Odisha Link
Bridging the Missing Links in Odisha

ଆସନ୍ତା ଦୁଇବର୍ଷ ମଧ୍ୟରେ ସମସ୍ତ ଜିଲ୍ଲାରେ ଉପଲବ୍ଧ ହେବ ଆଇସିୟୁ ସେବା

ଭୁବନେଶ୍ବର : ଆସନ୍ତାବର୍ଷ ମାର୍ଚ୍ଚ ମାସ ସୁଦ୍ଧା ୧୯ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ସୁବିଧା ଉପଲବ୍ଧ ହେବାକୁ ଯାଉଥିବା ବେଳେ ୨୦୨୧ ସୁଦ୍ଧା ସବୁ ଜିଲ୍ଲାକୁ ଏହା ସଂପ୍ରସାରିତ ହେବ । କର୍କଟ, ମଧୁମେହ, କାର୍ଡିଓ ଭାସ୍କୁଲାର ଓ ହୃଦ୍‌ଘାତର ନିରାକରଣ ଓ ନିୟନ୍ତ୍ରଣ ପାଇଁ ଜାତୀୟ ଯୋଜନା ଏନପିସିଡିସିଏସ୍‌ ଟାସ୍କଫୋର୍ସ କାର୍ଯ୍ୟକାରୀ ହେଉଛି । ଏହାର ପ୍ରଥମ ରାଜ୍ୟସ୍ତରୀୟ ବୈଠକ ଗତକାଲି ଅନୁଷ୍ଠିତ ହୋଇଥିଲା । ଟାସ୍କଫୋର୍ସର ଅଧ୍ୟକ୍ଷ ତଥା ସ୍ବାସ୍ଥ୍ୟ ସଚିବ ଡା. ପ୍ରମୋଦ କୁମାର ମେହେର୍ଦାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବା ସହିତ ଏହି ଯୋଜନା ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇଥିଲା । ଏବେ ଜୀବନଶୈଳୀରେ ପରିବର୍ତନ ଯୋଗୁଁ ଅନେକ ଲୋକ କର୍କଟ, ମଧୁମେହ ଓ ହୃଦ୍‌ଘାତ ଭଳି ଅଣସଂକ୍ରମିତ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏ ସବୁ ରୋଗର ନିୟନ୍ତ୍ରଣ, ନିରାକରଣ ଓ ଚିକିତ୍ସା ପାଇଁ ବୈଠକରେ କେତେକ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ଏହି ଜାତୀୟ ଯୋଜନାରେ କେବଳ କନ୍ଧମାଳ ଜିଲ୍ଲାରେ ଶବ୍ଦ ନିରୋଧୀ କୋଠରି ରହିଛି । ଆସନ୍ତା ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହା ୩୦ ଜିଲ୍ଲାକୁ ସଂପ୍ରସାରିତ ହେବ । ‌ଚଳିତ ଆର୍ଥିକ ବର୍ଷ ଶେଷସୁଦ୍ଧା ଏସ୍‌ସିବି ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଇଏନ୍‌ଟି ବିଭାଗରେ ଦୁଇଟି ଟେମ୍ପୋରାଲ ବୋନ୍ ପରୀକ୍ଷାଗାର ପ୍ରତିଷ୍ଠା ହେବ । ମେଡିକାଲ ଅଫିସର ଓ ଷ୍ଟାଫ୍‌ ନର୍ସମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଡେ-କେୟାର କେମୋଥେରାପି ସେବା ଯୋଗାଇ ଦିଆଯିବ । ଏବେ ୨୬ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହା ଉପଲବ୍ଧ ହେଉଛି ।ଚଳିତ ଆର୍ଥିକ ବର୍ଷରେ ବୟସ୍କ ଲୋକଙ୍କ ଚିକିତ୍ସା ଲାଗି ଥିବା ୧୦ ଶଯ୍ୟା ବିଶିଷ୍ଟ ଜେରିଆଟିକ୍ ୱାର୍ଡ ୧୩ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସଂପ୍ରସାରିତ ହେବ । ଏବେ ୮ଟି ଜିଲ୍ଲାରେ ଏହି ସୁବିଧା ଉପଲବ୍ଧ ହେଉଛି । ସେହିପରି ଚଳିତବର୍ଷ ସେପ୍ଟେମ୍ବର ସୁଦ୍ଧା କ୍ୟାପିଟାଲ ହସ୍ପିଟାଲ ଓ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କର୍କଟରୋଗୀଙ୍କ ଉପଶମ ସେବା ଉପଲବ୍ଧ ହେବ। ପରବର୍ତୀ ସମୟରେ ଏହା ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରିବ ।

Comments are closed.