Odisha Link
Bridging the Missing Links in Odisha

୩୦ ବର୍ଷ ପରେ ଗାଁକୁ ଫେରିଲେ ସୁମିତ୍ରା

ବାରିପଦା: ଦୀର୍ଘ ୩୦ ବର୍ଷ ପରେ ଘରକୁ ଫେରିଲେ ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ପରିଆକୁଲି ଗ୍ରାମର ସୁମିତ୍ରା ବେହେରା। ବର୍ଷେ କିମ୍ବା ୨ବର୍ଷ ନୁହେଁ ପୁରା ୩୦ ବର୍ଷ ପରେ ନିଜ ମାଟିକୁ ଆସିଛନ୍ତି ସୁମିତ୍ରା। ମୁମ୍ବାଇ ର ଏକ ପ୍ରତିଷ୍ଠିତ ଏନଜିଓ ସଂସ୍ଥା ଶ୍ରଦ୍ଧା ରିହାବିଲିଟେସନ ଫାଉଣ୍ଡେସନ ଆଣ୍ଡ ହସ୍ପିଟାଲର ସାହାଯ୍ୟ ସହଯୋଗ ବଳରେ ନିଜ ମାଟିରେ ପହଞ୍ଚିପାରିଛନ୍ତି ସୁମିତ୍ରା।

୩୦ ବର୍ଷ ତଳେ ମହିଳା ଜଣଙ୍କ ଘରୁ କୁଆଡ଼େ ପଳାଇଥିଲେ। ପରିବାର ଲୋକଙ୍କ ବହୁତ ଖୋଜାଖୋଜି ପରେ ମଧ୍ୟ ସୁମିତ୍ରାଙ୍କର କୌଣସି ଖୋଜ ଖବର ମିଳିନଥିଲା। ସୁମିତ୍ରା ଘରୁ ଯିବା ସମୟରେ ତାଙ୍କର ଦୁଇ ପୁତ୍ର ମଧ୍ୟ ଥିଲେ। ସ୍ବାମୀ ଅନ୍ୟତ୍ର ବିବାହ କରି ଘର ସଂସାର କରି ରହୁଥିଲେ। ସୁମିତ୍ରା ଘରୁ କୁଆଡ଼େ ଯାଇଛନ୍ତି ତାହା କାହା ପାଖରେ ବି ଖବର ନ ଥିଲା। ମୁମ୍ବାଇର ଏକ ଏନଜିଓ ସଂସ୍ଥା ସୁମିତ୍ରାକୁ ମାନସିକ ଅସୁସ୍ଥ ଅବସ୍ଥାରେ ରାସ୍ତାକଡରୁ ଉଦ୍ଧାର କରି ୨୦୦୫ ମସିହାରେ ଚେନ୍ନାଇର ଏକ ମେଣ୍ଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ୨୦୦୫ରୁ ଚେନ୍ନାଇ ରେ ଚିକିତ୍ସିତ ହେଉଥିବା ସୁମିତ୍ରା ଙ୍କୁ ମୁମ୍ବାଇ ର ଏନଜିଓ ସଂସ୍ଥା ଶ୍ରଦ୍ଧା ରିହାବିଲିଟେସନ ଫାଉଣ୍ଡେସନ ଆଣ୍ଡ ହସ୍ପିଟାଲ ର ସାମାଜିକ କର୍ମୀ ଲକ୍ଷ୍ମୀପ୍ରିୟା ବିଶୋଇ କିଛି ଦିନ ପୂର୍ବରୁ ଭେଟିଥିଲେ। ସୁମିତ୍ରାଙ୍କ ଠାରୁ ଠିକଣା ସଂଗ୍ରହ କରିବା ପରେ ତାଙ୍କୁ ଉକ୍ତ ଅନୁଷ୍ଠାନ ପକ୍ଷରୁ ଗ୍ରାମକୁ ଅଣାଯାଇଛି।

ଦୀର୍ଘ ବର୍ଷ ପରେ ପରିଆକୁଲି ଗାଁକୁ ସୁମିତ୍ରା ଫେରୁଥିବା ଖବର ପାଇ ଗ୍ରାମବାସୀ ସ୍ବାଗତ ପାଇଁ ଭିଡ଼ ଜମାଇଛନ୍ତି। ସେପଟେ ମାକୁ ପାଇ ଦୁଇ ପୁଅ ଆନନ୍ଦରେ ବିଭୋର ହୋଇପଡ଼ିଛନ୍ତି। ଗ୍ରାମବାସୀ ସୁମିତ୍ରାଙ୍କ ସମେତ ଦୁଇ ସାମାଜିକ କର୍ମୀଙ୍କୁ ଫୁଲ ଚନ୍ଦନ ଓ ଶଙ୍ଖ ହୁଳୁହୁଳି ରେ ଭବ୍ୟ ସମ୍ବର୍ଦ୍ଧନା ଦେଇ ପାଛୋଟି ନେଇଛନ୍ତି।

Comments are closed.