ଗର୍ଭବତୀ ମହିଳାଙ୍କୁ ଚିକିତ୍ସା ଅବହେଳା ଘଟଣା, ମହିଳା ଡାକ୍ତରାଣୀଙ୍କ ପାଲଟା ଅଭିଯୋଗ

ବାରଙ୍ଗ: ଚନ୍ଦ୍ରଶେଖରପୁର ଥାନା ନିକଟସ୍ଥ ପଟିଆ ଛକଠାରେ ଥିବା ବୈଦ୍ୟନାଥ ମେମୋରିଆଲ ହସପିଟାଲରେ କାର୍ଯ୍ୟରତ ଡ଼ାକ୍ତରାଣୀ କାତ୍ୟାୟନୀ ପଣ୍ଡାଙ୍କ ନାମରେ ମଞ୍ଚେଶ୍ବର ଥାନା ଟାଙ୍ଗିବନ୍ତ ଗ୍ରାମର ସୁନୀଲ ପ୍ରାଧାନ ତାଙ୍କ ସ୍ତ୍ରୀଙ୍କର ଗର୍ଭପାତରେ ଅବହେଳା କରିଥିବା ଏବଂ ପଚାରିବାରୁ ଡ଼ାକ୍ତରାଣୀ ଏବଂ କର୍ତ୍ତୃପକ୍ଷ ଧମକ ଦେଇଥିବା ସୋମବାର ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ଘଟଣାକୁ କେନ୍ଦ୍ରକରି ମଙ୍ଗଳବାର ଡ଼ାକ୍ତରାଣୀ ଶ୍ରୀମତୀ ପଣ୍ଡା ସୁନୀଲଙ୍କ ପରିବାର ଲୋକଙ୍କ ନାମରେ ଧମକ ଦେଇଥିବା ଥାନାରେ ଅଭିଯୋଗ କରିଛନ୍ତି।
ସୁନୀଲଙ୍କ ସ୍ତ୍ରୀ ମାନସୀ ପ୍ରଧାନଙ୍କର ଚଳିତ ବର୍ଷ ଜୁଲାଇ ୨୯ ତାରିଖରେ ପ୍ରଚୁର ରକ୍ତସ୍ରାବ ହେବାରୁ ସେ ତାଙ୍କ ଶ୍ବଶୁର ଘର ପଟିଆ ଗ୍ରାମ ନିକଟ ଉକ୍ତ ହସପିଟାଲରେ ଚିକିତ୍ସା ନିମନ୍ତେ ଆଣିଥିଲେ। ତେବେ ଡ଼ାକ୍ତରାଣୀ ଜଣକ ପରୀକ୍ଷା ନୀରିକ୍ଷା କରି ଛୁଆଟି ମରିଯାଇଛି ଏବଂ ମହିଳାଙ୍କ ସ୍ବାସ୍ଥ୍ୟପ୍ରତି ବିପଦ ଥିବା କହି ଗର୍ଭପାତ କରାଇଥିଲେ। ହେଲେ ଶ୍ରୀମତୀ ପ୍ରଧାନଙ୍କ ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରିବର୍ତ୍ତେ ଅଧିକ ଗୁରୁତର ହେବାରେ ଲାଗିଲା। ଯାହାଫଳରେ ଚଳିତ ମାସ ୧ ତାରିଖରେ ପୁନର୍ବାର ସୁନୀଲ ତାଙ୍କ ପରିବାରଙ୍କ ସମେତ ତାଙ୍କ ସ୍ତ୍ରୀଙ୍କୁ ଉକ୍ତ ଡ଼ାକ୍ତରାଣୀଙକୁ ଦେଖାଇଥିଲେ। ହେଲେ ଡ଼ାକ୍ତରାଣୀ କେବଳ ଗ୍ୟାସ ବଟିକା ଖାଇବା ପାଇଁ ପରାର୍ମଶ ଦେଇ ବିଦା କରି ଦେଇଥିଲେ। ପରେ ଡ଼ାକ୍ତରାଣୀଙ୍କ ଚିକିତ୍ସା ପଦ୍ଧତିକୁ ସନ୍ଦେହ କରି ପରିବାର ଲୋକେ ସୋମବାର ଶହୀଦନଗରରେ ଥିବା ଜଣେ ପ୍ରମୁଖ ପ୍ରସୂତୀ ବିଭାଗର ମହିଳା ଡ଼ାକ୍ତରଙ୍କ ସହ ପରାର୍ମଶ କରିଥିଲେ।
ସେଠାରେ ଅଭିଜ୍ଞ ମହିଳା ଡ଼ାକ୍ତରାଣୀ ପରୀକ୍ଷା ନୀରିକ୍ଷା କରି ସୁନୀଲଙ୍କ ପତ୍ନୀ ସାଢ଼େ ତିନି ମାସର ଗର୍ଭବତୀ ଥିବା ପ୍ରକାଶ କରିଥିଲେ। ଏଥିରେ ଆଶ୍ଚର୍ଯ୍ୟ ହୋଇ ପରିବାର ଲୋକ ପଟିଆ ଛକସ୍ଥିତ ଉକ୍ତ ହସପିଟାଲର ଡ଼ାକ୍ତରାଣୀ ଶ୍ରୀମତୀ ପଣ୍ଡାଙ୍କୁ ଏ ବିଷୟରେ ପଚାରିବାରୁ ସେ ଉତ୍ତ୍ୟକ୍ତ ହୋଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ କର୍ତ୍ତୃପକ୍ଷଙ୍କ ଜରିଆରେ ପରିବାର ଲୋକଙ୍କୁ ବାହାର କରି ଦେଇଥିଲେ। ସୋମବାର ଘଟଣା ସଂପର୍କରେ ସୁନୀଲଙ୍କ ପରିବାର ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିବା ପରେ ଡ଼ାକ୍ତରାଣୀ ଶ୍ରୀମତୀ ପଣ୍ଡା ମଙ୍ଗଳବାର ଦିନ ସୁନୀଲଙ୍କ ପରିବାର ଲୋକଙ୍କ ବିରୋଧରେ ଥାନାରେ ଲାଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।
Comments are closed.