୧୫୦ ଛାତ୍ରୀଙ୍କ ଚୁଟି କଟାଇଲେ ସ୍କୁଲ୍ ପ୍ରିନସିପାଲ୍

ହାଇଦ୍ରାବାଦ: ଦେଶର ବଡ଼ ବଡ଼ ସହରରେ ଏବେ ଜଳ ଅଭାବ ଦେଖାଯାଉଛି। ସେହିପରି ତେଲେଙ୍ଗାନାର ମେଣ୍ଡକ ଅଞ୍ଚଳରେ ମଧ୍ୟ ଜଳ ଅଭାବ ଖବର ସାମ୍ନାକୁ ଆସିଛି। ହେଲେ ତେଲେଙ୍ଗାନାର ମେଣ୍ଡକରେ ଥିବା ଏକ ଆଦିବାସୀ ସ୍କୁଲରେ ଏଭଳି ଅଭାବନୀୟ ଘଟଣା ଘଟିଛି। ହଷ୍ଟେଲରେ ସବୁବେଳେ ପାଣିର ଅଭାବ ରହୁଥିଲା। ଏହି ପାଣି ସମସ୍ୟାର ସମାଧାନ କରିବାକୁ ଯାଇ ସ୍କୁଲର ପ୍ରିନସିପାଲ୍ କେ. ଅରୁଣା ଜୋର ଜବରଦସ୍ତି ୧୫୦ ଛାତ୍ରୀଙ୍କ ଚୁଟି କାଟି ଛୋଟ କରି ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି।
ହଷ୍ଟେଲରେ ସବୁବେଳେ ପାଣି ଅଭାବ ରହୁଥିବାରୁ ଛାତ୍ରୀଙ୍କ ମୁଣ୍ଡର ଚୁଟି କାଟି ଛୋଟିଆ କରି ଦେଇଛନ୍ତି ଏକ ଗୁରୁକୁଳ ଆବାସିକ ସ୍କୁଲର ପ୍ରିନସିପାଲ୍। ଏଭଳି ଅଭିଯୋଗ କରିଛନ୍ତି ହଷ୍ଟେଲରେ ରହୁଥିବା ଛାତ୍ରୀ ଏବଂ ତାଙ୍କ ଅଭିଭାବକ। ଏହି ଘଟଣା ରବିବାର ଘଟିଥିଲେ ମଧ୍ୟ ମଙ୍ଗଳବାର ଛାତ୍ରଙ୍କ ଅଭିଭାବକ ମାନେ ସ୍କୁଲକୁ ଆସିବା ପରେ ପୂରା ଘଟଣା ବାବଦରେ ଜଣାପଡ଼ିଥିଲା। ଏକ ଇଂଲିଶ ସମ୍ବାଦପତ୍ର ଏ ନେଇ ଦାବି କରିଛି ଯେ ଛାତ୍ରୀଙ୍କ ଚୁଟି କାଟିବା ପାଇଁ ସ୍କୁଲର ପ୍ରିନସିପାଲ୍ ଦୁଇ ଜଣ ଭଣ୍ଡାରୀଙ୍କୁ ଆଣିଥିଲେ। ଏଥିପାଇଁ ଛାତ୍ରୀଙ୍କୁ ୨୫ ଟଙ୍କା ଲେଖାଏ ଦେବାକୁ ପ୍ରିନସିପାଲ କହିଥିଲେ।
ମଙ୍ଗଳବାର ଛାତ୍ରୀଙ୍କ ଅଭିଭାବକମାନେ ସ୍କୁଲକୁ ଆସି ପ୍ରିନସିପାଲ କେ ଅରୁଣାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ପ୍ରିନସିପାଲ୍ ସମସ୍ତ ଅଭିଯୋଗକୁ ଖାରଜ କରିଥିଲେ। ସେ କହିଥିଲେ କିଛି ଛାତ୍ରୀଙ୍କୁ ଚର୍ମ ରୋଗ ହୋଇଥିଲା। ତେଣୁ ପଵିଷ୍କାର ପରିଚ୍ଛନ୍ନ ରହିବା ପାଇଁ ସେମାନଙ୍କ ଚୁଟି କଟାଯାଇଛି। ପାଣି ସମସ୍ୟା ପାଇଁ ସେମାନଙ୍କ ଚୁଟି କଟାଯାଇ ନାହିଁ ବୋଲି ସ୍କୁଲ୍ ପ୍ରିନସିପାଲ୍ ଗଣମାଧ୍ୟମକୁ କହିଛନ୍ତି। ଏବେ ଜିଲ୍ଲା ପ୍ରଶାସନ ପୁରା ଘଟଣାର ତଦନ୍ତ କରୁଛି।
Comments are closed.