କବିତାର ରାଣୀ
ସୋନାଲି ସ୍ବାଇଁଙ୍କ କବିତା
କବିତାର ରାଣୀ
ମନ ମୋର ଆନମନା
ସତେ ଭାରି ଅବୁଝା
କେବେ କେବେ ହୁଏ ଇଛା
ସାଜିବାକୁ ତୁମ ଆକାଶର ଜହ୍ନ।
ତୁମକୁ ଛୁଇଁବା ସ୍ବପ୍ନ ନହେଇ ପୂରଣ
ଦୂରେ ଥାଇ ଦେଖିବି ତୁମକୁ
ହସି ହସି ତୁମ ଦେହେ
ଢାଳିବାକୁ ପ୍ରେମର ଜୋଛନା।
ପୁଣି କେବେ ଭାବେ
ପାଲଟିଯାଆନ୍ତି ଅବା
ୠତୁରାଜ ବସନ୍ତର କୋମଳ ମଳୟ
ତୁମର ଦେହକୁ ଚୁମି ବିତିଯା’ନ୍ତା
ମୋ ସାରା ସମୟ।
କେବେ କେବେ ଇଛାହୁଏ
ହଠାତ୍ ମୋ ରୂପ ବଦଳନ୍ତା
ରକ୍ତମାଂସ ଦେହ ମୋର
ପାଲଟନ୍ତା ଚକୋଲେଟ୍ ଅବା ଆଇସ୍କ୍ରିମ୍
ତୁମେ ମୋତେ ନ ଚାହଁ ପଛକେ
ଅଜାଣତେ ଓଠ ତୁମ ଚୁମିବାକୁ ସୁଯୋଗ ମିଳନ୍ତା।
ପୁଣି କେବେ ଇଚ୍ଛା ହୁଏ
ଫୁଟନ୍ତି ମୁଁ ତୁମ ବଗିଚାରେ
ସାଜି ଏକ ରଙ୍ଗିନ ଗୋଲାପ
ଛୁଅଁ ବା ନ ଛୁଅଁ ତୁମେ
ଦେଖି ମୋର ସୌନ୍ଦର୍ଯ୍ୟର ପ୍ରଶଂସା କରିବ।
ଏବେ ଏବେ ବେଶି ହୁଏ ଇଚ୍ଛା
ଯାଆନ୍ତି ଉଭେଇ
ତୁମରି ହୃଦୟ ପାଶେ ପାଲଟନ୍ତି
ଭାବନା ମୁଁ ତୁମ କବିତାର
ତୁମର ନ ହେଲି ନାହିଁ
ଓହ୍ଲାଇ ଆସନ୍ତି ଧୀରେ କାଗଜର ପରଦାକୁ
ସାଜି ତୁମ କବିତାର ରାଣୀ।
Comments are closed.