ଏଣିକି ପ୍ରଶ୍ନ ପତ୍ର ପ୍ରସ୍ତୁତ ସହ ବଢ଼ିବ ଖାତା ଦେଖା ପାଉଣା

ଭୁବନେଶ୍ୱର : ଏଣିକି ଯୁକ୍ତ୩ ପରୀକ୍ଷା ଖାତା ଦେଖୁଥିବା ଅଧ୍ୟାପକଙ୍କୁ ମିଳିବ ଦୁଇ ଗୁଣ ପାଉଣା। ପୂର୍ବରୁ ଗୋଟିଏ ଉତ୍ତର ଖାତା ପିଛା ୧୫ରୁ ୨୦ ଟଙ୍କା ମିଳୁଥିଲା। ଏବେ ତାହାକୁ ୩୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବିଶ୍ବବିଦ୍ୟାଳୟ ଓ ଯୁକ୍ତ୩ କଲେଜଗୁଡ଼ିକର ପରୀକ୍ଷା ସଂସ୍କାର ନେଇ ଉଚ୍ଚଶିକ୍ଷା ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ ଖାତା ଦେଖା ପାଇଁ ମୂଲ୍ୟାୟନକାରୀଙ୍କୁ ମିଳୁଥିବା ଅର୍ଥ ବଢ଼ାଯିବ। ଏଥିସହ ପ୍ରଶ୍ନ ପ୍ରସ୍ତୁତକାରୀଙ୍କ ପାଉଣା ମଧ୍ୟ ବୃଦ୍ଧି ପାଇବ। ପ୍ରଶ୍ନ ପ୍ରସ୍ତୁତକାରୀଙ୍କୁ ୫୦୦ ଟଙ୍କା ମିଳୁଥିଲା। ଏଣିକି ୧୦୦୦ ଟଙ୍କା ମିଳିବ।
ଖାତା ମୂଲ୍ୟାୟନ ଓ ଫଳ ପ୍ରକାଶରେ ବିଳମ୍ବକୁ ନେଇ ମନ୍ତ୍ରୀ ଶ୍ରୀ ସାହୁ ଅସନ୍ତୋଷ ପ୍ରକାଶ କରିଥିଲେ। କେଉଁ କାରଣ ଯୋଗୁଁ ପ୍ରତିବର୍ଷ ଫଳ ପ୍ରକାଶରେ ବିଳମ୍ବ ହେଉଛି ସେନେଇ ପରୀକ୍ଷା ନିୟନ୍ତ୍ରକମାନଙ୍କଠାରୁ ଉତ୍ତର ଚାହିଁଥିଲେ। ମୂଲ୍ୟାୟନରେ ବିଳମ୍ବ ହେଉଥିବାରୁ ଫଳ ଡେରିରେ ବାହାରୁଛି ବୋଲି ଜାଣିବାକୁ ପାଇଥିଲେ। ତେଣୁ ମୂଲ୍ୟାୟନ କେନ୍ଦ୍ର ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରତି ୧୨ରୁ ୧୫ଟି କଲେଜକୁ ନେଇ ଗୋଟିଏ ଲେଖାଏ ମୂଲ୍ୟାୟନ କେନ୍ଦ୍ର ହେବ। ଏଥିସହ ପ୍ରଶ୍ନପତ୍ର ସେଟ୍ ମଧ୍ୟ ବୃଦ୍ଧି କରାଯିବ। ଗୋଟିଏ ସମୟରେ ଏକାଧିକ ପାଠ୍ୟକ୍ରମର ଖାତା ମୂଲ୍ୟାୟନ ହେଉଥିବାରୁ ସମସ୍ୟା ସୃଷ୍ଟି ହେଉଛି। ତେଣୁ ଖାତା ଦେଖା ସମୟରେ ଯେମିତି ଉପଯୁକ୍ତ ବ୍ୟବଧାନ ରଖାଯାଇପାରିବ ସେନେଇ ପରୀକ୍ଷା ନିୟନ୍ତ୍ରକମାନଙ୍କୁ ପରାମର୍ଶ ଦିଆଯାଇଛି।
ଯୁକ୍ତ୩ ପରୀକ୍ଷାରେ ଆସିବ ସଂସ୍କାର, ବଢ଼ିବ ଖାତା ଦେଖା
Comments are closed.