ହଳଧର ନାଗ ଓ ବିଷବୁଣାଳି
ହଳଧର ନାଗ ଓ ବିଷବୁଣାଳି
ଆଶିଷ ଗଡ଼ନାୟକ
ଶ୍ରୀ ହଳଧର ନାଗ ଓ ସେ ‘ବିଷ ବୁଣାଳି’ମାନଙ୍କୁ ଏବଂ ତାଙ୍କ କଥାକୁ ଏତେ ଗୁରୁତ୍ବ କାହିଁକି ଦିଆଯାଉଛି? ସେମାନେ ସମଗ୍ର ପଶ୍ଚିମ ଓଡ଼ିଶାର ପ୍ରତିନିଧି ବା ପ୍ରବକ୍ତା ନୁହନ୍ତି।
ଟିଆର୍ପି ପାଇଁ ଗୋସ୍ବାମୀ ବାବୁ ତାଙ୍କ ଚ୍ୟାନେଲ୍ରେ ଏମିତି ଚାଲାକି କରନ୍ତି। ସେ ଯୋଉ ଲୋକଙ୍କୁ ହିନ୍ଦୁ ବା ସୁମଲମାନ ସଂପ୍ରଦାୟ ଅଥବା ଭାରତ, କଶ୍ମୀର ବା ପାକିସ୍ତାନର ପ୍ରତିନିଧି ଭାବେ ବସାଇ ଆଲୋଚନା କରନ୍ତି, ସେମାନେ ପ୍ରାୟତଃ ଥାଆନ୍ତି ଜଣେ ଜଣେ ଅନ୍ଧ ମୌଳବାଦୀ। ସେମାନଙ୍କର କଳି ଝଗଡ଼ା ଟିଆର୍ପି ବଢ଼ାଏ। ସେମାନେ ପରସ୍ପରକୁ ଲାଜହୀନ ଭାବେ ଅଶ୍ଳୀଳ ଭାଷାରେ ଶୋଧନ୍ତି। ସାଧାରଣ ଦର୍ଶକେ ସେମାନଙ୍କର ବକ୍ତବ୍ୟ ବା ପ୍ରତିକ୍ରିୟାରୁ ସଂପୃକ୍ତ ଭିନ୍ନ ସଂପ୍ରଦାୟ ବା ଗୋଷ୍ଠୀର ମନଭାବ ସଂପର୍କରେ ଗୋଟେ ଭୁଲ୍ ଧାରଣା କରି ନିଅନ୍ତି। ‘ବର୍ଣ୍ଣବୋଧ’ ପ୍ରସଙ୍ଗରେ ସେଭଳି ହେବାର ମୁଁ ଦେଖି ପାରୁଚି।
ଏକଥା ଶୁଣିଲେ ଅନେକ ମୋ’ର ଶତ୍ରୁ ହୋଇଯିବେ, କିନ୍ତୁ ସତକଥା ହେଉଛି, ହଳଧର ସବୁବେଳେ ମତେ ଖୁବ୍ ଲୋକପ୍ରିୟତା ହାସଲ କରିିଥିବା ଜଣେ ଖୁବ୍ ମାମୁଲି କବି ମନେ ହୁଅନ୍ତି।
ମୁଁ ଜାଣେ, ହଳଧରଙ୍କର ପ୍ରଶଂସକମାନେ ମୋ ସହ ଏକମତ ହେବେନି। ମୁଁ ସେମାନଙ୍କ ଅନ୍ୟମତକୁ ସମ୍ମାନ କରୁଚି ମଧ୍ୟ। ହୁଏତ ଏହା ମୋ’ର କବିତା ଜ୍ଞାନ ଅଭାବ କାରଣରୁ ହୋଇଥାଇ ପାରେ, କିନ୍ତୁ ତାଙ୍କ କବିତାରେ ମନେ ରହିଲା ଭଳି କୌଣସି ଗଭୀରତା ମୁଁ ପାଇନାହିଁ କେବେ। ଅବଶ୍ୟ କୋଶଳୀ ଭାଷାରେ ସେ ଲେଖୁଥିବାରୁ, ତାଙ୍କୁ କିଛିଟା ଗୁରୁତ୍ବ ଦିଆଯିବା ଅଯୌକ୍ତିକ ନୁହେଁ। ଗୋଟିଏ ଭାଷାକୁ ବଞ୍ଚାଇ ରଖିବାକୁ ତାଙ୍କର ଉଦ୍ୟମ ସ୍ୱୀକୃତି ପାଇବାର ଯୋଗ୍ୟ। ସେ ନିଜ କବିତାକୁ ଘଣ୍ଟା ଘଣ୍ଟା ଧରି ମନରୁ ଆବୃତ୍ତି କରି ପାରନ୍ତି, ଯାହା ତାଙ୍କର ଏକ ବିଶେଷତା। ତାଙ୍କ ଲୋକପ୍ରିୟତାର ବୋଧେ ସବୁଠାରୁ ବଡ଼ କାରଣ ତାହା। ତେବେ ସେଭଳି କରି ପାରୁଥିବା ଅନେକ କବି ଅଛନ୍ତି ଗାଁ ଗଣ୍ଡାରେ। ସେମାନେ ଭାଷାଗତ କାରଣରୁ ହଳଧରଙ୍କ ଭଳି ଆଲୋଚନାକୁ ଆସି ପାରି ନାହାନ୍ତି।
ହଳଧର ପଦ୍ମ ପୁରସ୍କାର ପାଇଲେ। ସେଥିରେ ମୋ’ର କିଛି ଆପତ୍ତି ନାହିଁ। ସେ ମାମଲା ପୁରସ୍କାର ଦେବା ସଂସ୍ଥା ଓ ପ୍ରାପକଙ୍କ ସମସ୍ୟା। ତେବେ ମୁଁ ଭାବେ, ଯଦି ପଶ୍ଚିମ ଓଡ଼ିଶାରୁ କୌଣସି ଲେଖକଙ୍କୁ ଇ ସେଥର ସେ ପୁରସ୍କାର ଦେବାର ଥିଲା, ତେବେ ହଳଧରଙ୍କଠାରୁ ଶତଗୁଣ ଯୋଗ୍ୟ ଲେଖକ ଅଛନ୍ତି ସେ ମାଟିରେ।
ଏସବୁ କହିବା ବେଳେ ମୁଁ କବି ହଳଧରଙ୍କୁ ଅପମାନିତ କରୁନାହିଁ। ତାଙ୍କଭଳି ଆଜୀବନ ସଂଘର୍ଷ କରି ଆସିଥିବା, ତୃଣମୂଳରେ ରହି କବିତା ଲେଖି ଆସିଥିବା ଜଣେ ବୟସ୍କ କବି କ୍ୟାମେରା ଆଗରେ ଠିଆହୋଇ ସ୍ପଷ୍ଟୀକରଣ ଦେବାର ଦୃଶ୍ୟ ମତେ କମ୍ କଷ୍ଟ ଦେଇନାହିଁ। ମୁଁ ତାଙ୍କ କବିତାକୁ ପସନ୍ଦ କରେ ବା ନକରେ, ତାଙ୍କର ଏସବୁ କଥା ପଛରେ ଯୁକ୍ତି ଥାଉ ବା ନଥାଉ, ମତେ ଭଲ ଲାଗୁ ବା ନଲାଗୁ, କିନ୍ତୁ ବୟସ୍କ କବିଟିଏ ନିଜ ସପକ୍ଷରେ ସେମିତି ସ୍ପଷ୍ଟୀକରଣ ଦେବାଲାଗି ବାଧ୍ୟହେବାର ଦୃଶ୍ୟ ମୁଁ ପୂରା ଦେଖି ପାରୁନି।
କବିଟିଏ, ବା ସାଧାରଣ ମଣିଷଟିଏ ବି, ସବୁକିଛି ଜାଣିଥିବା, ବହୁତ ପାଠ ପଢ଼ିଥିବା, ଗଭୀର ଦର୍ଶନର କଥା କହି ପାରୁଥିବା ଆଦୌ ଜରୁରି ନୁହେଁ। ଜରୁରି ବି ନୁହେଁ ମତେ ଭଲ ଲାଗୁଥିବା ଭଳି କବିତା ଲେଖିବା। କିନ୍ତୁ ସେ ନିଜର ସୀମିତତାକୁ ଚିହ୍ନି ଶକ୍ତି ବାହାରେ ଥିବା ପ୍ରସଙ୍ଗରେ ନିରବ ରହିବା ତ ଶିଖିବା ଉଚିତ ନିଶ୍ଚୟ।
ସୋସିଆଲ୍ ମିଡିଆରେ ହଳଧରଙ୍କର ନୂଆ ପୁରୁଣା କ୍ରିୟା, ପ୍ରତିକ୍ରିୟା ଓ ସ୍ପଷ୍ଟୀକରଣ ଆଦି ପଢ଼ୁଚି ଏଇ କିଛିଦିନ ଧରି। ତେବେ ସେ ଏବେ ଯାହା କୁହନ୍ତୁ ନା କାହିଁକି, ହଳଧର ମୂଳତଃ ଜଣେ ଓଡ଼ିଆ ବିରୋଧୀ ବ୍ୟକ୍ତି। ଠିକ୍ ଅଛି। ସେଥିରେ କିଛି ଆପତ୍ତି ନାହିଁ, ଅସୁବିଧା ନାହିଁ। ସିଏ ତାଙ୍କର ବ୍ୟକ୍ତିଗତ ବ୍ୟାପାର। କିନ୍ତୁ ବ୍ୟକ୍ତିଗତ ଅବଧାରଣାକୁ ସେ ନିଜ ଭିତରେ ରଖିବା ଶିଖିବା ଉଚିତ ନୁହେଁ କି?
କିଛି ଯୁକ୍ତିଯୁକ୍ତ ଓ କିଛି ଅଯୌକ୍ତିକ କାରଣରୁ ପଶ୍ଚିମ ଓଡ଼ିଶାର କିଛି ଲୋକ ଉପକୂଳ ଓଡ଼ିଶାର ଲୋକଙ୍କୁ ଘୋର ନାପସନ୍ଦ କରନ୍ତି। ସେମାନଙ୍କ ଭିତରୁ କିଛି ଉପକୂଳ ଓଡ଼ିଶାରେ କୁହା ଯାଉଥିବା ଓଡ଼ିଆକୁ ବି ବିରୋଧ କରନ୍ତି। ସେ ବିରୋଧ ବେଳେବେଳେ ଶ୍ଳୀଳତାର ସୀମାକୁ ଟପିଯାଏ। ସେହି ଲୋକମାନେ ଉତ୍କଳ ଦିବସ ପାଳନକୁ ବିରୋଧ କରନ୍ତି, ଓଡ଼ିଶା ମାନଚିତ୍ର ଚିରି ଓଡିଶାର ସ୍ଥିତିକୁ ଅସ୍ୱୀକାର କରନ୍ତି। ମୋ’ର ମନେଅଛି, ମହାବାତ୍ୟା ସମୟରେ ଉପକୂଳ ଓଡ଼ିଶାରେ ହାହାକାର ସୃଷ୍ଟି ହୋଇଥିବାବେଳେ ପଶ୍ଚିମ ଓଡ଼ିଶାର ଏକ ସ୍ଥାନରେ କିଛି ଲୋକ ‘ଶଳେ କଟକୀଏ ଭାସିଗଲେ’ ଧରଣର କିଛି କହି କହି ଖୁସିରେ ମିଠା ବାଣ୍ଟିଥିଲେ। ତେବେ ତାହା ଥିଲା କିଛି ଅଳ୍ପ ସଂଖ୍ୟକ ଲୋକଙ୍କର କାମ, ସମସ୍ତେ ସେମିତି ନୁହନ୍ତି। ନିକଟ ଅତୀତରେ ଉପକୂଳ ଓଡ଼ିଶାର ‘ଫନୀ’ ପିଡ଼ିତଙ୍କ ସାହାଯ୍ୟ ପାଇଁ ଆମେ କରିଥିବା ଏକ ଚାନ୍ଦା ସଂଗ୍ରହ କାର୍ଯ୍ୟକ୍ରମରେ ସେହି ପଶ୍ଚିମ ଓଡ଼ିଶାର ଲୋକେ ହିଁ ସବୁଠାରୁ ଅଧିକ ସହଯୋଗ କରିଛନ୍ତି।
ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି ଉତ୍କଳ ଦିବସକୁ ବିରୋଧ କରାଯିବା ବା ଓଡିଶା ମାନଚିତ୍ର ଚିରାଯିବା ଘଟଣାସବୁ ସମସ୍ତେ ଜାଣିଥିଲେ ମଧ୍ୟ ଆଜି “ଏତେ ଝଗଡ଼ା କାହିଁକି, ମିଳିମିଶି ରହ” ଉପଦେଶ ଦେଉଥିବା ସବୁ ପ୍ରସଙ୍ଗରେ ପ୍ରଗଳ୍ଭ ‘ନିରପେକ୍ଷ’ ପଣ୍ଡିତମାନେ ଥରଟିଏ ବି ବିରୋଧରେ ତୁଣ୍ଡ ଖୋଲି ନଥିଲେ। ସେମାନଙ୍କର ସେ ନିରବତା ଉକ୍ତ ଲୋକଙ୍କୁ ଉତ୍ସାହିତ କରିବା ସହିତ ଅବିଶ୍ୱାସର ବାତାବରଣକୁ ଆହୁରି ଗାଢ଼ କରିଚି। ଉଲ୍ଲେଖଯୋଗ୍ୟ ଯେ ସେ ‘ବର୍ଣ୍ଣବୋଧ’ ପୋଡ଼ା ସହ ସଂପୃକ୍ତ ନଥିବେ ବୋଲି ଦୃଢ ଭାବେ କହିଥିବା ଲୋକଙ୍କ ସ୍ୱର ଏବେ ତାଙ୍କ ‘ବୋଉ’ ଓ ‘ଗାମୁଛା’ ଥିଓରୀ ପ୍ରଘଟ ହେବା ପରେ ବେଶ୍ ଦୁର୍ବଳ ଶୁଣା ଯାଉଚି।
ମୋ’ର ଗୋଟେ ଦ୍ବନ୍ଦ୍ବ ରହି ଆସିଚି: ଅଳ୍ପ ହେଲେ ବି ସେହି ଲୋକମାନଙ୍କ ଭିତରେ ଥିବା ଏ କ୍ରୋଧର ପ୍ରକୃତ କାରଣ କ’ଣ? ୟା’ର ସାହିତ୍ୟ ଓ ସାହିତ୍ୟିକମାନଙ୍କର କିଛି ସଂପୃକ୍ତି ରହିଛି କି? ବର୍ତ୍ତମାନ ସମୟରେ ସେଭଳି ଧାରଣା ବା ଭାବନାର କୌଣସି ଭିତ୍ତି ରହିଛି କି? ସବୁଠାରୁ ମୁଖ୍ୟ କଥା ହେଉଛି: ଉପକୂଳ ଓଡ଼ିଶାକୁ ନାପସନ୍ଦ କରୁଥିବାରୁ ଉପକୂଳିଆ ଓଡ଼ିଆକୁ ବିରୋଧ ନା ଉପକୂଳିଆ ଓଡ଼ିଆକୁ ନାପସନ୍ଦ କରୁଥିବାରୁ ଉପକୂଳ ଓଡ଼ିଶାକୁ ବିରୋଧ? କେହି ବନ୍ଧୁ ଏହାର ଉତ୍ତର ଦେଲେ ମୁଁ ଉପକୃତ ହେବି।
ହଳଧର ଯାହାସବୁ କହିବାର ଭିଡିଓ ସବୁ ପ୍ରଚାରିତ ହେଉଛି, ସେଥିରୁ ତାଙ୍କର ଅଜ୍ଞତା ଓ ସୀମିତତା ଜଳଜଳ ଦିଶୁଚି। ଅନେକ ଲୋକ ଅପର ବିରୋଧରେ ଚା’ ଖଟି ବା ପାନ ଦୋକାନ ଆଗରେ ସେ ଧରଣର ଆଲୋଚନା କରି ନିଜ ମନ ଭିତରେ ଥିବା କ୍ରୋଧ ଉପଶମ କରନ୍ତି। ତେବେ ପ୍ରକାଶ୍ୟରେ, ସଭା ସମିତି ଭାଷଣରେ ବି ହଳଧର ସେଇ କଥା କହନ୍ତି ଭାରି ଉତ୍ସାହରେ। ହୁଏତ ତାହା ତାଙ୍କର କହିବା ଶୈଳୀ ହୋଇଥିବ ବୋଲି କେହି ଯୁକ୍ତି କରି ପାରନ୍ତି, କିନ୍ତୁ ସେସବୁ ଖୁବ୍ ଶ୍ରୁତିକଟୁ ହୋଇଯାଏ ଅନେକ ସମୟରେ। ସେ ବା ଅନ୍ୟ କେହି ନିଜ ଭାଷାର ପ୍ରଶଂସା କରିବାରେ ଆଦୌ ସମସ୍ୟା ନାହିଁ, କିନ୍ତୁ ତାହା କରିବାଲାଗି ଓଡ଼ିଆ ଭାଷାକୁ ଗାଳିଦେବା ଆଦୌ ଯୁକ୍ତିଯୁକ୍ତ ନୁହେଁ। ହୁଏତ ସେମାନେ ଭାବନ୍ତି ଯେ ଓଡ଼ିଆକୁ ନଦାବିଲେ ବା ଗାଳି ନଦେଲେ ‘ତାଙ୍କ’ ଭାଷାର ପ୍ରଶଂସା କରି ହେବନାହିଁ!
ଏବଂ ପଦ୍ମଶ୍ରୀ ପାଇବା ପରେ ହଳଧର ସେମିତି କରିବା ଜାରି ରଖିବାର ଦେଖିଲେ ଭଲ ଲାଗେନି।
ଏଥିପାଇଁ ତାଙ୍କ ଭିତରେ ଓଡ଼ିଆ ପ୍ରତି ଥିବା ବିଦ୍ବେଷ ଅପେକ୍ଷା ତାଙ୍କର ଅଜ୍ଞତା ଓ ସରଳତା ଅଧିକ ଦାୟୀ ଥିବାଭଳି ମନେହୁଏ- ଯେମିତି ପାକିସ୍ତାନ ବା କଶ୍ମୀର କେବେ ଯାଇ ନଥିବା, ଏମିତିକି ସେ ରାଇଜସବୁ ଭାରତର କେଉଁ ଦିଗରେ ଅଛି ଜାଣି ନଥିବା ଆମ ଗାଁରେ ଥିବା ଲଖନଜେଜେ ମୋଦୀଙ୍କ କଶ୍ମୀର ନୀତିକୁ ପ୍ରଶଂସା କରିବା ଓ ପାକିସ୍ତାନକୁ ଗାଳି ଦେବାବେଳେ ହିତାହିତ ଜ୍ଞାନ ଭୁଲି ଯାଆନ୍ତି। ସେ ଆଦୌ ମୌଳବାଦୀ ନୁହନ୍ତି, କିନ୍ତୁ ସେ ଶୁଣିଚନ୍ତି ଯେ କଶ୍ମୀରରେ ପାକିସ୍ତାନରୁ ଆସିଥିବା ଆତଙ୍କବାଦୀମାନେ ‘ଆମ’ ହିନ୍ଦୁଙ୍କୁ ଦିନ ଦି’ପହରରେ ଗୁଳିକରି ହତ୍ୟା କରନ୍ତି, ଝିଅବୋହୂଙ୍କୁ ଦୁଷ୍କର୍ମ କରନ୍ତି।
ହଳଧର ବି ସେତିକି ଜ୍ଞାନକୁ ନେଇ ଗୋଟେ ଭାଷାକୁ ଗାଳିଦେବା ଭଲ ଦିଶୁନି। ସେ ଲଖନଜେଜେ ନୁହନ୍ତି, ସେ କବି ହଳଧର ନାଗ।
ସେ ନିଜ ଶକ୍ତି ଭିତରେ ରହିବା ଉଚିତ। ଯୋଉ ପ୍ରସଙ୍ଗ ଉପରେ ତାଙ୍କର ଯଥେଷ୍ଟ ଦକ୍ଷତା ନାହିଁ, ସେ ମାମଲାରେ କାହିଁକି ମୁଣ୍ଡ ଖେଳଉଚନ୍ତି ଓ ଜିଭ ଚଳଉଚନ୍ତି? ଏଥିରେ ଲୋକହସା ହେବା ହିଁ ସାର।
ହୁଏତ ଉପରୋକ୍ତ କଥାସବୁ କହିବାବେଳେ ମୁଁ ବି ନିଜ ଶକ୍ତି ବାହାରକୁ ଚାଲି ଯାଉଚି! ମୁଁ ନିଜ ଶକ୍ତି ଭିତରେ ରହିବା ଉଚିତ। ଯୋଉ ପ୍ରସଙ୍ଗ ଉପରେ ମୋ’ର ଯଥେଷ୍ଟ ଦକ୍ଷତା ନାହିଁ, ସେ ମାମଲାରେ ମୁଁ କାହିଁକି ମୁଣ୍ଡ ଖେଳଉଚି ଓ ଜିଭ ଚଳଉଚି!! ଏଥିରେ ଲୋକହସା ହେବା ହିଁ ସାର।
ତେବେ ରାଜନୀତି ପାଇଁ, ନିଜେ ସିଂହାସନରେ ବସିବାର ଲାଳସା ପାଇଁ ସାଧାରଣ ଲୋକଙ୍କ ଭିତରେ ବିଷ ବୁଣିବାର ଏ ପ୍ରକ୍ରିୟା ତୁରନ୍ତ ବନ୍ଦ ହେବା ଉଚିତ।
Comments are closed.