ପଞ୍ଜୁରୀ
ପ୍ରହଲ୍ଲାଦ ଶତପଥୀଙ୍କ କବିତା
ପଞ୍ଜୁରୀ
ରୋଟି ସଜା ହେଇଛି
ଜହ୍ନ ପରିକା ଆକାଶରେ
ଚିନି ଦାନା ପରି
ତାରା ସବୁ ବିଞ୍ଛା ସରିଛି,
ପଞ୍ଜୁରୀ ଭିତରେ ବନ୍ଦ ଶୁଆକୁ
କେମିତି ବୁଝେଇବି
କିଛି ବି ନାଇଁ ଆମ ହାତ ପାଆଂତାରେ
ଡିବିରି ଜଳୁଛି ତ ଜଳୁ
ତେଲ ଥିବା ଯାଏଁ ମୁଁ ଜଳିବି
ଜାଳିବି ଏକାକୀତ୍ବକୁ
ମୁକୁଳେଇବାକୁ ଯେ ଅଛି ଆଲୁଅ
ଦଶଦିଗର ଅନ୍ଧାରଠୁ
ପକ୍ଷୀଙ୍କୁ, ପଞ୍ଜୁରୀଠୁ
ସୁଆଦିଆ ଦାନା ଖୁମ୍ପିବାର ଯେ ଅଛି
କେହି ଜଣେ ଆକାଶଠୁ
ଓହ୍ଲେଇବ ଗଛକୁ,
ଗଛରୁ ଡାଳକୁ
ଡାଳରୁ ମାଟିକୁ ଓ ଖୁମ୍ପିବ
ପଞ୍ଜୁରୀ ଭିତରେ ବଂଦ ଶୁଆ ଦେଖୁଥିବ
ବଡ଼ି ଭୋରରୁ
ଦିନେ ଗାତରୁ
ବାହାରିବେ ସେମାନେ
ଦଳ ଦଳ ହୋଇ,
ଶୁଣ୍ଢରେ ଟେକିବେ ଯିଏ ଯା’ର ପୃଥିବୀ,
ଶବ୍ଦର ଦାନା
ଓ ପଶିଯିବେ
ଅନ୍ୟ ଏକ ଗାତକୁ
ଜହ୍ନ ପଶିଯିବ ମେଘର ବଖରାରେ
ତାରା ଯେତେ
ଯିଏ ଯା’ର ଠିକଣା ଜାଗାରେ
ମୁଁ ମୋର ଆଖିକୁ ସାଇତି ରଖିଥିବି
ପଞ୍ଜୁରୀରେ
ଭୋକକୁ, ଲୋଭକୁ
ଟାଣି ନେଉଥିବି ପିମ୍ପୁଡ଼ି ପରି
ଆଉ ଏକ ସକାଳ ପାଇଁ
ଅନ୍ୟ ଏକ ଗାତକୁ
ସଳିତା ଅଗରେ ଜଳୁଥିବା ଆଲୁଅ
ସବୁ ଦେଖୁଥିବ।
Comments are closed.