ସରକାରଙ୍କ ନିଷ୍ପତ୍ତି ଠିକ: ଆମିକସ କ୍ୟୁରି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଠିକ। ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଉଚ୍ଛେଦ ପ୍ରସଙ୍ଗରେ ଏହା କହିଛନ୍ତି ଆମିକସ କ୍ୟୁରି ରଣଜିତ କୁମାର। ପୁରୀରେ ବୈଠକ ପରେ ରଣଜିତ କୁମାର କହିଛନ୍ତି ଯେ, କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଅନୁଧ୍ୟାନ ପାଇଁ ଆସିଥିଲୁ। ପରିଚାଳନା କମିଟି ସହ ଆଲୋଚନା କଲୁ। ନିଜେ ଜାଗା ବୁଲିଲୁ। ଯାହା ଏଠାରେ ଚାଲିଛି, ସମସ୍ତଙ୍କ ଭଲ ପାଇଁ କରାଯାଉଛି। ସରକାରଙ୍କ ନିଷ୍ପତ୍ତି ଠିକ, ରୋକାଯିବା ଅନୁଚିତ। ସରକାର ଉତ୍ତମ ପରିକଳ୍ପନା କରିଛନ୍ତି। ଏନେଇ ସମସ୍ତେ ସହଯୋଗ କରନ୍ତୁ। କାହାକୁ ଜବରଦସ୍ତ ଉଚ୍ଛେଦ କରାଯାଉନି। ସମସ୍ତଙ୍କ ସହ ଆଲୋଚନା କରି ଉଚ୍ଛେଦ କରାଯାଉଛି। ଆସନ୍ତା ବର୍ଷ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ହେବ। ୧୫ ଲକ୍ଷ ଭକ୍ତଙ୍କ ସମାଗମ ହେବ। ଏନେଇ ଉଚିତ ବ୍ୟବସ୍ଥା ହେବା ଦରକାର ବୋଲି ଆମିକସ କ୍ୟୁରି ରଣଜିତ କୁମାର କହିଛନ୍ତି।
ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ପ୍ରଶାସନର ଉଚ୍ଛେଦ ନିଷ୍ପତ୍ତିକୁ ବିରୋଧ କରି ଇଣ୍ଟର କଣ୍ଟିନେଟାଲ ଆସୋସିଏସନ ଅଫ୍ ଲୟର୍ସ ନାମକ ଏକ ସଂସ୍ଥା ପକ୍ଷରୁ ସୁପ୍ରିମକୋର୍ଟରେ ରିଟ୍ ପିଟିସନ ଦାଖଲ କରାଯାଇଥିଲା। ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ମଠମନ୍ଦିର, ଆବାସିକ ଘର ଏବଂ ଦୋକାନ ଉଚ୍ଛେଦ କରାଗଲେ ସ୍ଥାନୀୟ ଅଧିବାସୀଙ୍କ ସାମ୍ବିଧାନିକ ଅଧିକାର ଉଲ୍ଲଙ୍ଘନ ହେଉଥିବା ସଂପୃକ୍ତ ସଂସ୍ଥା ଉଲ୍ଲେଖ କରିଥିଲା। ରାଜ୍ୟ କ୍ୟାବନେଟ ନିଷ୍ପତ୍ତି ରଦ୍ଦ କରିବା ପାଇଁ ଆବେଦନକାରୀ ସଂସ୍ଥାର ଅଧ୍ୟକ୍ଷ ଦେବାଶିଷ ମିଶ୍ର କୋର୍ଟଙ୍କୁ ଅନୁରୋଧ କରିଥିଲେ। ଗତମାସ ୨୭ତାରିଖ ଦିନ ମାମଲାର ଶୁଣାଣି ହୋଇଥିଲା। ଜମି ଅଧିଗ୍ରହଣ ଆଇନ ଅନୁଯାୟୀ ଘରୋଇ ସମ୍ପତ୍ତି ଗୁଡିକୁ ଅଧିଗ୍ରହଣ ପରେ ଉଚ୍ଛେଦ କରାଯିବ ବୋଲି ଆଡଭୋକେଟ ଜେନେରାଲ ଅଶୋକ ପରିଜା କୋର୍ଟଙ୍କୁ ଅବଗତ କରାଇଥିଲେ। କୋଠା ମାଲିକଙ୍କ ସମ୍ମତିକ୍ରମେ ଅଳ୍ପକିଛି ଘର ଭଙ୍ଗା ଯାଇଥିବା ସେ ସୂଚନା ଦେଇଥିଲେ। ପୁରୀ ଗସ୍ତରେ ଯାଇ ପରିସ୍ଥିତି ଅନୁଧ୍ୟାନ କରିବା ସହ ରିପୋର୍ଟ ଦାଖଲ କରିବାକୁ କୋର୍ଟମିତ୍ର ରଣଜିତ କୁମାର ଏବଂ ସଲିସିଟର ଜେନେରାଲ ତୁଷାର ମେହେଟାଙ୍କୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ।
Comments are closed.