ଜଳସଙ୍କଟର ଶିକାର ହେବ ଓଡ଼ିଶା: ନୀତି ଆୟୋଗ
ଭୁବନେଶ୍ବର: କଥାରେ ଅଛି ଜଳ ହିଁ ଜୀବନ। ଜଳ ବିନା ବଞ୍ଚିବା ଅସମ୍ଭବ। ହେଲେ ନୀତି ଆୟାଗର ରିପୋର୍ଟ ଯାହା କହୁଛି ଆପଣ ଶୁଣିଲେ ଆପଣଙ୍କର ନିଦ ହଜିଯିବ। ଦେଶରେ କିଛି ରାଜ୍ୟ ଜଳସଙ୍କଟ ଦେଇ ଗତି କରିଛୁନ୍ତି। ଯଦି ଓଡ଼ିଶା ଏଥିପ୍ରତି ସେଚତନ ନହୁଏ ତେବେ ଓଡ଼ିଶା ମଧ୍ୟ ଅନ୍ୟରାଜ୍ୟଙ୍କ ଭଳି ଜଳ ସଙ୍କଟର ଶିକାର ହେବ। କାରଣ ରାଜ୍ୟରେ ଜଳ ପରିଚାଳନା ପାଇଁ ନାହିଁ ସ୍ୱତନ୍ତ୍ର ଆଇନ୍। ଦିନକୁ ଦିନ ଜଳାଶୟକୁ ଜବରଦଖଲ କରି ନିର୍ମାଣ ହୁ ହୁ ହୋଇ ବଢ଼ି ଚାଲିଛି। ଭୂତଳ ଜଳସ୍ତରର ଖସୁଛି ତଳକୁ ତଳକୁ। ମୌସୁମୀ ବି କାଳ ସାଜିଲାଣି। ବର୍ଷାର ଅନିୟମିତତା କାରଣରୁ ଜଳ ସଂରକ୍ଷଣ ହୋଇପାରୁନି। ଜଳର ସୁଷମ ପରିଚାଳନା ପାଇଁ ନୀତି ନାହିଁ କି ନିୟମ ନାହିଁ। ଜଳ ପରିଚାଳନା ପ୍ରତି ଏମିତି ବେପରୁଆ ମନୋଭାବ ଓଡ଼ିଶାକୁ ଏକ ବଡ଼ ସଂକଟ ଆଡକୁ ନେଉଛି। ଆଉ ଗୋଟିଏ ଦଶନ୍ଧି ପରେ ପାଣି ମୁନ୍ଦିଏ ପାଇଁ ଓଡ଼ିଶାବାସୀ ଛଟପଟ ହେବେ। ରାଜଧାନୀର ଜିଲ୍ଲା ଖୋର୍ଦ୍ଧା ସମେତ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଏ ଜଳ ସଂକଟ ଉତ୍କଟ ରୂପ ଧାରଣ କରିବ। ପାଣି ପାଇଁ ଲୋକ ତ୍ରାହି ତ୍ରାହି ଡାକିବେ। ଏମିତି ସତର୍କ କରାଇ ଦେଇଛି ନୀତି ଆୟୋଗ।
କଣ କହୁଛି ରିପୋର୍ଟ:
ନୀତି ଆୟୋଗ ଦ୍ୱାରା ପ୍ରକାଶିତ ଗୋଷ୍ଠୀଗତ ଜଳ ପରିଚାଳନା ରିପୋର୍ଟ-୨୦୧୯ରେ ଓଡ଼ିଶାର ଜଳ ପରିଚାଳନା ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ରିପୋର୍ଟ କହୁଛି, ରାଜ୍ୟରେ ଜନସଂଖ୍ୟା ଯେଉଁ ହାରରେ ବଢ଼ୁଛି, ଜଳର ଚାହିଦା ମଧ୍ୟ ସେହି ଅନୁପାତରେ ବଢ଼ି ବଢ଼ି ଚାଲିଛି। ମାତ୍ର ରାଜ୍ୟ ସରକାର ରାଜ୍ୟରେ ଉପଲବ୍ଧ ଜଳର ତତ୍ତ୍ୱାବଧାରକ ଭାବେ ଜଳର ସଂରକ୍ଷଣ ଓ ପରିଚାଳନା ପ୍ରତି ଯଥେଷ୍ଟ ଆନ୍ତରିକତା ପ୍ରକାଶ କରୁନାହାନ୍ତି। ଫଳରେ ନୀତି ଆୟୋଗର ସୂଚକାଙ୍କରେ ରାଜ୍ୟ ତଳକୁ ଖସିଛି। ଅଣ-ହିମାଳୟ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ସବୁଠୁ ତଳେ ଅଛି। ଏକମାତ୍ର ରାଜ୍ୟ ଯାହାର ଏ ନେଇ କିଛି ଆଇନ ନାହିଁ। ୨୦୧୫-୧୬ ଆର୍ଥିକ ବର୍ଷରେ ନୀତି ଆୟୋଗ ସୂଚକାଙ୍କରେ ଓଡ଼ିଶା ୪୬.୨ ସ୍କୋର କରିଥିଲା ବେଳେ ତାହା ୧୬-୧୭ରେ ୪୧.୬ ଏବଂ ୨୦୧୭-୧୮ରେ ୩୮.୯କୁ ଖସିଛି। ଏ ହାର ଉଦ୍ବେଗଜନକ ବୋଲି ଆୟୋଗ ସ୍ପଷ୍ଟ କରିଛି। ଏପରିକି ଅଣ-ହିମାଳୟ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ର୍ୟାଙ୍କରେ ସବାତଳେ (୧୭ତମ ସ୍ଥାନ)ରେ ଅଛି । ବିହାର ଭଳି ରାଜ୍ୟ ମଧ୍ୟ ଓଡ଼ିଶା ଉପରେ ଅଛି।
୭ଟି ଜିଲ୍ଲା:
ନୀତି ଆୟୋଗ ଦ୍ୱାରା ପ୍ରକାଶିତ ଏ ରିପୋର୍ଟ ଦର୍ଶାଇଛି, ରାଜ୍ୟର ଉପକୂଳ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ୭ ଜିଲ୍ଲାରେ ଜଳ ଉପରେ ଚାପ ରହିଛି। ଏ ଜିଲ୍ଲାଗୁଡ଼ିକରେ ୮୦ ପ୍ରତିଶତ ଜଳ ଉପଲବ୍ଧ ଥିଲା ବେଳେ ମାତ୍ର ୪୦% ଜଳ ବ୍ୟବହାର ପାଇଁ ଉତ୍ତୋଳନ କରି ହେଉଛି। ବିଶେଷ କରି ଏ ଜିଲ୍ଲାଗୁଡ଼ିକର ସହରାଞ୍ଚଳରେ ଜଳ ବ୍ୟବହାର ଉପରେ ଚାପ ପରିମାଣ ବଢ଼ି ଚାଲିଛି। ଏହାର କାରଣ ଭାବେ ଦର୍ଶାଯାଇଛି, ଖୋର୍ଦ୍ଧା ଭଳି ଉପକୂଳ ଜିଲ୍ଲାରେ ନଭେମ୍ବରରୁ ମାର୍ଚ୍ଚ ମଧ୍ୟରେ ୮ ରୁ ୧୦୦ ପ୍ରତିଶତ ବର୍ଷା କମ୍ ହେଉଛି। ଗତ ୪ ବର୍ଷର ମୌସୁମୀ ରେକର୍ଡ କହୁଛି, ଜୁନରୁ ଅଗଷ୍ଟ ମଧ୍ୟରେ ୧୦ ରୁ ୭୫% ବର୍ଷା କମ୍ ହେଉଛି। ପୁରୀ ଜିଲ୍ଲାରେ ମଧ୍ୟ ସମାନ ଅବସ୍ଥା। ଅନିୟମିତ ଓ କମ୍ ବର୍ଷା ଜଳ ଅମଳରେ ବାଧକ ସାଜିଛି। ଗଞ୍ଜାମରେ ବର୍ଷା ପରିମାଣ କମୁଥିଲା ବେଳେ ରାୟଗଡ଼ା ଓ ଗଜପତିରେ ମଧ୍ୟ ବର୍ଷାର ପରିମାଣ କମୁଛି କିମ୍ବା ବଢ଼ୁଛି। ବଲାଙ୍ଗୀର ଓ ବରଗଡ଼ରେ ଗତ ୫ ବର୍ଷର ରେକର୍ଡ କହୁଛି, ମୌସୁମୀରେ ବର୍ଷାର ପରିମାଣ କମି ଚାଲିଛି। ଏ ୭ ଜିଲ୍ଲାରେ ଆଗକୁ ଭୟଙ୍କର ଭାବେ ଜଳ ସଂକଟ ଉପୁଜିପାରେ। ଛଡ଼ା ଦେବଗଡ଼, ସୋନପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ର କିଛି ସ୍ଥାନରେ ମଧ୍ୟ ଜଳାଭାବର ଆଶଙ୍କା ରହିଛି।
ଡାଟା ସେଣ୍ଟରରେ ନାହିଁ ତଥ୍ୟ:
ରିପୋର୍ଟ ମୁତାବିକ,ରାଜ୍ୟରେ ଜଳ ବ୍ୟବହାର ସଂପର୍କରେ ବିଶ୍ଳେଷଣ କରିବାକୁ ସମନ୍ୱିତ ଡାଟା ସେଣ୍ଟର ଆବଶ୍ୟକ ଥିଲେ ମଧ୍ୟ ଏହା ଖୋଲିନି। ଏ ସେଣ୍ଟରରେ ଜଳର ଚାହିଦା ନେଇ ୨୮ଟି ଦିଗ ଉପରେ ଅନୁଧ୍ୟାନ କରିବାର ପ୍ରାବଧାନ ରହିଛି। ଓଡ଼ିଶାର ନଦୀଗୁଡ଼ିକର ରାଜ୍ୟର ମୋଟ ଘରୋଇ ଉତ୍ପାଦକୁ ବହୁତ ଅବଦାନ ରହିଛି। ରାଜ୍ୟର ନଦୀକୂଳରେ କେତେ ଜନସଂଖ୍ୟା ବଢ଼ିଛି, ସେମାନେ ଜଳାଶୟକୁ କବଜା କରିଛନ୍ତି ନା ନାହିଁ ସେ ସଂପର୍କରେ ଡାଟା ସେଣ୍ଟର ଅଭାବରୁ ସଠିକ୍ ତଥ୍ୟ ମିଳୁନାହିଁ। ଏହାଛଡ଼ା ରାଜ୍ୟରେ ସହରାଞ୍ଚଳ ସହ ବାଣିଜ୍ୟିକ କାରବାର ବଢ଼ି ବଢ଼ି ଚାଳିଥିଲା ବେଳେ ଏହା ଜଙ୍ଗଲ ପରିମାଣକୁ କମାଇ ଚାଲିଛି। ଭୂତଳ ଜଳଉତ୍ସ ପୁନଃସଂଚରିତ ହୋଇପାରୁନି। ନିର୍ଦ୍ଦିଷ୍ଟ ଭାବେ ସରକାରଙ୍କର ନିୟମ ନଥିବା କାରଣରୁ ସହରାଞ୍ଚଳରେ ପ୍ରାକୃତିକ ଜଳାଶୟ ଜବରଦଖଲ ବଢ଼ିବା ସହ କଂକ୍ରିଟ ନିର୍ମାଣ ମଧ୍ୟ ବଢ଼ିଛି। ଯାହା ଆଗକୁ ସହରଗୁଡ଼ିକରେ ନାହିଁ ନଥିବା ଜଳ ସଂକଟ ଛିଡ଼ା କରାଇବ।
ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପାଇପ ଜଳ ଯୋଗାଣ ପ୍ରକଳ୍ପ ବଢ଼ି ବଢ଼ି ଚାଲିଛି। ଶିଳ୍ପସଂସ୍ଥାଗୁଡ଼ିକ ମଧ୍ୟ ଅଧିକ ଜଳ ଟାଣୁଛନ୍ତି। ମାତ୍ର ସେଇ ଅନୁପାତରେ ସୁସମ ଜଳ ପରିଚାଳନାକୁ ରାଜ୍ୟ ସରକାର ଅଗ୍ରାଧିକାର ଦେଇନାହାନ୍ତି। ବର୍ଷା ଜଳ ଅମଳ କାର୍ଯ୍ୟକ୍ରମକୁ ମଧ୍ୟ ମିଶନ ମୋଡରେ କରାଯାଉନି। ମୋଟାମୋଟି ଭାବେ ରାଜ୍ୟ ସରକାର ଜଳ ସଂରକ୍ଷଣ ଦିଗ ପ୍ରତି ଏଯାଏ ଧ୍ୟାନ ମଧ୍ୟ ଦେଇନାହାନ୍ତି। ଏମିତି ସ୍ଥିତି ଲାଗି ରହିଲେ ଆଉ କିଛି ବର୍ଷ ପରେ ରାଜ୍ୟ ଗମ୍ଭୀର ଜଳ ସଂକଟର ସମ୍ମୁଖୀନ ହେବ। ରାଜ୍ୟର ଆର୍ଥିକ ଅଭିବୃଦ୍ଧି, ଜୀବନ ଜୀବିକା ସହ ପରିବେଶ ସନ୍ତୁଳନ ମଧ୍ୟ ବିଗିଡ଼ିଯିବ ବୋଲି ନୀତି ଆୟୋଗ ସତର୍କ କରାଇ ଦେଇଛି।
Comments are closed.