ଟ୍ରାଫିକ ନିୟମ ଉଲ୍ଲଙ୍ଘନ ଜୋରିମାନା ବଢ଼ିବା ନେଇ କଣ କହିଲେ ଗଡ଼କରୀ

ନୂଆଦିଲ୍ଲୀ: ନୂଆ ଟ୍ରାଫିକ୍ ନିୟମକୁ ନେଇ ସାରା ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ସେପ୍ଟେମ୍ବର ୧ ଠାରୁ ଦେଶରେ ଲାଗୁ ହୋଇଛି ନୂଆ ଟ୍ରାଫିକ ନିୟମ। ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି। ପ୍ରଥମଥର ପାଇଁ ଏ ବାବଦରେ ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ।
ଏସ୍ଆଇଏମ୍ ବାର୍ଷିକ ସମ୍ମିଳନୀରେ ଯୋଗ ଦେଇ ଗଡ଼କରୀ କହିଛନ୍ତି, “ଟ୍ରାଫିକ ଉଲ୍ଲଙ୍ଘନ ଜୋରିମାନା ସୀମାକୁ ବୃଦ୍ଧି କରିବାକୁ ସରକାରଙ୍କ ଇଚ୍ଛା ନାହିଁ। କିନ୍ତୁ ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ସରକାର ଏଭଳି ନୂଆ ନିୟମ ପ୍ରଣୟନ କରିଛନ୍ତି। ଏଥିସହ କହିଛନ୍ତି, ସରକାର ରାଜସ୍ୱ ବୃଦ୍ଧି କରିବାକୁ ଟ୍ରାଫିକ ଉଲ୍ଲଙ୍ଘନ ଜୋରିମାନା ରାଶି ବୃଦ୍ଧି କରିନାହାନ୍ତି। ବରଂ ସଡ଼କ ଦୁର୍ଘଟଣାକୁ ହ୍ରାସ କରିବାକୁ ଏଭଳି ନିୟମ ଲାଗୁ କରାଯାଇଛି। ସେହିପରି ସେ ଗତକାଲି ଭୁବନେଶ୍ୱରର ଆଚାର୍ଯ୍ୟ ବିହାରରେ ଜଣେ ଅଟୋ ଚାଳକଙ୍କ ଠାରୁ କାହିଁକି ୪୭,୫୦୦ ଟଙ୍କାର ଜୋରିମାନା ଚାଲାଣ କଟାଗଲା, ସେକଥା ମଧ୍ୟ କହିଛନ୍ତି।
ଲୋକଙ୍କ ମନରେ ନୂଆ ନିୟମର ଜୋରିମାନା ଭୟ ସୃଷ୍ଟି ହେଲେ, ସେମାନେ ବେପରୁଆ ଗାଡ଼ି ଚଳାଇବାରୁ ଦୂରେଇ ରହିବେ। ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିବା ଯୋଗୁ ଯେଉଁ ଦୁର୍ଘଟଣା ଘଟୁଛି, ସେଥିପାଇଁ କିଏ ଦାୟୀ ରହିବ? ଆଶା କରୁଛୁ ଏମିତି ଦିନ ଆସିବ, ଯେଉଁଦିନ ସମସ୍ତେ ନୂଆ ନିୟମକୁ ମାନିବେ ଏବଂ କାହାକୁ ଜୋରିମାନା ଦେବାକୁ ପଡ଼ିବ ନାହିଁ।” ଓଡ଼ିଶାର ଅଟୋ ଚାଳକଙ୍କୁ ୪୭ ହଜାର ୫୦୦ ଟଙ୍କା ଜୋରିମାନା ଉପରେ ପ୍ରତିକ୍ରିୟା ଦେଇ ଗଡ଼କରୀ କହିଛନ୍ତି, “ଯେଉଁ ଅଟୋ ଚାଳକଙ୍କୁ ଫାଇନ କରାଯାଇଛି ସେ ମଦ ପିଇ ଗାଡ଼ି ଚଳାଉଥିଲେ। ଏପରି କି ତାଙ୍କ ପାଖରେ ଗାଡ଼ିର କାଗଜପତ୍ର ବି ନଥିଲା। ଏଭଳି ସ୍ଥିତିରେ ଯଦି ଦୁର୍ଘଟଣା ହୋଇଥାଆନ୍ତା, ତା’ହେଲେ କିଏ ଦାୟୀ ରହିଥାଆନ୍ତେ? ତେଣୁ ଏଥିପାଇଁ ପୁଲିସ୍ ପ୍ରଶାସନ ତାଙ୍କ ଉପରେ ଜୋରିମାନା ଲାଗୁ କରିଛି।”
Comments are closed.