ଆଜି ଯିଏ ବହି ଜାଳୁଛି, କାଲି ମଣିଷ ମାରିବ
ଶୁଭ୍ରାଂଶୁ ପଣ୍ଡାଙ୍କ ସ୍ତମ୍ଭ ‘ଶୁଭସ୍ବର’
ଆଜି ଯିଏ ବହି ଜାଳୁଛି, କାଲି ମଣିଷ ମାରିବ
୨୦୧୦ ମସିହାରେ ଯେତେବେଳେ ବୋଆ ସିନିଅର ନାମ୍ନୀ ଆଣ୍ଡାମନ ମହିଳା ପ୍ରାଣ ହରାଇଲେ, ଗୋଟିଏ ଭାଷା ଭୂପୃଷ୍ଠରୁ ସମ୍ପୂର୍ଣ୍ଣ ଲୋପ ପାଇଗଲା। କାରଣ ବୋଆ ସିନିଅର୍ ଥିଲେ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜର ବିଲୁପ୍ତ ‘ବୋ’ ଭାଷା କହୁଥିବା ଶେଷ ବ୍ୟକ୍ତି। ତେବେ ମାଟିତଳୁ ଉଦ୍ଧାର ବିସ୍ମୃତ ଓ ବିଧ୍ବଂସ ସଭ୍ୟତାର କାଣିଚାଏ ସନ୍ତକକୁ ଆମେ ସଗର୍ବେ ସଂଗ୍ରାହାଳୟରେ ସାଇତି ନିଜର ଇତିହାସ ବାବଦରେ ଗର୍ବ କରିବା ଭଳି ଆମର ସୌଭାଗ୍ୟ, ବୋଆ ସିନିଅରଙ୍କ ମୃତ୍ୟୁ ପୂର୍ବରୁ ସେ ଭାଷାକୁ ଲିପିବଦ୍ଧ କରିନେଇଥିଲେ ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟର ଭାଷା ଗବେଷିକା ଅନ୍ବିତା ଆବି।
କେବଳ ବୋ ଭାଷା ନୁହେଁ, ପୃଥିବୀରୁ ଏମିତି ହଜାର ହଜାର ଭାଷା ନିଶ୍ଚିହ୍ନ ହୋଇଯାଇଛନ୍ତି। ପ୍ରଫେସର ଅନ୍ବିତାମାନଙ୍କର ଅଭାବ ହେତୁ ସେ ଭାଷା ସବୁର କାଣିଚାଏ ବି ସନ୍ତକ ଆମେ ଆମ ପର ପିଢ଼ି ପାଇଁ ସାଇତି ପାରିନାହେଁ।
ଏକ ଅନ୍ତର୍ଜାତୀୟ ଆକଳନ ଅନୁସାରେ ବିଶ୍ବରେ ୭୦୦୦ରୁ ଅଧିକ ଭାଷା ଥିବା ବେଳେ ଏସିଆରେ ୨୩୦୦ ଓ ଆଫ୍ରିକାରେ ୨୦୦୦ ଭାଷା ରହିଛି। ବିଶ୍ବରେ ଏବେ ୪୦୦୦ ଭାଷା ଲୁପ୍ତପ୍ରାୟ ଅବସ୍ଥାରେ ଥିବା ବେଳେ ଭାରତର ୪୦ଟି ଅଛନ୍ତି। ଏକ ଦେଶୀୟ ଆକଳନ ଅନୁସାରେ (ଗବେଷକ ଗଣେଶ ନାରାୟଣ ଦେବୀ) ଭାରତରେ ଛୋଟବଡ଼ ୧୦୦୦ରୁ ଅଧିକ ଭାଷା ଥିଲା। ଏଥିରୁ ୨୫୦ଟି ଭାଷା ଗତ ୬୦ ବର୍ଷରେ ଲୋପ ପାଇଯାଇଛି। ଆଉ ୬୦୦ ଭାଷା ଲୁପ୍ତପ୍ରାୟ ଅବସ୍ଥାରେ ଥିବା ବେଳେ ପ୍ରାୟ ୧୮୦ଟି ଭାଷାର ସ୍ଥିତି ଅପେକ୍ଷାକୃତ ଭଲ ଅଛି।
ତେବେ ଯାହା ବି ହେଉ ଅନ୍ତର୍ଜାତୀୟ ମାନକ ଅନୁସାରେ ଚୀନା ଭାଷା ଠାରୁ ଆରମ୍ଭ କରି ପାକିସ୍ତାନର ବଲୁଚି ଭାଷା ପର୍ଯ୍ୟନ୍ତ ୯୧ଟି ପ୍ରମୁଖ ଓ ବହୁସଂଖ୍ୟକ ଲୋକଙ୍କ ଦ୍ବାରା ବ୍ୟବହୃତ ଭାଷା ରହିଛି। ଆମର ସୌଭାଗ୍ୟ ଏ ତାଲିକାରେ ଓଡ଼ିଆ ଭାଷା ବିଶ୍ବରେ ୩୭ତମ ସ୍ଥାନରେ ରହିଛି। ଅର୍ଥାତ ବିଶ୍ବର ପ୍ରମୁଖ ୩୭ଟି ଭାଷା ମଧ୍ୟରେ ଆମର ଭାଷା ଅନ୍ୟତମ। ଏ ଆମ ପାଇଁ ଗୋଟିଏ ଆଶ୍ବାସନା। ଏହି ୯୧ ସମୃଦ୍ଧ ଭାଷା ତାଲିକାରେ ଭାରତରୁ ୧୭ଟି ଭାଷା ଓ ଓଡ଼ିଶାରୁ ଏକମାତ୍ର ଓଡ଼ିଆ ଭାଷା ରହିଛି। ଏ ତାଲିକାରେ ସବା ତଳେ (୯୧ତମ ସ୍ଥାନରେ) ରହିଛି ପାକିସ୍ତାନର ବଲୁଚି ଭାଷା ଯାହାର ବ୍ୟବହାରକାରୀଙ୍କ ସଂଖ୍ୟା ଏକ କୋଟିରୁ କମ।
ଆଜି ସାରା ଦେଶ ସ୍ବାଧୀନତା ଦିବସ ପାଳନରେ ଉତ୍ସବମୁଖର ଥିବା ବେଳେ ଓଡ଼ିଶାରେ ଗୋଟିଏ ବଡ଼ ଅପ୍ରୀତିକର ଓ ଭାଷାବିଦ୍ବେଷୀ ଘଟଣା ଘଟିଛି। ସେଇ ପ୍ରସଙ୍ଗର ଅବତାରଣା କରିବା ପୂର୍ବରୁ ମୁଁ ଏ ଭାଷା ସମ୍ବନ୍ଧୀୟ ସୂଚନା ତକ ଦେଲି। ଆର୍ଏନଆଇ ଅନୁମୋଦନ ପାଇଥିବା ‘ବେନି’ ନାମକ ଏକ କୋଶଳି/ସମ୍ବଲପୁରୀ ପତ୍ରିକା ବା ଏହାର ନାମ ବ୍ୟବହାର କରି ଅନ୍ୟ କେହି ବର୍ଷେ ତଳେ ୨୦୧୮ ଅଗଷ୍ଟ ୨୬ ତାରିଖରେ ‘ବେନି’ ନାମକ ୟୁଟ୍ୟୁବ୍ ଚାନେଲରେ ଗୋଟିଏ ଭିଡିଓ ଛାଡ଼ିଥିଲେ। ଭିଡିଓ ତଳେ ଓଡ଼ିଆ ଭାଷାକୁ ନିନ୍ଦା କରାଯାଇ ଲେଖା ଥିବା ବେଳେ ଭିଡିଓରେ କେହି ଜଣେ ମଧୁସୂଦନ ରାଓଙ୍କ ଭଣିତ ଓଡ଼ିଆ ବର୍ଣ୍ଣବୋଧକୁ ପୋଡ଼ୁଛନ୍ତି। ତେବେ ସେହି ଭିଡିଓଟିକୁ ‘ବେନି’ର ଫେସବୁକ ପୃଷ୍ଠାରେ ଓ ‘କୋଶଳି ସାହିତ୍ୟ ଡଟ୍ ଇନ୍’ ନାମକ ଅନ୍ୟ ଏକ ଫେସବୁକ୍ ପୃଷ୍ଠାରେ ଆଜି ସକାଳୁ ସେୟାର କରାଯାଇଛି।
ଓଡ଼ିଆଙ୍କ ପାଇଁ ବର୍ଣ୍ଣବୋଧ ହେଉଛି ଆଦ୍ୟପାଠ, ଓଡ଼ିଆ ଅବବୋଧରେ ଅନ୍ୟତମ ଶିଖର ପୁସ୍ତକ। ଓଡ଼ିଆ ଭାଷାର ନିନ୍ଦାଗାନ ଓ କୋଶଳ ଉପଭାଷାର ପ୍ରଶଂସା କରିବାକୁ ଯାଇ ବେନି ଅନୁଷ୍ଠାନ ସହ ଜଡ଼ିତ ବ୍ୟକ୍ତିମାନେ ଏଭଳି ଏକ ଐତିହ୍ୟ-ହନନ କାର୍ଯ୍ୟ କରିଛନ୍ତି।
ପଶ୍ଚିମ ଓଡ଼ିଶାର ଭାଷା କୋଶଳି ନା ସମ୍ବଲପୁରୀ ଏ ନେଇ ଦ୍ବନ୍ଦ୍ବ ରହିଥିଲେ ବି ଆମ ରାଜ୍ୟର ଏହା ଆଉ ଏକ ଭାଷା। ଏହା ସରକାରଙ୍କ ଅଷ୍ଟମ ଅନୁଚ୍ଛେଦରେ ଗୃହୀତ ହେବା ଆମ ପାଇଁ ଗର୍ବର ବିଷୟ। ତେବେ ଗୋଟିଏ ଭାଷାର ଗୌରବ ବଖାଣିବା ପାଇଁ ନିଜେ ବ୍ୟବହାର କରୁଥିବା ଆଉ ଏକ ଗଣଭାଷାକୁ ତିରସ୍କାର କରିବା କି ବଡ଼ିମାର ବିଷୟ? ନୂଆଖାଇ ପର୍ବ, ମା’ ସମଲେଇ ସଂସ୍କୃତିକୁ ଓଡ଼ିଶାବାସୀ ସଗର୍ବେ ଆପଣେଇଥିବା ବେଳେ ପୂର୍ବୋକ୍ତ ବ୍ୟକ୍ତିଙ୍କ ଭଳି ଏକ କୁଚକ୍ରୀ ଗୋଷ୍ଠୀ କିଛି ମାସ ତଳେ ରଜ ପର୍ବ ପାଳନକୁ ଅନୁରୂପ ବିରୋଧ କରିଥିଲେ।
ଓଡ଼ିଆଙ୍କ ବର୍ଣ୍ଣବୋଧ ପୋଡ଼ିବା, ଆମ ଛାତିରେ ଛୁରୀ ମାରିବା ଭଳି କଥା। ଯେଉଁ ବହିକୁ ପଢ଼ି ପ୍ରତିଟି ଓଡ଼ିଆ ଅକ୍ଷର ଓ ଭାଷା ଶିଖିବା ଆରମ୍ଭ କରନ୍ତି, ଯେଉଁ ବହିର ଲିପିକୁ ଏବେ ବି କୋଶଳି ବା ସମ୍ବଲପୁରୀ ଭାଷାର ଲିପି ଭାବେ ବ୍ୟବହାର କରାଯାଏ, ସେହି ବହିକୁ ପୋଡ଼ାଯିବା ଏକ ଜାତୀୟ ଅପରାଧ। ଅଞ୍ଚଳ ନିର୍ବିଶେଷରେ ବହୁ ବୁଦ୍ଧିଜୀବୀ, ଲେଖକ, ଭାଷାପ୍ରେମୀ ଏଭଳି ବହିପୋଡ଼ା ଘଟଣାକୁ ନିନ୍ଦା କରିଥିବା ବେଳେ କିଛି ଥୋବରା ସାହିତ୍ୟିକ ଏବେ ବି କଥାକୁ ବୁଲେଇ ବାଙ୍କେଇ ଏହାକୁ ଏକ ପୁରୁଣା ଓ ଗୁରୁତ୍ବହୀନ ପ୍ରସଙ୍ଗ କହି ଏଡ଼େଇଯିବାକୁ ବସିଛନ୍ତି।
ପୂର୍ବରୁ ମୁଁ ଭାଷା ସମ୍ପର୍କିତ କିଛି ତଥ୍ୟ ରଖିଛି। କିଛି ଭାଷା ପ୍ରତି ସହଜରେ ବିପଦ ନଥିବା ବେଳେ କୋଶଳି ଭଳି କିଛି ଭାଷା ନିଜ ସ୍ଥିତିକୁ ନେଇ ସନ୍ଦେହୀ କାହିଁକି? ଏହାର ଉତ୍ତର ହେଉଛି, ସେମାନେ ନିଜ ଭାଷାର ଦୁର୍ବଳତାକୁ ଜାଣନ୍ତି ଓ ଅନ୍ୟ ଭାଷାର ସମୃଦ୍ଧି ଦେଖି ଅସହିଷ୍ଣୁ ହୁଅନ୍ତି। ଗୋଟିଏ ଭାଷା ସମୃଦ୍ଧ ହେବା ପାଇଁ ପ୍ରଥମ କାରଣ ହେଉଛି ଅଧିକରୁ ଅଧିକ ବ୍ୟବହାର। ତେବେ ଯେଉଁ ଭାଷା ସବୁ ମରିଯାଉଛି ତାହା ପଛରେ ବଡ଼ କାରଣଟି ହେଉଛି ସେ ସବୁ ଭାଷାର ଲିଖିତ ପାଠ (written text) ନାହିଁ ବା ଖୁବ କମ ରହିଛି। ଓଡ଼ିଆ ଭାଷାରେ ଲକ୍ଷାଧିକ ପ୍ରସାରଣ ଥିବା ୧୦ରୁ ଅଧିକ ସମ୍ବାଦପତ୍ର ଥିବା ବେଳେ ୫ ଲକ୍ଷରୁ ଅଧିକ ସମୃଦ୍ଧ ବହି ରହିଛି। ସେ ସବୁ ମଧ୍ୟରୁ ବହୁ ବହି ବିଭିନ୍ନ ଭାଷାକୁ ଅନୂଦିତ ହୋଇ ଦେଶବିଦେଶରେ ପ୍ରସିଦ୍ଧ ବି ହୋଇଛି। କେବଳ ସେତିକି ନୁହେଁ, ଏ ଭାଷାର ହଜାର ହଜାର ବର୍ଷର ପରମ୍ପରା, ସାହିତ୍ୟ ରହିଛି। ତଦ୍ଭବ ଓ ତତ୍ସମ ଶବ୍ଦ ବ୍ୟତୀତ ନିଜସ୍ବ (ଯାହା କି ଅନ୍ୟ କୌଣସି ଭାଷରେ ନାହିଁ) ବହୁ ଶବ୍ଦ ରହିଛି। ଏ ଭାଷା ଦେଶର ୬ଟି ଶାସ୍ତ୍ରୀୟ ଭାଷା ମଧ୍ୟରୁ ଅନ୍ୟତମ। ଏ ଭାଷାରେ ହଜାର ହଜାର ସିନେମା ତିଆରି ହୋଇଛି। ଏ ଭାଷାର ସଂଗୀତ ସମୃଦ୍ଧ ହୋଇଥିବା ବେଳେ ଏହାକୁ ଶାସ୍ତ୍ରୀୟ ମାନ୍ୟତା ଦିଆଯିବା ପାଇଁ ମଧ୍ୟ ଉଦ୍ୟମ ଚାଲିଛି।
ଏଭଳି ଏକ ସମୃଦ୍ଧ ଭାଷାକୁ ଇର୍ଷା ଓ ଘୃଣା କରୁଥିବା ବ୍ୟକ୍ତିମାନେ ନିଜ ଭାଷା କିଭଳି ସମୃଦ୍ଧ ହେବ ସେ ସମ୍ପର୍କରେ ଯତ୍ନବାନ ହେବା ଉଚିତ। କୋଶଳି/ସମ୍ବଲପୁରୀ ଭାଷାରେ ସମୃଦ୍ଧ ଦୈନିକ ଖବରକାଗଜଟିଏ ନାହିଁ, ଅଧିକ ନ ହେଲେ ନାହିଁ ଅନ୍ତତଃ ଯାହାର ଏକ ଲକ୍ଷ ପାଠକ ଥିବେ। ଅନୁରୂପ ଭାବେ ନିଜ ଭାଷାର ସାହିତ୍ୟକୁ ପ୍ରତିନିଧିତ୍ବ କରିବା ଭଳି ଭଲ ପତ୍ରିକାଟିଏ ମଧ୍ୟ ନାହିଁ। ସେ ଭାଷାଭାଷୀ ଯେଉଁମାନଙ୍କ ପାଖରେ ସାରସ୍ବତ ପ୍ରଜ୍ଞା ରହିଛି ସେମାନେ ଆଞ୍ଚଳିକ ଭାଷାରେ ନୁହେଁ, ବରଂ ଓଡ଼ିଆରେ ଲେଖାଲେଖି କରୁଛନ୍ତି। ସେମାନଙ୍କ ମଧ୍ୟରେ ବହୁ ପ୍ରସିଦ୍ଧ ଲେଖକ ବି ଅଛନ୍ତି ଯେଉଁମାନେ ରାଜ୍ୟ/ଜାତୀୟ ପୁରସ୍କାରମାନ ପାଇଛନ୍ତି। ଭାଷାର ଖୁଣ ବାରିବା ମୋର ଉଦ୍ଦେଶ୍ୟ ନୁହେଁ। ବରଂ ଭାଷାକୁ ଉନ୍ନତ ଓ ଦୀର୍ଘସ୍ଥାୟୀ କରିବା ପାଇଁ ଯେଉଁସବୁ ଉପାଦାନ ଲୋଡ଼ା ସେ ସବୁର ଅଭାବ ସେ ଭାଷାରେ ରହିଛି ବୋଲି ମୋର ମତ।
ନିଜର ଅପାରଗତାକୁୁ ଲୁଚାଇବା ପାଇଁ ନିଜ ଘରେ ଥିବା ଆଉ ଏକ ସମୃଦ୍ଧ, ଶାସ୍ତ୍ରୀୟ ତଥା ୨୦୦୦ ବର୍ଷରୁ ଅଧିକ ପୁରୁଣା ଭାଷାକୁ ଅସମ୍ମାନିତ କରିବା ବେଶ୍ ହୀନ ମାନସିକତାର ପରିଚୟ। ଭିନ୍ନ ରାଜ୍ୟ ଦାବି ଏକ ରାଜନୈତିକ ବିଷୟ, ତାହା ଦ୍ବାରା କିଏ ଫାଇଦା ପାଇବ କିଏ କାନ୍ତାରରେ ପଡ଼ିବ ତାହା ଭିନ୍ନ କଥା। ସେ ପ୍ରସଙ୍ଗକୁ ମୁଁ ଯିବାକୁ ଚାହୁନି। କିନ୍ତୁ ଓଡ଼ିଶାରେ ଯଦି ଦୁଇଟି ଭାଷା ସମୃଦ୍ଧ ହୋଇ ବାହାରିବେ ପ୍ରତିଟି ଓଡ଼ିଆ ତାକୁ ନେଇ ଗର୍ବ ଅବଶ୍ୟ କରିବେ। ପାହାଡ଼କୁ ଟେକା ନ ଫିଙ୍ଗି ନିଜ ଚାରିପାଖରେ ପଥର ଗଦାଇ ପାହାଡ଼ ହେବାକୁ ଚେଷ୍ଟା କରିବା ଅଧିକ ଶ୍ରେୟସ୍କର। ନ ହେଲେ ବର୍ଣ୍ଣବୋଧକୁ ପୋଡ଼ୁ ପୋଡ଼ୁ ନିଜ ଭାଷା ସେ ନିଆଁରେ ପୋଡ଼ି ହୋଇ ସତ୍ତା ହରାଇବା ବିଚିତ୍ର ନୁହେଁ।
ବର୍ଣ୍ଣବୋଧ ପୋଡ଼ା ଘଟଣାକୁ କେତେକେ ବେଶ୍ ହାଲକା ଭାବରେ ନେଇଛନ୍ତି। କିନ୍ତୁ ଏମାନଙ୍କୁ ପ୍ରଶ୍ରୟ ଦେଲେ ଯେ ପରିଣତି ଭୟଙ୍କର ହେବ, ଏହା ନିସନ୍ଦେହ। ଏ ପ୍ରସଙ୍ଗରେ ମନେପଡ଼େ, ଜର୍ମାନୀରେ ନାଜି ଶାସନର ପ୍ରାୟ ଏକ ଶତାବ୍ଦୀ ପୂର୍ବରୁ କବି, ନାଟ୍ୟକାର, ସାମ୍ବାଦିକ ଓ ସମାଲୋଚକ ହେନରିକ୍ ହେଇନ୍ (୧୭୭୯-୧୮୫୬) ବହି ପୋଡ଼ାକୁ ନେଇ ଗୋଟିଏ ପୂର୍ବାନୁମାନ କରିଥିଲେ। ୧୮୨୧ ମସିହାରେ ତାଙ୍କ ନାଟକ ‘ଆଲମାନସର’ରେ ଗୋଟିଏ ସଂଳାପ ଏହିପରି ଥିଲା- ‘ଯେଉଁଠି ସେମାନେ ବହି ଜାଳୁଛନ୍ତି ଆଗକୁ ସେଇଠି ନିଶ୍ଚୟ ମଣିଷକୁ ଜାଳିବେ।’ ଆଉ ଟିକେ ସହଜ ଭାବରେ ଏ ସଂଳାପଟିକୁ କହିଲେ ଏୟା ହେବ- ଆଜି ଯେଉଁମାନେ ବହି ଜାଳୁଛନ୍ତିି କାଲି ସେମାନେ ନିଶ୍ଚୟ ମଣିଷ ଜାଳିବେ।
ହେନରିକଙ୍କ ଉକ୍ତିର ୧୧୨ ବର୍ଷ ପରେ ବର୍ଲିନରେ ନାଜିମାନେ ହଜାର ହଜାର ବହି ଜାଳିଦେଲେ। ଆଉ ପରେ ସେହି ନାଜିମାନେ ଇହୁଦୀମାନଙ୍କୁ କିଭଳି ନରସଂହାର କଲେ ତାହା ବିଶ୍ବବିଦିତ। ହେନରିକଙ୍କ ସେ ଅମଳିନ ଧାଡ଼ିଟି ପରେ ସେହି ବହିପୋଡ଼ା ସ୍ଥାନରେ ବଡ଼ ହରଫରେ ଉଲ୍ଲେଖ କରାହୋଇଛି।
କିଛି ଦିନ ତଳେ ଗୋଟିଏ ଜାତୀୟ ରାଜନୈତିକ ଦଳର କିଛି ବାନାଖାଉଡ଼ିଆ କର୍ମୀ, ପ୍ରମେୟ ଭଳି ଏକ ଆଗଧାଡ଼ିର ଖବରକାଗଜକୁ ଭୁବନେଶ୍ବର ସହର ମଝିରେ ପୋଡ଼ିଥିଲେ। ଏହା ପୂର୍ବରୁ ମଧ୍ୟ ଏଭଳି ବହି-ଖବରକାଗଜ ପୋଡ଼ାର ବହୁ ଉଦାହରଣ ରହିଛି। ଖବରକାଗଜଟିଏ ବା ବହିଟିଏ ପୋଡ଼ିଦେବା ଦ୍ବାରା ଯେ ସେମାନଙ୍କର ସମସ୍ୟା ସମାଧାନ ହୋଇଗଲା ବା ସେ ଖବରକାଗଜ-ବହିର ପ୍ରସିଦ୍ଧିରେ ଆଞ୍ଚ ଆସିଲା ତାହାନୁହେଁ। କେବଳ କିଛି ଉଗ୍ରଚେହେରା ସମାଜର ଆଇନାରେ ଧରାପଡ଼ିଗଲେ ଯାହା। ମଣିଷ ମାରନ୍ତୁ ନ ମାରନ୍ତୁ, ସେମାନେ ଯେ ମାନବିକତାର ହତ୍ୟାକାରୀ ଏ କଥା ମାନିବାକୁ ହେବ।
ଯେଉଁ ଉଗ୍ରବାଦୀମାନେ ଆଜି ବର୍ଣ୍ଣବୋଧ ବହି ଜାଳିବ ଭଳି ଦୁଷ୍କର୍ମ କରୁଛନ୍ତି ସେମାନେ କାଲି ଯେ ଓଡ଼ିଆଙ୍କୁ ଜାଳିବାର ଦୁଃସାହସ କରିବେ ନାହିଁ, ଏକଥା କିଏ କହିବ। ଏ ବହି ପୋଡ଼ା ଘଟଣାକୁ ଉଭୟ ଓଡ଼ିଆପ୍ରେମୀ ଜନଗଣ ଓ ସରକାର (ଯିଏ ଏ ଭାଷା ପାଇଁ ଶାସ୍ତ୍ରୀୟ ମାନ୍ୟତା ଆଣିଛନ୍ତ) ଗୁରୁତ୍ବ ସହକାରେ ନେବା ସହ ଏହା ପଛରେ ଥିବା କୁଚକ୍ରୀ ଗୋଷ୍ଠୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବେ ବୋଲି ଆଶା।
Comments are closed.