ମଠ ଭଙ୍ଗା ପାଇଁ ଷଡ଼ଯନ୍ତ୍ର ହେଉଛି : ଶଙ୍କରାଚାର୍ଯ୍ୟ
ପୁରୀ : ପୁରୀରେ ମଠ ଭଙ୍ଗା ପାଇଁ ଷଡ଼ଯନ୍ତ୍ର ହେଉଛି। ମଠ ପରିଚାଳନା ସ୍ୱତନ୍ତ୍ରଭାବେ ହେବା ଉଚିତ। ନିର୍ଦ୍ଧିଷ୍ଟ ଯୋଜନା ଅନୁଯାୟୀ ଉଚ୍ଛେଦ କାର୍ଯ୍ୟ କରାଯାଉନାହିଁ। ଏଭଳି କହିଛନ୍ତି ଶଙ୍କରାଚାର୍ଯ୍ୟ ନିଶ୍ଛଳାନନ୍ଦ ସରସ୍ୱତୀ। ପୁରୀରେ ଉଚ୍ଛେଦ ଅଭିଯାନ ପ୍ରସଙ୍ଗକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ପ୍ରତିକ୍ରିୟା ରଖି ଶଙ୍କରାଚାର୍ଯ୍ୟ କହିଛନ୍ତି। ଏହି ଅବସରରେ ଶଙ୍କରାଚାର୍ଯ୍ୟ ସରକାରଙ୍କ ଉପରେ ବର୍ଷିବା ସହ ନିଜର କ୍ଷୋଭ ପ୍ରକାଶ କରିଛନ୍ତି।
ସେ କହିଛନ୍ତି ଯେ, ସେକୁଲାର ବ୍ୟବସ୍ଥାରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ନହେଉ। ପୂର୍ଣ୍ଣ ଧାର୍ମିକ ବିଧି ବ୍ୟବସ୍ଥାରେ ଶ୍ରୀମନ୍ଦିର ପରିଚାଳିତ ହେଉ। ଏହି ଅବସରରେ ବିପି ଦାସ କମିଶନ କାହିଁକି ମୋର ପରାମର୍ଶ ନେଲେ ନାହିଁ ବୋଲି ଶଙ୍କରାଚାର୍ଯ୍ୟ ପ୍ରଶ୍ନ କରିଛନ୍ତି। ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବା ତାଙ୍କର କ’ଣ ଦାୟିତ୍ୱ ନଥିଲା କି? ଖାଲି ସେତିକି ନୁହେଁ କେଉଁ ଶାସନତନ୍ତ୍ର ତାଙ୍କୁ ଶଙ୍କରାଚାର୍ଯ୍ୟ ପାଖକୁ ଆସିବାକୁ ରୋକିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାର ବିଧିବଦ୍ଧ ତଦନ୍ତ ହେଉ। ଏନେଇ ଏକ ଯାଞ୍ଚ ସମତି ଗଠନ ହେଉ ବୋଲି ସେ ଦାବି କରିଛନ୍ତି।
ଏପରିକି ମୋର ବିଶେଷ ଅଧିକାର ବଳରେ କମିଶନଙ୍କ ରିପୋର୍ଟକୁ ଅବୈଧ ଘୋଷଣା କରୁଛି ବୋଲି ସେ କହିଥିଲେ। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କୁ୍ୟରିଙ୍କ ପଦକ୍ଷେପଙ୍କୁ ମଧ୍ୟ ଶଙ୍କରାଚାର୍ଯ୍ୟ ନିନ୍ଦା କରିଛନ୍ତି। ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବା ଆମିକସ କୁ୍ୟରିଙ୍କ ଦାୟିତ୍ୱ ନଥିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି।
Comments are closed.