ଜିତେନ୍ଦ୍ର ସୁନା: ଦିନ ମଜୁରିଆରୁ ଜେଏନୟୁ ସଭାପତି ପ୍ରାର୍ଥୀ
ନୂଆଦିଲ୍ଲୀ: ଦେଶର ସବୁଠାରୁ ଚର୍ଚ୍ଚିତ ବିଶ୍ବବିଦ୍ୟାଳୟ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ (ଜେଏନ୍ୟୁ)ରେ ବାଜିଲା ଛାତ୍ର ସଂସଦ ନିର୍ବାଚନ ବିଗୁଲ। ସେପ୍ଟମ୍ବର ୬ ତାରିଖରେ ଜେଏନ୍ୟୁରେ ହେବ ଛାତ୍ର ସଂସଦ ନିର୍ବାଚନ। ସେନେଇ ପ୍ରସ୍ତୁତି ଚଲାଇଛନ୍ତି ବିଭିନ୍ନ ଛାତ୍ର ସଙ୍ଗଠନ। ଗଣମାଧ୍ୟମରେ ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ ଚଳିତ ବର୍ଷ ଜେଏନ୍ୟୁ ଛାତ୍ର ସଂସଦ ନିର୍ବାଚନରେ ମୋଟ୍ ୬ଜଣ ଆଶାୟୀ ପ୍ରାର୍ଥୀ ସଭାପତି ପଦ ପାଇଁ ଲଢିବେ। ସେ ମଧ୍ୟରେ ସାମିଲ ଅଛନ୍ତି ଓଡ଼ିଆ ପୁଅ ଜିତେନ୍ଦ୍ର ସୁନା। ସେ ବିର୍ଶା ଆମ୍ବେଦକର ଫୁଲେ ଷ୍ଟୁଡେଣ୍ଟ ଆସୋସିଏସନ(ବିଏପିଏସ୍ଏ) ପକ୍ଷରୁ ସଭାପତି ପ୍ରାର୍ଥୀ ପାଇଁ ଆଶାୟୀ ଅଛନ୍ତି। ସେହିପରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ପକ୍ଷରୁ ମନିଷ ଜଙ୍ଗିଡ। ଏନ୍ଏସ୍ୟୁଆଇ ପକ୍ଷରୁ ପ୍ରଶାନ୍ତ କୁମାର। ସିଆରଜେଡି ପକ୍ଷରୁ ପ୍ରିୟଙ୍କା ଭାରତୀ। ଏସ୍ଏଫ୍ଆଇ ପକ୍ଷରୁ ଆଇଷି ଘୋଷ ଏବଂ ରାଘବେନ୍ଦ୍ର ମିଶ୍ର ସ୍ବାଧୀନ ପ୍ରାର୍ଥୀ ଭାବେ ସଭାପତି ପଦ ପାଇଁ ଆଶାୟୀ ଅଛନ୍ତି।
ଜେଏନ୍ୟୁ ଛାତ୍ର ସଂସଦ ନିର୍ବାଚନରେ ଓଡ଼ିଆ ପୁଅ:
ନାମ ଜିତେନ୍ଦ୍ର ସୁନା। ବୟସ ୨୯ ବର୍ଷ। ଘର କଳାହାଣ୍ଡି ଜିଲ୍ଲା ପୌରକେଲା। ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲା ବେଳେ ମାଙ୍କୁ ହରାଇ ବସିଲେ ଜିତେନ୍ଦ୍ର। ହେଲେ ହାର ମାନି ନଥିଲେ ଜିତେନ୍ଦ୍ର। ଦିନ ମଜୁରିଆ ଏବଂ କୃଷି କାର୍ଯ୍ୟ କରି ପରିବାର ଚଳେଇବା ସହିତ ନିଜ ପାଠ ପଢା କେବେ ହେଲେ ଛାଡ଼ି ନଥିଲେ। କଥାରେ ଅଛି ଯଦି ମନରେ ଅଦମ୍ୟ ଇଚ୍ଛାଶକ୍ତି ଅଛି କୌଣସି ଅଭାବେ ଅନଟନ କେବେ ବି ଅଟକାଇ ପାରିବ ନାହିଁଁ। ସେହିପରି ଜୀବନର ସଂଘର୍ଷର ଯାତ୍ରାରେ ହାର ମାନି ନାହାନ୍ତି ଜିତେନ୍ଦ୍ର ସୁନା।
ଗ୍ୟାସ ସହକାରୀ ପଦରୁ ଆଶାୟୀ ସଭାପତି ପାର୍ଥୀ:
କିଏ ଜାଣିଲା କେବେ କାହାର ଭାଗ୍ୟ ବଦଳିଯିବ। ଠିକ୍ ସେହିପରି ଉଦାହରଣ ହେଉଛନ୍ତି ଓଡ଼ିଆ ପୁଅ ଜିତେନ୍ଦ୍ର ସୁନା। ୨୦୦୯ ମସିହାରେ ଜିତେନ୍ଦ୍ର ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡରେ କାର୍ଯ୍ୟ କରୁଥିଲେ। ସେ ଗ୍ୟାସ୍ ପାଇପ ଲାଇନ ମରାମତି, ରାସ୍ତା ଖୋଳି ଗ୍ୟାସ୍ ସଂଯୋଗ ଦେବା ଆଦି କାର୍ଯ୍ୟ କରୁଥିଲେ ଜିତେନ୍ଦ୍ର। ହେଲେ ୧୦ ବର୍ଷ ପରେ ଜିତେନ୍ଦ୍ର ଜେଏନ୍ୟୁରେ ଆଶୟୀ ସଭାପତି ପଦରେ ସାମିଲ ଅଛନ୍ତି। ବିର୍ସା ଆମ୍ବେଦକର ଫୁଏଲ ଷ୍ଟୁଡେଣ୍ଟ ଆସୋସିଏସନ(ବିଏପିଏସ୍ଏ) ପକ୍ଷରୁ ସଭାପତି ପ୍ରାର୍ଥୀ ପାଇଁ ଆଶାୟୀ ଅଛନ୍ତି।
ସଂଘର୍ଷର ଯାତ୍ରା ବିଷୟରେ କଣ କୁହନ୍ତି ଜିତେନ୍ଦ୍ର:
ଜିତେନ୍ଦ୍ର ସୁନା କହିଛନ୍ତି ଯେ, ମୁଁ ଯେତେବେଳେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲେ ସେତେବେଳେ ମୋ ମାଙ୍କ ପରଲୋକ ହୋଇଗଲା। ଆମେ ୬ଜଣ ଭାଇ ଭଉଣୀ ଚଳିବା ଭାରି କଷ୍ଟକର ହେଉଥିଲା। ଏସବୁକୁ ଦୃଷ୍ଟିରେ ରଖି ମୁୁଁ ଅନ୍ୟମାନଙ୍କ ଚାଷ ଜମିରେ କାର୍ଯ୍ୟକରି ଦିନକୁ ୩୦ରୁ ୪୦ ଟଙ୍କା ଆଣୁଥିଲି ବୋଲି କହିଛନ୍ତି ଜିତେନ୍ଦ୍ର। ଏହାପରେ ମନେରଗା ଯୋଜନା ଦ୍ବାରା ଦିନ ମଜୁରିଆ ଭାବେ କାର୍ଯ୍ୟକରି ୧୦୦-୧୫୦ ଟଙ୍କା ରାଜଗାର କରୁଥିଲି ବୋଲି କହିଛନ୍ତି ଜିତେନ୍ଦ୍ର। ହେଲେ ପାଠପଢା କେବେ ଛାଡିନଥିଲେ ଜିତେନ୍ଦ୍ର।
ସେ ସାଙ୍ଗଙ୍କ ପରାମର୍ଶ କ୍ରମେ ନାଗପୁର ଯାଇ ମାଗଣା ୟୁପିଏସ୍ଇ କୋଚିଂ ୧୦ ମାସ ନେଇଥିଲେ। ସେଠାରେ ଥିବା ସମୟରେ ଉଚ୍ଚଶିକ୍ଷା ଲାଭ କରିବା ପାଇଁ ମନ ବଳାଇଥିଲେ ଜିତେନ୍ଦ୍ର। ପରେ ସାଙ୍ଗ ମାନଙ୍କ ପରାମର୍ଶ କ୍ରମେ ସେ ଜେଏନ୍ୟୁରେ ୨୦୧୩ ମସିହାରେ ଏମ୍ଏ ପାଠ୍ୟକ୍ରମରେ ନାମ ଲେଖାଇଥିଲେ। ଇତିହାସ ବିଭାଗରେ ଜିତେନ୍ଦ୍ର ନିଜର ସ୍ନାତକୋତ୍ତର ପୂରଣ କରିଥିଲେ। ଏହାପରେ ସେ ସେଣ୍ଟର ଅଫ୍ ଷ୍ଟଡିଜ୍ ଅଫ୍ ସୋସିଆଲ ଏକ୍ସକ୍ଲୁଜନ ଆଣ୍ଡ ଏନ୍କ୍ଲୁସିଭ୍ରେ ନିଜର ଏମ୍.ଫିଲ ପାଠ୍ୟ ଶେଷ କରିଥିଲେ। ଆଉ ଏବେ ସେ ଏହି ବିଷୟରେ ପିଏଚ୍.ଡି ମଧ୍ୟ କରୁଛନ୍ତି।
Comments are closed.