ଅଟୋକୁ ଜରିମାନା ୪୭ ହଜାର
ଭୁବନେଶ୍ୱର: ନୂଆ ମୋଟର ଯାନ ଆକ୍ଟ ପରେ ଭୁବନେଶ୍ୱରରେ ଫସିଲେ ଜଣେ ଅଟୋ ଚାଳକ। ନିୟମ ଉଲ୍ଲଂଘନ ଅଭିଯୋଗରେ ତାଙ୍କୁ ୪୭ ହଜାର ୫୦୦ ଟଙ୍କାର ଜୋରିମାନା କରାଯାଇଛି। ଗୋଟିଏ କି ଦୁଇଟି ନୁହେଁ ମୋଟ ୮ଟି ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ସମ୍ପୃକ୍ତ ଅଟୋ ଚାଳକଙ୍କ ଉପରେ ଏହି ଜୋରିମାନା କରାଯାଇଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥା ଟା ଏକଦମ ସତ। ଆଚାର୍ଯ୍ୟ ବିହାର ଛକରେ ଯାଞ୍ଚ ବେଳେ ଟ୍ରାଫିକ ପୁଲିସ ଉକ୍ତ ଅଟୋକୁ ଅଟାକାଇଥିଲେ। ସମ୍ପୃକ୍ତ ଅଟୋ ଚାଳକ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଜଣାପଡ଼ିଥିଲା। ଖାଲି ମଦ ନୁହେଁ ଆହୁରି ୭ଟି ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ପୁଲିସ ଅଟୋ ଚାଳକ ହରିବନ୍ଧୁ କହଁରଙ୍କ ଉପରେ ୪୭ ହଜାର ୫୦୦ ଟଙ୍କାର ଜୋରିମାନା କରାଯାଇଛି। କେଉଁଥି ପାଇଁ କେତେ ଜୋରିମାନା କରାଯାଇଛି ତାହା ନିମ୍ନରେ ଉଲ୍ଲେଖ କରାଯାଇଛି।
-ଜଣେ ମାଲିକ ଥାଇ ଅନ୍ୟକୁ ଗାଡ଼ି ଦେବାକୁ ନେଇ ୫ ହଜାର ଟଙ୍କା।
-ବୈଧ ଡ୍ରାଇଭିଂ ଲାଇସେନ୍ସ ନଥାଇ ଡ୍ରାଇଭିଂ ପାଇଁ ୫ ହଜାର।
-ମଦ ପିଇ ଅଟୋ ଚଳାଇବା ନେଇ ୧୦ ହଜାର ଜୋରିମାନା।
-ପ୍ରଦୂଷଣ ନିୟମ ଉଲ୍ଲଂଘନ କରିବା ନେଇ ୧୦ ହଜାର ଜୋରିମାନା।
-ରେଜିଷ୍ଟ୍ରେସନ ନଥାଇ ଗାଡ଼ି ଚଳାଇବାନେଇ ୫ ହଜାର।
-ପରମିଟ ନଥାଇ ଅଟୋ ଚଳାଯାଉଥିବାନେଇ ୧୦ ହଜାର।
– ଇନସୁ୍ୟରାନ୍ସ ନଥିବା ନେଇ ୨ ହଜାର ଓ ସାଧାରଣ ଭୁଲ ପାଇଁ ୫୦୦ ଟଙ୍କା ଜୋରିମାନା କରାଯାଇଛି।
ତେବେ ଏତେ ପରିମାଣର ଜୋରିମାନା ସେ ଦେଇପାରିବେନି ବୋଲି ଅଟୋ ଚାଳକ ହରିବନ୍ଧୁ କହଁର କହିଛନ୍ତି।
Comments are closed.