ମିଶନ ଚନ୍ଦ୍ର ପାଇଁ ପ୍ରସ୍ତୁତି ଆରମ୍ଭ, ଏହି ଦେଶ କରିବ ଭାରତର ସହାୟତା
ବେଙ୍ଗାଲୁରୁ: ପୁଣି ଥରେ ଚନ୍ଦ୍ରକୁ ଯାତ୍ରା କରିବ ଭାରତ। ଚନ୍ଦ୍ରକୁ ଯାତ୍ରା କରିବା ପାଇଁ ପୁଣିଥରେ ପ୍ରସ୍ତୁତ ହେଲାଣି ଇସ୍ରୋ। ଚନ୍ଦ୍ରଯାନ୨ ପରେ ମିଶନ ଚନ୍ଦ୍ର ଆରମ୍ଭ କରିବ ଇସ୍ରୋ। ଚନ୍ଦ୍ରଯାନ-୨ ତୁଳନାରେ ଏହା ବହୁତ ବଡ଼ ଓ ଭଲ ଭାବେ କରାଯିବ। ଏଥର ଭାରତ ନିଶ୍ଚିତ ଚନ୍ଦ୍ରରେ ପହଞ୍ଚିବ ବୋଲି ଇସ୍ରୋ ଆଶା ରଖିଛି। ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥର ଭାରତ ମିଶନ ଚନ୍ଦ୍ରରେ ଇସ୍ରୋ ସହ ଜାପାନର ମହାକାଶ ଗବେଷଣା କେନ୍ଦ୍ର ଜାପାନ ଏରୋସ୍ପେଶ ଏକ୍ସପ୍ଲୋରେସନ ଏଜେନ୍ସି(ଜାକ୍ସା) ସହାୟତା କରିବ। ଇସ୍ରୋ ଓ ଜାକ୍ସାର ବୈଜ୍ଞାନିକମାନେ ଏକାଠି କାମ କରି ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଚେଷ୍ଟା କରିବେ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।
ଇସ୍ରୋ ଚନ୍ଦ୍ରରେ ପହଞ୍ଚିବା ପାଇଁ ମିଶନ ଚନ୍ଦ୍ରଯାନ-୨ ଆରମ୍ଭ କରିଥିଲା। ଏଥିପାଇଁ ୨୦୦୮ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଅନୁମତି ଦେଇଥିଲେ। ମିଶନ ଚନ୍ଦ୍ରରେ ରୁଷ ଲ୍ୟାଣ୍ଡର ଯୋଗାଇ ଦେବ ବୋଲି ଚୁକ୍ତି ହୋଇଥିଲା। ତେବେ ଶେଷ ମୁହୂର୍ତ୍ତରେ ରୁଷ ଲ୍ୟାଣ୍ଡର ନ ଦେବାକୁ ଇସ୍ରୋ ୨୦୧୨ରେ ଏକାକୀ ମିଶନ ଚନ୍ଦ୍ର ଆରମ୍ଭ କରିବ ବୋଲି ନିଷ୍ପତ୍ତି ନେଇଥିଲା।
ଶେଷରେ ଚଳିତ ବର୍ଷ ଜୁଲାଇ ୨୨ରେ ଚନ୍ଦ୍ରଯାନ-୨ ଜହ୍ନମାମୁ ଯାତ୍ରା ଆରମ୍ଭ କରିଥିଲା। ସେପ୍ଟେମ୍ବର ୭ରେ ଚନ୍ଦ୍ରଯାନ-୨ରେ ଥିବା ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବାର ଥିଲା। ହେଲେ ଚନ୍ଦ୍ରପୃଷ୍ଠରୁ ୨.୧ କେମି ଦୂରରେ ଥିବା ବେଳେ ବିକ୍ରମ ସହ ଇସ୍ରୋର ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ତେବେ ବିକ୍ରମର ପତ୍ତା ଆଜି ମିଳିଛି ବୋଲି ଇସ୍ରୋ ପକ୍ଷରୁ ଦାବି କରାଯାଇଛି। କିନ୍ତୁ ଯୋଗାଯୋଗ ହୋଇପାରୁନାହିଁ।
ସୂଚନା ଅନୁସାରେ ଇସ୍ରୋ ଓ ଜାକ୍ସା ମିଳିତ ଭାବେ ୨୦୨୪ରେ ମିଶନ ଚନ୍ଦ୍ର ଆରମ୍ଭ କରିବେ। ଏହାପୂର୍ବରୁ ଭାରତ ୨୦୨୨ରେ ଚନ୍ଦ୍ରକୁ ମାନବଯାନ ପଠାଇବ। ଭାରତ ଓ ଜାପାନ ଏକାଠି ମିଶନ ଆରମ୍ଭ କରିବେ ବୋଲି ପ୍ରଥମେ ୨୦୧୭ରେ ନିଷ୍ପତ୍ତି ହୋଇଥିଲା। ୨୦୧୮ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ଗସ୍ତ କରିଥିବା ବେଳେ ଏ ବିଷୟରେ ମଧ୍ୟ ଆଲୋଚନା କରିଥିଲେ।
Comments are closed.