Odisha Link
Bridging the Missing Links in Odisha

୬ରେ ବାହୁଡ଼ିବେ ଜଗା କାଳିଆ

ଭୁବନେଶ୍ୱର : ନୂଆଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା କନ୍ଧମାଳ ମିଲୁପଡ଼ାର ଯୋଡ଼ା ମୁଣ୍ଡ ଶିଶୁ ଜଗା ଓ କାଳିଆ ଖୁବ ଶୀଘ୍ର ଓଡ଼ିଶା ଫେରିବାକୁ ଯାଉଛନ୍ତି। ଆସନ୍ତା ସେପ୍ଟେମ୍ବର ୬ ରେ ସେମାନେ ଦିଲ୍ଲୀରୁ ଫେରିବେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି।
ଜଗା ଓ କାଳିଆ ରାଜଧାନୀ ଏକ୍ସପ୍ରେସରେ ୬ ତାରିଖରେ ସେମାନେ ଦିଲ୍ଲୀରୁ ବାହାରିବେ। ସେମାନଙ୍କ ସହିତ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ଏବଂ ଓଡ଼ିଶା ଭବନ କର୍ମଚାରୀ ସାଙ୍ଗରେ ଆସିବେ। ସମସ୍ତେ ୭ ତାରିଖରେ ଓଡ଼ିଶାରେ ପହଁଚିବେ। ଏହା ପରେ ସେମାନଙ୍କୁ କଟକ ଏସ୍‌ସିବି ମେଡ଼ିକାଲକୁ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ଏସ୍‌ସିବିରେ ଜଗା କାଳିଆଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଦୁଇ ଶିଶୁଙ୍କୁ ଏସ୍‌ସିବିର ସର୍ଜରି ବିଭାଗର ୧ ନମ୍ବର କ୍ୟାବିନ୍‌ରେ ରଖାଯିବ। ଦୁଇ ଭାଇଙ୍କ ଚିକିତ୍ସା ପାଇଁ ୬ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ଗଠନ କରାଯାଇଛି। ଉକ୍ତ ଡାକ୍ତରୀ ଟିମ୍‌ ଦୁଇ ଜଣଙ୍କ ଉପରେ ଚବିଶ ଘଣ୍ଟିଆ ନଜର ରଖିବେ। ଆବଶ୍ୟକ ପଡ଼ିଲେ ଜଣେ ଡାଏଟିସିଆନ୍‌ ଓ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଶେଷଜ୍ଞଙ୍କୁ ମଧ୍ୟ ଟିମ୍‌ରେ ରଖାଯିବ ବୋଲି ଏସ୍‌ସିବି ଜରୁରିକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି।

Comments are closed.