Odisha Link
Bridging the Missing Links in Odisha

ବିଜୁ ପଟ୍ଟନାୟକ କ୍ରୀଡ଼ା ସାହସିକତା ଓ ସମାଜସେବା ପୁରସ୍କାର ପ୍ରଦାନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସ୍ଥାନୀୟ ଜୟଦେବ ଭବନ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ କ୍ରୀଡ଼ା ସାହସିକତା ଓ ସମାଜସେବା ପୁରସ୍କାର ପ୍ରଦାନ କରିଛନ୍ତି। କ୍ରୀଡ଼ା ପାଇଁ ପାରା ବ୍ୟାଡମିଣ୍ଟନରେ ବିଶ୍ୱ ଚମ୍ପିଆନସିପ ହାସଲ କରିଥିବା ପ୍ରମୋଦ ଭଗତ ଏବଂ ସାହସିକତାରେ ବନ୍ଧୁଙ୍କୁ ଦୁର୍ଘଟଣାରେ ବଞ୍ଚାଇଥିବା ଅନୁଗୁଳର ଛୋଟ ଝିଅ ଶ୍ରୀମତୀ ଭଦ୍ରାଙ୍କୁ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ କରାଯାଇଛି। ଉଭୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଛି।
ଏହି ଅବସରରେ ଉପସ୍ଥିତ କ୍ରୀଡ଼ାବିତ ଓ କ୍ରୀଡ଼ାପ୍ରେମୀମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ପ୍ରତିଭାବାନ ଖେଳାଳୀମାନେ ବିଭିନ୍ନ ଜାତୀୟ ଓ ଅନ୍ତଜାତୀୟସ୍ତରରେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରୁଛନ୍ତି। ସେମାନଙ୍କ ସଫଳତା ଓ କ୍ରୀଡ଼ା ପାଇଁ ଅବଦାନ ଯୁବ ପ୍ରତିଭାମାନଙ୍କୁ ଉତ୍ସାହିତ କରିବ।
ଭୁବନେଶ୍ୱର ବର୍ତ୍ତମାନ ଧୀରେ ଧୀରେ ଦେଶର କ୍ରୀଡ଼ା ରାଜଧାନୀ ଭାବରେ ପ୍ରତିଷ୍ଠା ହାସଲ କରୁଛି। କ୍ରୀକ୍ଷା ପରିଚାଳନାରେ ଏହା ଅନ୍ତର୍ଜାତୀୟ ସ୍ୱୀକୃତି ପାଇଛି। ଏସିଆନ ଆଥଲେଟିକସ ଚମ୍ପିଆନସିପ, ପୁରୁଷ ହକି ବିଶ୍ୱ ଲିଗ ଫାଇନାଲ ଓ ପୁରୁଷ ହକି ବିଶ୍ୱ କପର ସଫଳ ଆୟୋଜନ ପରେ ଏବେ ୧୭ ବର୍ଷ ବୟସରୁ କମ ମହିଳା ହକି ବିଶ୍ୱ କପ କ୍ରୀଡ଼ା ଆୟୋଜନର ଆଶା ଉଜ୍ୱଳ ହୋଇଛି। କ୍ରୀଡ଼ା ଆକାଶରେ ଭୁବନେଶ୍ୱର ଏବେ ଏକ ଉଜ୍ୱଳ ତାରକା ଭାବେ ସୁନାମ ଅର୍ଜନ କରିଛି। ବିଭିନ୍ନ କ୍ରୀଡ଼ା କ୍ଷେତ୍ର ଯଥା ଆଥଲେଟିକସ, ଫୁଟବଲ, ଟେନିସ, ବ୍ୟାଡମିଣ୍ଟନ ଓ ଅନ୍ୟାନ ଖେଳରେ ଯୁବ ପ୍ରତିଭାମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ପ୍ରତିଷ୍ଠିତ ପ୍ରଶିକ୍ଷଣ ଅନୁଷ୍ଠାନମାନଙ୍କ ସହିତ ସହବନ୍ଧନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ତୁଷାରକାନ୍ତି ବେହେରୀ, ଯୁବ କଲ୍ୟାଣ ବୋର୍ଡର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଜୟ ନାୟକ, କ୍ରୀଡ଼ା ବିଭାଗ ପ୍ରମୁଖ ସଚିବ ବିଶାଳ ଦେବ ଓ ନିଦେ୍ର୍ଧଶକ ଭିଲିନ କ୍ରିଷ୍ଣନ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.