‘କାଳିଆ’ରେ ଲକ୍ଷାଧିକ ଅଯୋଗ୍ୟ ହିତାଧିକାରୀ: ଅରୁଣ ସାହୁ

ଭୁବନେଶ୍ୱର : ଏଯାବତ ଯାଞ୍ଚ ପରେ କାଳିଆ ଯୋଜନାରେ ଲକ୍ଷାଧିକ ଅଯୋଗ୍ୟ ହିତାଧିକାରୀ ଅଛନ୍ତି। ଏହା କହିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ। କାଳିଆ ସମୀକ୍ଷା ବୈଠକ ପରେ ନିଜ ପ୍ରତିକ୍ରିୟା ରଖି ମନ୍ତ୍ରୀ ଶ୍ରୀ ସାହୁ ଏହା କହିଛନ୍ତି।
ସେ କହିଛନ୍ତି ଯେ, ୨ ଲକ୍ଷ ୬୬ ହଜାର ଅଯୋଗ୍ୟ କାଳିଆ ହିତାଧିକାରୀ ଚିହ୍ନଟ ସରିଛି। ୨୭ ତାରିଖ ସୁଦ୍ଧା ପଞ୍ଚାୟତସ୍ତରର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ସରିବ। ୩୧ ତାରିଖ ସୁଦ୍ଧା ବ୍ଲକ ଓ ଜିଲ୍ଲାସ୍ତରର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ସରିବ। ରାଜ୍ୟରେ ୫୧ ଲକ୍ଷ ଚାଷୀ କାଳିଆ ଯୋଜନାରେ ସାମିଲ ହୋଇଥିଲେ। ୫୧ ଲକ୍ଷରୁ ୩୬ ଲକ୍ଷ ୮୮ ହଜାର ଚାଷୀଙ୍କ ଯାଞ୍ଚ ସରିଛି। ଚୂଡ଼ାନ୍ତ ଯାଞ୍ଚ ରିପୋର୍ଟ ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି।
ପ୍ରକାଶ ଯେ, ଟଙ୍କା ଲୋଭରେ କାଳିଆ ଯୋଜନାରେ ସାମିଲ ହୋଇଥିବା ଅଯୋଗ୍ୟ ହିତାଧିକାରୀଙ୍କ ପାଇଁ ସତର୍କ ଘଣ୍ଟି। ନିଜକୁ ଚାଷୀ କହି ଯୋଜନାରେ ସାମିଲ ହୋଇଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ଏବେ ସାବଧାନ ହେବାକୁ ପଡ଼ିବ। କାରଣ ସେମାନଙ୍କୁ ଉକ୍ତ ଯୋଜନାରୁ ବାଦ ଦିଆଯିବ। ନିଜ ଆଡ଼ୁ ସେମାନେ ଏନେଇ ଦରଖାସ୍ତ ଦେଇ ଯୋଜନାରୁ ଓହରିପାରିବେ। ଏମିିତି ନକଲେ ସରକାରଙ୍କ ତରଫରୁ ସେମାନଙ୍କୁ ଚିହ୍ନଟ କରି ବାଦ ଦିଆଯିବ।
ସୂଚନା ଯୋଗ୍ୟ ଯେ, ସରକାର କାଳିଆ ଯୋଜନାରେ ୩୦ ଲକ୍ଷ ଚାଷୀଙ୍କୁ ୫ଟି ଫସଲ ପାଇଁ ୨୫ ହଜାର ଟଙ୍କା ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ସେହିପରି ୧୦ ଲକ୍ଷ ଭୂମିହୀନ ଚାଷୀଙ୍କୁ ୧୨ ହଜାର ୫୦୦ ଟଙ୍କା ଲେଖାଏଁ ଦେବା ପାଇଁ ଯୋଜନା ହୋଇଛି। ଏହାଛଡ଼ା ୫ ଲକ୍ଷ ଅସହାୟ ଚାଷୀ ପରିବାରକୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ଦେବାକୁ ସରକାର ନିଷ୍ପତ୍ତି ନେଇଥିଲେ।
Comments are closed.