍ ଅଫ୍ ଫାୟାର, ଇଗନାଇଟେଡ୍ ମାଇଣ୍ଡସ୍ ଏବଂ ଇଣ୍ଡିଆ ୨୦୨୦ ପରି ଅନେକ ପ୍ରେରଣାଦାୟକ ପୁସ୍ତକର ଲେଖକ। ଏ ସବୁ ବହି ବିଶେଷତଃ ଛାତ୍ରଛାତ୍ରୀ ତଥା ଦେଶର ଯୁବପିଢ଼ି ପାଇଁ ପ୍ରେରଣାର ଉତ୍ସ ପରି କାମ କରି ଆସିଛି।
Comments are closed.