Odisha Link
Bridging the Missing Links in Odisha

କଳିଙ୍ଗନଗର କାରଖାନାରେ ଝୁଲିଲା ତାଲା: ଜୀବିକ‌ା ହରାଇବେ କର୍ମଚାରୀ, ଶ୍ରମିକ

ଯାଜପୁର: ଇସ୍ପାତ ରାଜଧାନୀ କଳିଙ୍ଗନଗର ସ୍ଥିତି ଏବେ ସାଂଘାତିକ ହୋଇପଡ଼ିଛି। ଗୋଟିଏ ପରେ ଗୋଟିଏ କାରଖାନାରେ ତାଲାରେ ତାଲା ପଡ଼ିଇବାରେ ଲାଗିଛି। ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ୍‌ରୁ ଏମଏମଟିସି ପୁଞ୍ଜି ପ୍ରତ୍ୟାହାର ନେଇ ଘୋଷଣା କରିବାରୁ ସ୍ଥିତି ଆହୁରି ଦୟନୀୟ ହୋଇପଡ଼ିଛି। କେଉଁଠି କଞ୍ଚାମାଲର ଅଭାବ ଦେଖାଯାଉଛି ତ ଆଉ କେଉଁଠି ଅନ୍ୟ କାରଣ ଦେଖାଇ ଶ୍ରମିକ କର୍ମଚାରୀଙ୍କୁ ଛଟେଇ କରୁଛନ୍ତି। ଏମିତି ପରିସ୍ଥିତି ସୃଷ୍ଟି ହୋଇଛି, ଉଭୟ କର୍ମଚାରୀ ଓ ଶ୍ରମିକଙ୍କୁ ମିଶାଇ ୫ ହଜାର ଜଣ ଜୀବିକା ହରାଇବା ନେଇ ଆଶଙ୍କା ପ୍ରକାଶ ପାଇଛି।
ସୂଚନା ଅନୁସାରେ, ମୈଥାନ କାରଖାନା ଫେବ୍ରୁଆରି ୧୮ରୁ ବନ୍ଦ ରହିଛି। କାରଖାନା ଡିଆରଆଇ, ପାୱାର ପ୍ଲାଣ୍ଟ, ରୋଲିଂ ମିଲିଂ ସମ୍ପୂର୍ଣ୍ଣ ରୂପେ ବନ୍ଦ। ଡିଆରଆଇରେ କାର୍ଯ୍ୟରତ ୪୨୦ , ପାୱାର ପ୍ଲାଣ୍ଟର ୩୦୦, ଏସ୍‌ଏମ୍‌ଏସ୍‌ରେ କାର୍ଯ୍ୟରତ ୫୦୦ ଓ ରୋଲିଂ ମିଲିଂରେ କାର୍ଯ୍ୟରତ ୧୦୦ ଶ୍ରମିକ ଦୀର୍ଘ ୮ ମାସ ହେବ ଦରମା ପାଇ ନାହାନ୍ତି। ଭୋକ ଉପାସରେ ଜୀବନ ବିତାଉଛନ୍ତି। କାରଖାନାରେ କାର୍ଯ୍ୟରତ ୨୭୬ଜଣ କର୍ମଚାରୀ ମଧ୍ୟ ଦରମା ନପାଇ ହନ୍ତସନ୍ତ ହେଉଛନ୍ତି। ମେସ୍କୋ ଷ୍ଟିଲ ୨୦୧୫ ଅକ୍ଟୋବର ମାସରୁ ୨ବର୍ଷ ବନ୍ଦ ଥିଲା। ୨୦୧୭ ସେପ୍ଟେମ୍ବର ୨୨ ତାରିଖରେ ପୁନର୍ବାର କାର୍ଯ୍ୟକ୍ଷମ ହେଲା ସତ କିନ୍ତୁ ୨୦୦ ଠିକା ଶ୍ରମିକ ଜୀବିକା ହରାଇଲେ। କାରଖାନା କର୍ତ୍ତୃପକ୍ଷ ସଂପୂର୍ଣ୍ଣ ବକେୟା ପୈଠ କରି ବିଦା କରିଦେଲେ। ମୈଥାନ ଇସ୍ପାତକୁ ମେସ୍କୋ ଷ୍ଟିଲ କିଣିବା ପରେ ପୁଣି ଦୀର୍ଘ ୮ମାସହେବ କାରଖାନା ବନ୍ଦ। ୩୩୦ କର୍ମଚାରୀ ଓ ୨୦୦ ଠିକା ଶ୍ରମିକ ଦରମା ପାଉନାହାନ୍ତି।
ଅନ୍ୟପଟେ ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମରେ ପୁଞ୍ଜି ବିନିଯୋଗ କରିଥିବା ଏମ୍‌ଏମଟିସି ପୁଞ୍ଜି ପ୍ରତ୍ୟାହାର ପାଇଁ କହିଛି। କାରଖାନାର ଏସ୍‌ଏମ୍‌ଏସ୍‌ ମାସେ ହେବ ବନ୍ଦ। ବ୍ଲାଷ୍ଟ ଫର୍ଣ୍ଣେସ ବନ୍ଦ। ପାୱାର ପ୍ଲାଣ୍ଟ ୫୦ ପ୍ରତିଶତ ଚାଲୁଥିବାବେଳେ କାର୍ଯ୍ୟରତ ୩୦୦ରୁ ଅଧିକ ଶ୍ରମିକ ଓ ୧୬୦୦ରୁ ଅଧିକ କର୍ମଚାରୀ ଏବେ ଚିନ୍ତାରେ। କେଜେ ଇସ୍ପାତ ସ୍ଥିତି ବି ସମାନ। ଦୀର୍ଘ ୨ବର୍ଷ ବନ୍ଦ ପରେ ଚାଲୁ ହୋଇଥିଲା। ପୁଣି ଦୁଇମାସ ବନ୍ଦ ହେଲା।

Comments are closed.