ଲୁଟେରାଙ୍କ ଆତଙ୍କରାଜ ପ୍ରତିବାଦରେ ତାତିଲେ ଲୋକେ

ଭୁବନେଶ୍ବର : ଗତକାଲି ରାଜଧାନୀରେ ରାତି ଅଧରେ ଜଣେ ବ୍ୟବସାୟୀଙ୍କୁ ଖଣ୍ଡାରେ ହାଣି ଲୁଟେରା ଲୁଟିବା ପରେ, ଆଜି ତାତିଛନ୍ତି ସ୍ଥାନୀୟ ଲୋକେ । ପ୍ରତିବାଦରେ ରସୁଲଗଡ ଛକରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ । ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଲୋକମାନେ । ଫଳରେ ଭୁବନେଶ୍ୱରରୁ କଟ , ଭୁବନେଶ୍ୱରରୁ ପୁରୀ ଗାଡି ଚଳାଚଳ କିଛି ଅଂଶରେ ପ୍ରଭାବିତ ହୋଇଛି ।
ରାତିରେ ବହୁ କର୍ମଜୀବୀ ଲୋକ ନିଜ କର୍ମ ସଂସ୍ଥାନରୁ ଫେରୁଛନ୍ତି । ଏପରି ସ୍ଥିତିରେ ଜାତୀୟ ରାଜପଥରେ ଲୁଟେରାଙ୍କ ଏପରି ରାଜ୍ , ସାଧାରଣ ଲୋକଙ୍କ ଧନଜୀବନକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । କମିଶନରେଟ୍ ପୋଲିସର ଅଂଚଳରେ ମଂଚେଶ୍ୱର ଥାନା ଠାରୁ ମାତ୍ର ୨୦୦ ମିଟର ଦୂରରେ ଏଭଳି କାଣ୍ଡ । ଗତକାଲି ବିଳମ୍ୱିତ ରାତିରେ ରସୁଲଗଡ ଛକରେ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟିଲେ ଲୁଟେରା । ରସୁଲଗଡ ଗାଁ ଛକରେ ଘଟିଛି ଏପରି ଏକ ଲୁଟ୍ । ଆକ୍ରମଣରେ ଗୁରୁତର ହୋଇଥିବା ବ୍ୟବସାୟୀ ହେଉଛନ୍ତି ରସୁଲଗଡ ଛକରେ ଥିବା ତୃପ୍ତି ହୋଟେଲ ମାଲିକ ବୁଲୁ ସାମନ୍ତରାୟ । ତାଙ୍କ ମୁଣ୍ଡ ଓ ଶରୀରରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରସୁଲଗଡ ଛକରେ ଗତକାଲି ରାତି ୧୨ଟାରେ ୪ ଜଣ ଯୁବକ ଦୁଇଟି ବାଇକରେ ପିଛା କରି ଆକ୍ରମଣ କରି ଲୁଟ୍ କରିଥିଲେ ।
କେବଳ ରସୁଲଗଡ ଛକରେ ବ୍ୟବସାୟୀଙ୍କୁ ଲୁଟ୍ ନୁହଁ, ମଙ୍ଗଳବାର ରାତିରେ ରାଜଧାନୀରେ ଲୁଟେରା ଘଟାଇଛନ୍ତି ଏକାଧିକ ଲୁଟ୍ । ଲାଗୁଛି ଯେମିତି ରାତି ବଢିଲେ ଏବେ ଲୁଟେରାଙ୍କ ରାଜ୍ ବଢୁଛି । କମିଶନରେଟ୍ ପୋଲସିର ନାକ ତଳେ ଲୁଟେରା କାହାକୁ ହାଣୁଛନ୍ତି, ତ କାହାକୁ ଭୟଭୀତ କରି ଲକ୍ଷ, ଲକ୍ଷ ଟଂକା ଓ ସୁନାଗହଣା ଲୁଟିନେଉଛନ୍ତି ।
Comments are closed.