ବନ୍ଧୁତ୍ୱର ଅମୂଲ୍ୟ ବାର୍ତ୍ତା: ଦୁଃଖ ଭୁଲି ସୁଖ ମନେ ରଖିବା
ଭୁବନେଶ୍ବର: ଯିଏ ସୁଖଦୁଃଖରେ ସବୁବେଳେ ପାଖରେ ଥାଏ। ବନ୍ଧୁର ହୃଦୟ କାନ୍ଦିଲେ ମନର କଥା ବୁଝିପାରେ। ସାରା ଦୁନିଆ ସାଥ୍ ଛାଡିଦେଲେ ଯିଏ ସାଙ୍ଗରେ ଥାଏ। ସେ ହେଉଛି ବନ୍ଧୁ। ରାଗ,ରୁଷା, ଅଭିମାନ ସବୁ କିଛି ଥାଏ। ହେଲେ ସେ ସମ୍ପର୍କ ନିଆରା। ରକ୍ତର ସମ୍ପର୍କ ଠାରୁ ବି ବେଶ୍ ଗଭୀର ବନ୍ଧୁତା। ବନ୍ଧୁକୁ ଭଲଭାବେ ବୁଝିବାକୁ ହେଲେ ପ୍ରଥମେ ସଂପର୍କର ପ୍ରକୃତ ଅର୍ଥ ବୁଝିବା ନିତ୍ୟାନ୍ତ ଆବଶ୍ୟକ। କାରଣ ଯେକୌଣସି ସଂପର୍କକୁ ଆରମ୍ଭ କରିବା ଯେତିକି ସହଜ ତାହାକୁ ଭାଙ୍ଗିବା ମଧ୍ୟ ଆହୁରି ସହଜ। ମାତ୍ର ସଂପର୍କକୁ ସବୁଦିନ ପାଇଁ ଅତୁଟ ରଖିବା କଷ୍ଟସାଧ୍ୟ। ଏହାକୁ ଅତୁଟ ରଖିବାକୁ ହେଲେ ପ୍ରଥମେ ସଂପର୍କର ପରିଭାଷା ବୁଝିବା ଆବଶ୍ୟକ।
ଏହି ଅମୂଲ୍ୟ ସମ୍ପର୍କର ପରିଭାଷକୁ ନେଇ ଏ କାହାଣୀ
ଦୁଇ ସାଙ୍ଗ ଥରେ ମରୁଭୂମି ବୁଲିଯିବାକୁ ମନସ୍ଥ କଲେ ଏବଂ ପରେ ଏକଦା ମରୁଭୂମି ବୁଲିବାକୁ ବାହାରିଲେ। ମରୁଭୁମି ଯିବାକୁ ନେଇ ଦୁଇ ବନ୍ଧୁ ବେଶ୍ ଉତ୍ସାହିତ ମଧ୍ୟ ଥିଲେ। କିଛି ବାଟ ଯିବା ପରେ କୌଣସି ଏକ ଛୋଟ କଥାକୁ ନେଇ ଦୁହିଁଙ୍କ ମଧ୍ୟରେ କଳହ ହେଲା। ଏହି ସମୟରେ ଜଣେ ସାଙ୍ଗ ଅନ୍ୟ ସାଙ୍ଗଟିକୁ ଏକ ଚାପୁଡ଼ା ମାରିଲା। ଚାପୁଡ଼ା ଖାଇଥିବା ସାଙ୍ଗଟିକୁ ଦୁଃଖ ଲାଗିଲା ଓ କିଛି ନ କହି ତଳେ ବସି ବାଲିରେ ଲେଖିଲା ଆଜି ମୋ ପ୍ରିୟ ସାଙ୍ଗ ମତେ ମାରିଲା। ଏହାପରେ ପୁଣି ଦୁଇ ସାଙ୍ଗ ଆଗକୁ ଚାଲିବାକୁ ଲାଗିଲେ।
ଆଗକୁ ବଢିବା ପରେ ଦୁଇ ସାଙ୍ଗ ଗୋଟିଏ ହ୍ରଦରେ ସ୍ନାନ କରିବାକୁ ସ୍ଥିର କଲେ। ସ୍ନାନ କରିବା ସମୟରେ ଯେଉଁ ସାଙ୍ଗଟି ଚାପୁଡ଼ା ଖାଇଥିଲା ସେ ବୁଡ଼ିବାକୁ ଲାଗିଲା। ସେହି ସମୟରେ ଅନ୍ୟ ସାଙ୍ଗଟି ତା’କୁ ପାଣିରୁ ବହୁ କଷ୍ଟରେ ଟାଣି ବାହାରକୁ ଆଣି ତା’ର ଜୀବନ ବଞ୍ଚାଇଲା। ଏହାପରେ ସେହି ଚାପୁଡ଼ା ଖାଇଥିବା ସାଙ୍ଗଟି ତଳେ ବସି ଏକ ପଥରରେ ଲେଖିଲା ଆଜି ମୋ ପ୍ରିୟ ସାଙ୍ଗ ମୋ ଜୀବନ ବଞ୍ଚାଇଲା। ଏହା ଦେଖି ଚାପୁଡ଼ା ମାରିଥିବା ସାଙ୍ଗଟି ପ୍ରଶ୍ନ କଲା ମୁଁ ମାରିବା ସମୟରେ ତୁ ବାଲିରେ ଲେଖିଲୁ ଓ ଜୀବନ ବଞ୍ଚାଇଲି ତାହା ତୁ ପଥରରେ ଲେଖିଲୁ, ଏହାର କାରଣ କ’ଣ? ଏହା ଶୁଣି ତା’ର ସାଙ୍ଗଟି ଉତ୍ତର ଦେଲା ଯେତେବେଳେ ଆମକୁ କେହି ଦୁଃଖ ଦେଇଥାଏ, ତାହାକୁ ଆମେ ବାଲିରେ ଲେଖିବା ଉଚିତ। ଯାହା ପବନରେ ଲିଭିଯିବ। ମାତ୍ର ଯେ ଆମ ପାଇଁ ଭଲ କାମ କରେ ତାହାକୁ ଆମେ ପଥରରେ ଲେଖିବା ଉଚିତ, କାରଣ ତାହାକୁ କେହି ଲିଭାଇପାରିବେ ନାହିଁ।
Comments are closed.