କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧକୁ ରଖିଲେ ରେଳମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ୱରରୁ ଜୁନାଗଡ ଏବଂ ଭୁବନେଶ୍ୱରରୁ ଜଗଦଲପୁରକୁ ୨ଟି ପୃଥକ ପୃଥକ ଟ୍ରେନ୍ ଚଳାଚଳ କରିବା ଅନୁରୋଧକୁ ରକ୍ଷା କରି ଏହାକୁ ସ୍ୱୀକୃତି ଦେଇଥିବାରୁ କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ସାମାଜିକ ଗଣମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ବ୍ୟବସ୍ଥା ରେଳ ଯାତ୍ରୀଙ୍କୁ ସୁବିଧା ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କ ପତ୍ରର ପ୍ରତ୍ୟୁତରରେ କହିଛନ୍ତି।
Thank Shri @PiyushGoyal ji for acceding to my request for running Train no. 18437/18438 Bhubaneswar-Junagarh Road Express between Bhubaneswar & Junagarh Road and Train no 18447/18448 Bhubaneswar-Jagdalpur Hirakhand Express between Bhubaneswar and Jagdalpur, as separate services.
— Dharmendra Pradhan (@dpradhanbjp) August 19, 2019
କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋଏଲ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଟ୍ରେନ୍ ନମ୍ବର ୧୮୪୩୭ /୧୮୪୩୮ ଭୁବନେଶ୍ୱର-ଜୁନାଗଡ ରୋଡ୍ ଏକ୍ସପ୍ରେସ ଭୁବନେଶ୍ୱର ଓ ଜୁନାଗଡ ମଧ୍ୟରେ ଏବଂ ଟ୍ରେନ୍ ନମ୍ବର ୧୮୪୪୭/୧୮୪୪୮ ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍ ଭୁବନେଶ୍ୱର ଜଗଦଲପୁର ମଧ୍ୟରେ ପୃଥକ ପୃଥକ ଭାବେ ଚଳାଚଳ କରିବା ନେଇ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି। ଏହା ଦ୍ୱାରା ରେଳଯାତ୍ରୀମାନେ ବିଶେଷ ଲାଭ ପାଇପାରିବେ ବୋଲି ପିୟୁଷ ଗୋଏଲ ଆଶାବ୍ୟକ୍ତ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଜୁଲାଇ ୧୮ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ପତ୍ର ଲେଖି ଭୁବନେଶ୍ୱରରୁ ଜଗଦଲପୁର ଏବଂ ଭୁବନେଶ୍ୱରରୁ ଜୁନାଗଡକୁ ଦୁଇଟି ପୃଥକ ପୃଥକ ଟ୍ରେନ୍ ଚଳାଚଳ କରିବା ଲାଗି ଅନୁରୋଧ କରିବା ସହ ଏହି ଦୁଇଟି ଟ୍ରେନ୍ ଚଳାଚଳ ଲାଗି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଓ ଜୁନାଗଡ ଅଂଚଳର ଲୋକମାନେ ଦୀର୍ଘଦିନରୁ ଦାବି କରି ଆସୁଥିବା ଜଣାଇଥିଲେ।
ସେ ପତ୍ରରେ ଉଲ୍ଲେଖ କରିଥିଲେ ଯେ ବର୍ତମାନ ଭୁବନେଶ୍ୱରରୁ ଯାଉଥିବା ଟ୍ରେନ୍ରୁ ୧୦ଟି ବଗି ରାୟଗଡା ଷ୍ଟେସନରେ ଅଲଗା ହୋଇ ଜୁନାଗଡ ଅଭିମୁଖେ ଯାଉଛି। ଅବଶିଷ୍ଟ ୧୨ଟି ବଗି ଜଗଦଲପୁର ଅଭିମୁଖେ ଯାତ୍ରା କରୁଛି। ଫେରିବା ସମୟରେ ଉଭୟ ଜଗଦଲପୁର ଏବଂ ଜୁନାଗଡରୁ ଆସୁଥିବା ଭିନ୍ନ ଭିନ୍ନ ଟ୍ରେନ୍ ରାୟଗଡା ଷ୍ଟେସନରେ ଗୋଟିଏ ଇଞ୍ଜିନରେ ଯୋଡି ହୋଇ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଛି।
ଉପରୋକ୍ତ ବ୍ୟବସ୍ଥା ବିଶେଷ ଭାବରେ କଳାହାଣ୍ଡି ଟ୍ରେନ୍ ଯାତ୍ରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ଜଟିଳ ବ୍ୟବସ୍ଥା ସମ୍ପର୍କରେ ସଚେତନତା ନଥିବା ଯାତ୍ରୀମାନେ ଅନେକ ସମୟରେ ସଠିକ୍ ବଗିରେ ଚଢିପାରୁନାହାନ୍ତି। ତେଣୁ ଉପରୋକ୍ତ ପ୍ରସ୍ତାବ ସ୍ୱୀକୃତ ହେଲେ ରାଜଧାନୀ ଭୁବନେଶ୍ୱର ଓ କଳାହାଣ୍ଡି ମଧ୍ୟରେ ଯାତାୟତ ଲାଗି ଯାତ୍ରୀଙ୍କ ଆଗ୍ରହ ଅଧିକ ଥିବାରୁ ଟ୍ରେନରେ ଯାତ୍ରୀ ଭିଡ ଅଧିକ ରହିବ ଏବଂ ପୂର୍ଣ୍ଣ ଯାତ୍ରୀ କ୍ଷମତାରେ ଚଳାଚଳ କରିବ। ଏହାବ୍ୟତିତ ଯାତ୍ରୀଙ୍କ ପାଇଁ ଅଧିକ ସଂଖ୍ୟକ ସଂରକ୍ଷିତ ବଗି ଉପଲବ୍ଧ ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପତ୍ରରେ ଦର୍ଶାଇଥିଲେ।
Comments are closed.